Latest Odisha News

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

‘ ଉଚିତ ‘ ବୋଲି ଯା ସୂଚିତ
ହୋଇ ଭାଷାରେ ବିରଚିତ
ତହିଁର କେତେ ପ୍ରତିଶତ
ହୁଏ କେଉଁଠି ପ୍ରଚଳିତ ?

କେହି କି କରଂତି କଳନା
ତାହା ବି ରହିଛି ଅଜଣା
କରିଲେ ଔଚିତ୍ୟ ବିଧାନ
ହୁଏନି ତା’ର ପ୍ରଚଳନ

ଅନୁଚିତ କାମକୁ ସହି
ଯେ ପାରେ ସମାଜରେ ରହି
ସେ ହୁଏନାହିଁ ବିଚଳିତ
ଅଥବା ମିଛେ ଆଂଦୋଳିତ

ଯାହାକୁ ଯେ ଭାବେ ଉଚିତ
ରହିଲେ ତହିଁର ସହିତ
ସ୍ବମନ ହୁଏ ପରିଚ୍ଛନ୍ନ
ଏହା ହିଁ ଲାଗେ ସମୀଚୀନ

ଅନ୍ୟ କାହାର କାମ ଦେଖି
ହୋଇଲେ ବାରଂବାର ଦୁଃଖୀ
କିଛି ବି ହୁଏନାହିଁ କରି
ଜାଣି ଚଳିବା ନିଜ ପରି

ନିଜକୁ କରିଲେ ଆୟତ୍ତ
ସୁଶାଂତ ହୁଏ ନିଜ ଚିତ୍ତ
ଯେ ରହେ ନିଜର ସହିତ
ତା କୃତି କରେ ସର୍ବହିତ

କାର୍ଯରୁ ଜାତ ହୁଏ କୃତି
ତହିଁରୁ ମିଳେ ଯେଉଁ ତୃପ୍ତି
ତାହା କର୍ତାର ମୂଳ ପ୍ରାପ୍ତି
ଅଲୋଡ଼ା ଏହାର ଦ୍ବିରୁକ୍ତି

ନିଜ କାର୍ଯରେ ରହି ଲାଖି
ଯେ ହୁଏ ସମୟର ସାକ୍ଷୀ
ତାହାର କଥା ଆଉ ଲେଖା
ହୁଏ କ୍ରମଶଃ ବିଶ୍ବସଖା

Comments are closed.