କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ମାନସିକ ଭାରସାମ୍ୟ ହରାଇ, ତାଙ୍କ ଆଖିରୁ କେବଳ ଲୁହ ହିଁ ଝରୁଥିଲା । କେଜାଣି କେମିତି ସେ ଡାକ୍ତରଖାନାରେ ପହଞ୍ଚିଲେ, ତାଙ୍କର ମନେନାହିଁ, କିଛିଦିନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଧୀରେ ଧୀରେ ତାଙ୍କ ସ୍ମୃତି ଭିତରକୁ ସେଇ ଲୋମହର୍ଷଣକାରୀ ସନ୍ଧ୍ୟାର ଦାରୁଣ ଦୃଶ୍ୟ ସ୍ପଷ୍ଟ ହୋଇ ଆସୁଥିଲା । ସୁଜାତା ଜୀବନର କରୁଣ ପରିଣତିକୁ ଅନୁମାନ କରି ସେ କ’ଣ କରିବେ ନ କରିବେ ସ୍ଥିର କରିପାରୁନଥିଲେ । ଡାକ୍ତରଖାନାରୁ ବାହାରି ଆସି ଏକରକମ ଅର୍ଦ୍ଧ ପାଗଳ ଭଳି ସେ ଘୂରି ବୁଲିଲେ ଗ୍ରାମ ଗ୍ରାମ… ସହର ସହର… ଗଳିଗଳି… ।
ସେଦିନ ପଦ୍ମିନୀ ସବୁଦିନ ଭଳି ଭୋରରୁ ଉଠି ଦାଣ୍ଡ ବାରଣ୍ଡା ସଫା କରିବାପାଇଁ ମୁହଁ ପୋଛି ପୋଛି ଦରଜା ଖୋଲିଲାବେଳେ ଚମକି ପଡ଼ି ଦି’ ପାହୁଣ୍ଡ ପଛକୁ ହଟିଗଲା । ପୁରୁଷ ଲୋକଟିଏ ମୁହଁ ମାଡ଼ି ବାରଣ୍ଡାରେ ପଡ଼ିଛି । ଅଜଣା ଆଶଙ୍କାରେ ତା’ ଦେହ ଥରି ଉଠିଲା । ଦମ୍ଭ ଧରି ମୁହଁ ପାଖକୁ ହାତ ନେଇ ଜାଣିବାକୁ ପାଇଲା, ଲୋକଟି ବଞ୍ଚିଛି । ମୁହଁରେ ପାଣି ଛାଟି ଚେତା କରାଇବା ପରେ ଦାଣ୍ଡ ଘରେ ଆଣି ବସାଇଲା । ଲୋକଟି ସାମାନ୍ୟ ସୁସ୍ଥ ହେବା ପରେ ଜାଣିବାକୁ ପାଇଲା ଦୁଇଦିନ ହେବ ସେ ଖାଇନାହାନ୍ତି ।
କାହିଁକି କେଜାଣି ପଦ୍ମିନୀ ମନରେ ଏଇ ଅପରିଚିତ ମଣିଷଟି ପ୍ରତି ଦୟା ଆସିଲା । ତା’ର ସ୍ନେହ-ସହାନୁଭୂତି ସେବା ଯତ୍ନରେ ସରୋଜ ଧୀରେ ଧୀରେ ଭଲ ହୋଇ ଆସିଲେ । ବିଶ୍ୱାସର ମମତା ତାଙ୍କୁ ବାନ୍ଧି ରଖିଲା କିଛିଦିନ । ସତ କହିବାକୁ ଗଲେ ସେ ତାଙ୍କର ପୁରୁଣା ଜାଗାକୁ ଯିବାକୁ ଚାହୁଁ ନଥିଲେ । ସୁଜାତା ବିଷୟରେ କିଏ ଯଦି ତାଙ୍କୁ ପଚାରେ, ସେ କି ଉର ଦେବେ ? ତାଙ୍କ ଭିତରେ ଅହର୍ନିଶ ବିକଳ ହୋଇ ଅତି ଅସହାୟ ଅବସ୍ଥାରେ ବିଳାପ କରୁଥିବା ତାଙ୍କର ଅପାରଗ ପୁରୁଷପଣ ତାଙ୍କୁ ନିରନ୍ତର ଧିକ୍କାର କରୁଥିଲା । ନିଜ ସ୍ତ୍ରୀକୁ ସୁରକ୍ଷା ଦେଇ ନପାରିବା ଦାରୁଣ ଲଜ୍ଜା ତାଙ୍କ ବିବେକକୁ ବାରବାର ଦଂଶନ କରୁଥିଲା । ଏଇଭଳି ଲଜ୍ଜାଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲେ ବରଂ ଭଲ ହୋଇ ଥାଆନ୍ତା । ଈଶ୍ୱର ତାଙ୍କର କି ଇଚ୍ଛା ପୂରଣ ପାଇଁ ତାଙ୍କ ଭଳି ଜଣେ ଅଭାଗା ମଣିଷକୁ ଜୀବଦାନ ଦେଲେ ?
Comments are closed.