Latest Odisha News

ଟ୍ବିଟରର ଲୋଗୋ ‘ନୀଳ ପକ୍ଷୀ’ ବଦଳରେ ‘କୁକୁର’ କାହିଁକି ରହିଲା, ଜାଣନ୍ତୁ ମସ୍କଙ୍କ ମନର କଥା

ନ୍ୟୁୟର୍କ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ବର୍ତ୍ତମାନ ଟିକେ ଭିନ୍ନ ଦେଖାଯିବା ଆରମ୍ଭ କରିଛି। କାରଣ ଏହାର ‘ନୀଳ ପକ୍ଷୀ’ ଏବେ ଉଡ଼ି ଯାଇଛି ଏବଂ ଗୋଟିଏ କୁକୁର ଆସି ସେହି ସ୍ଥାନରେ ବସିଛି। ଟ୍ୱିଟର ଏହାର ‘ବ୍ଲୁ ବାର୍ଡ’ ଲୋଗୋକୁ ‘ଡୋଜ୍’ ରେ ପରିବର୍ତ୍ତନ କରିଛି। ବର୍ତ୍ତମାନ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଅଛି। ଏହି କୁକୁର କିଏ ଏବଂ ମସ୍କ କାହିଁକି ଏହି କୁକୁରକୁ ଟ୍ୱିଟର ଲୋଗୋ ଭାବରେ ବାଛିଲେ? ଏଲୋନ୍ ମସ୍କ କାହିଁକି ଏହି ନିଷ୍ପତ୍ତି ନେଲେ?

BjdElectrycity

ଗତବର୍ଷ ଅକ୍ଟୋବରରେ ମସ୍କ ଟ୍ବିଟରର ମାଲିକାନା ହାତେଇବା ପରେ ଚଳିତ ବର୍ଷ ଫେବୃଆରୀରେ ନିଜେ ଲୋଗୋ ବଦଳାଇବାକୁ ଇସାରା ଦେଇଥିଲେ। ଆଉ ସେହି ସମୟରେ ସେ ଟ୍ୱିଟରରେ ମାଲିକ ଭାବରେ ‘ଡୋଜ୍’ର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ନୂଆ ସିଇଓ ଚମତ୍କାର। ସେବେଠାରୁ କଳ୍ପନାଜଳ୍ପନା କରାଯାଉଥିଲା, ଏବେ ଟ୍ୱିଟରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ଯାହା ଏବେ ସତ ହୋଇଛି।

ଏହି ‘ଡୋଜ୍’ ମଧ୍ୟ ଡୋଜକୋଏନ୍ କ୍ରିପ୍ଟୋକରେନ୍ସିର ଆଇକନ୍। ଡୋଜକୋଏନର ସମର୍ଥକମାନଙ୍କ ମଧ୍ୟରୁ ଏଲୋନ୍ ମସ୍କ ଅନ୍ୟତମ। ପୂର୍ବରୁ ଏହି ‘ଡୋଜ୍’ ମିମସରେ ଦେଖିଥିବେ।

ଟ୍ୱିଟର ଲୋଗୋ ବଦଳାଇବା ପରେ ଡୋଜକୋଇନ୍ ଟ୍ୱିଟ୍ କରି କହିଛନ୍ତି ଯେ କୁକୁରର ନାମ କାବୋସୁ। ଏହା ଜାପାନର ସାକୁରାରେ ରହିଛି। ସେ ତାର ମାଲିକ ଅଟସୁକୋ ସାଟୋ ସହିତ ରହୁଛି। ଅଟସୁକୋ ସାଟୋ 2010ରେ ତାଙ୍କ ବ୍ଲଗରେ କାବୋସୁର ଫଟୋ ଅପଲୋଡ୍ କରିଥିଲେ। ପରେ, ଏହାର ଫଟୋ ବିଟକଏନ୍ ପରି ଅନ୍ୟ କ୍ରିପ୍ଟୋକ୍ୟୁରେନ୍ସିରେ ମିମସରେ ବ୍ୟବହୃତ ହୋଇଥିଲା। ଡୋଜକୋଏନ୍ କହିଛନ୍ତି ଯେ କାବୋସୁ ଏକ ଉଦ୍ଧାରକାରୀ କୁକୁର।

ସରକାରୀ ଭାବେ, ଏହି ପରିବର୍ତ୍ତନ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ମସ୍କଙ୍କ ଏକ ଟୁଇଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ୟୁଜରଙ୍କୁ ଟ୍ୱିଟର କିଣିବା ପୂର୍ବରୁ ଲୋଗୋ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି। ଏହି ଟ୍ୱିଟ୍ ଉପରେ ମସ୍କ ପୁନର୍ବାର ପ୍ରତିକ୍ରିୟା ରଖିଛନ୍ତି।

କେବଳ ଏତିକି ନୁହେଁ, ମସ୍କ ଟ୍ୱିଟରରେ ଏକ ମିମସ ମଧ୍ୟ ସେୟାର କରିଛନ୍ତି। ଏହି ମିମସରେ ‘ଡୋଜ୍’ ଏକ କାର ଚଳାଉଥିବାର ନଜର ଆସିଛି ଏବଂ ଜଣେ ପୋଲିସ ଅଧିକାରୀ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଦେଖୁଛନ୍ତି, କିନ୍ତୁ ଡ୍ରାଇଭିଂ ଲାଇସେନ୍ସରେ ଡୋଜ୍ ଫଟୋ ବଦଳରେ ‘ବ୍ଲୁ ବାର୍ଡ’ର ଫଟୋ ରହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ବିଳମ୍ବିତ ରାତିରୁ ଟ୍ୱିଟରର ଲୋଗୋ ବଦଳିଯାଇଥିଲା। ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ହେଲେ ଏବେ ଏହା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.