Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୧

ଏ ବାବା ରେ, ଡେରି  ହୋଇଗଲାକି ଆଉ?  ରନ୍ଧାରନ୍ଧିର ସମୟ ପରା ! ଆଣ୍ଟି ଓ ନିଜ ପାଇଁ  ରାନ୍ଧିବା  ସହ ନହନହକା ସୁନ୍ଦରୀ ଅମୃତାଲାଗି କରିବାକୁ ହବ। ଟିକିଏ ଗଡବଡ ହେଲେ ସେ କମେଣ୍ଟ କରିବ। କମ୍ପଲେନ କରିବ। ସବୁ ସେ କରିପାରେ । ସତେ ଯେମିତି  ଏ କିଲ୍ଲାର ବେଗମସାହେବା । ଆଉହାରେମ ଖ୍ବାଜାସରାଫ , ବିଳସିତ ବିଶ୍ବାସ  ପୁଣି ଅଲୋଡା ଜୀବନର କାହାଣୀ। ଶୀତଳ ଷଷ୍ଠୀ କି ଜାଗରରେ ତ୍ରୈୟମ୍ବକମ ଯଜାମହେ ଉଚ୍ଚାରଣର ନିଶା, କେବେ ରାମ କି ରାବଣକୃତ ତାଣ୍ଡବ ।  ରାଜେଶ ଖାନ୍ନା ଓ ମମତାଜଙ୍କ ଡୁଏଟ,  ‘ଜୟ ଜୟ ଶିବ ଶଙ୍କର ।’  ସୁହାନା  , ମିଠୁ, ବେବିନା ସମସ୍ତେ  ଉଲ୍ଲାସର ସହ ଅପେକ୍ଷା କରନ୍ତି।  ସବୁଠି ସେଇ ସମାନ କଥା। ନାଚ ପାଇଁ ମଞ୍ଚ  ନା ମଞ୍ଚ ପାଇଁ ନାଚ!  ଭଲ ନାଚେ ସେଇ କୁନି ପିଲାଟି ଇନ୍ଦ୍ରାଣୀ  ।  ଆଗ୍ରହର ସହ  ସୁନ୍ଦରଭାବରେ  ଶିଖିନିଏ ସବୁ   ଛନ୍ଦ ,ତାଳ ,ଲୟ  ଭୁଲ ହୁଏନି , ସେ ବହୁତ  ଆଗକୁ ଯିବ ପ୍ରୋତ୍ସାହନ  ପାଇଲେ।  ତା’କୁ  ହାତଧରି ଟାଣି ନେବାକୁ ପଡିବ  ଆଗକୁ ଆଗକୁ।  ତିଥି ପାରିବ ସବୁ,  ନିଶ୍ଚିତ ଭାବରେ ପାରିବ।

ଆଜି   ଏକ୍ବାରିୟମର ମାଛକୁ ଯତ୍ନ ନେବାକୁ କିଏ ଅଛି ମ। ମାଆ ଦେଖିଥିବ କି ନାହିଁ କେଜାଣି । ସିଧା ଡାନ୍ସ କ୍ଲାସରୁ ଆସିବାକୁ ପଡିଲା। ଦିନେ ଦିନେ ଗଡବଡ ହୋଇଯାଏ ଅନେକ କିଛି।  ଏବେ ମନେପକେଲେ କ’ଣ ହବଯେ। ଭୋକରେ ଥିବେ ଜୀବଗୁଡିକ।  ପାଣିରେ ଚବର ଚବର ହେଉଥିବେ  ।  ପହଁରୁଥିବେ ଯେ   ପହଁରୁଥିବେ ଥକ୍କା ଲାଗେନି ଜମା । ଆଉ ଦେଖ ଆମକୁ ,ଟିକିଏ କାମ ପରେ ବସିପଡିବାକୁ ମନ କହିବ। ସବୁଠାରୁ ଦୁଷ୍ଟ ଏ ମନ।  ଆକଟ ମାନିବନି।  ସବୁ ଫାଜିଲ କାମ କରିବ। ଆଉ କଷ୍ଟ ପାଇବ କିଏ ତା’ ପାଇଁ ?

ତିତିଲି କେତେ ବଢିଆ  ଆଙ୍କି ପାରୁଚି।  ତା’ ଠାରୁ ଭଲ ଆଙ୍କେ  ରୋହନ। କିନ୍ତୁ  , ଦୁହିଁଙ୍କୁ ନେଇ ଥରେ ଯୋଉ ପରୀକ୍ଷା ନିରୀକ୍ଷା କରିଥିଲା ତିଥି , ତାହା ଥିଲା ନିଆରା। ଦୁହେଁ  ଗୋଟିଏ କାନଭାସ ଉପରେ କାମକଲେ। ଥିମ୍ ଥିଲା ‘ ଜଳ ସୁରକ୍ଷା ‘ ବା ‘ପଲିଥିନ ବର୍ଜ୍ଜନ ‘ ।   ଯୋଉ ଗୋଟିଏ ବାଛିଲେ ହବ। ଦୁହେଁ  ଦୁଇଟିକୁ ମିଶେଇ ଯେଉଁ ସନ୍ଦେଶ ଏ ସମାଜକୁ ଦେଲେ , ଦେଖିବାଯୋଗ୍ୟ ସେ କଥା। ରାଜ୍ୟପାଳଙ୍କୁ ଅତିଥି ଭାବରେ ଡକାଯାଇଥିଲା। ଏମାନଙ୍କ କାମ ଏତେ ପସନ୍ଦ ହେଲାଯେ  ସେ କିଣି ନେବାକୁ ଅଡି ବସିଲେ।  ଭାଗ୍ୟ କହିବ ଏହାକୁ।  ଦୁଃଖ ଲାଗେ ଏଇ ଦୁଇ ପିଲାଙ୍କ ପାଇଁ।  ଦୁଇ ପରିବାର ବିବାଦରେ ଏମାନେ ସାଙ୍ଗ ହୋଇପାରନ୍ତିନି, କିଛି କଥା କୁହେନି  ତିତିଲି। ସତରେ ମୂକ ଭଳି ବସିରହେ। କିନ୍ତୁ,  ମନରେ ମନରେ ମିଶେ,  ନହଲେ ଏତେ ସୁନ୍ଦର  ପେଣ୍ଟିଙ୍ଗ କରନ୍ତା କେମିତି।  ନା କଥା, ନା ଲେଖା ସେଇଥିରେ କି ବଢିଆ ଫୁଟେ  ଚିତ୍ରସବୁ।  ମାଆ,ବାପାଙ୍କ ଝଗଡା ପାଇଁ  ପିଲା ଦୁହେଁ ଭୋଗୁଚନ୍ତି।  କେଜାଣି କେବେ ବୁଝିବେ ବଡମାନେ।  ଜଣେ ଆସିଲେ ଆଉ ଜଣେ ଖୋଜିହୁଏ ଆଖିରେ, ସେଦିନ ଭଲ ହୁଏନା ଡ୍ରଇଁ। ରଙ୍ଗ କି ତୂଳୀ ପଡିଯାଉଥିବ ବାରମ୍ବାର। ହସ ଲାଗେ ସେ ସବୁ ଦେଖିଲେ। ଗମ୍ଭୀର ହୋଇ ମନେମନେ ହସିବା କଥା ଯାହା।

କେତେ ପ୍ରକାରର ଲୋକ  ଅଛନ୍ତି  ଏ ଦୁନିଆରେ।  ଚିହ୍ନି ପାରିଲେ ହେଲା। ନହେଲେ  ଠକିହୋଇଯିିିିବ  ଜଣେ  ସହଜରେ।
ଆଣ୍ଟିଙ୍କ  କାମ ସହିତ  ସରିଆସୁଥିଲା ସମୟ। ଫେରିଯିବାର ବେଳା ଏଇଟା। ଘର ଅପେକ୍ଷା କରିଥିବ। ମାଆ, ବାପା ଶୋଇଯାଇଥିବେ। ଚାବି ତ ଅଛି ଖୋଲି ପଶିବାକଥା ।

ଆଜି ରାତି କଟିଗଲେ ଲିଭିଯିବ ଆଜିର ତାରିଖ। ନୂଆ ସକାଳଟେ ଆସିବ ନୂଆ ରୂପରେ। ମିଠା ଚାହାଣୀରେ ହସୁଥିବ ବାଲକୋନିର କି ଟେରସର ମନ୍ଦାର, ସଦାବିହାରୀ, ଗୋଲାପ ।   ପାରା ଆସି ଗୁମୁରିବେ ଝରକା ସେପାଖେ। ସୂର୍ଯ୍ୟ  ଆକଟ ନମାନି  ପଶି ଆସୁଥିବେ ପର୍ଦ୍ଦା  ଫାଙ୍କରେ। ବାପାଙ୍କ  ଚାଲି ହାଲୁକା ହାଲୁକା ଶୁଭୁଥିବ ଟେରସ ପାଖରେ । ମାଆ ଚେୟାର ପକେଇ ସକାଳ ଖବର ଦେଖୁଥିବ ମୋବାଇଲରୁ, ଚଢେଇଙ୍କୁ  ଖାଇବାକୁ ଦେଉଥିବ ନ ହଲେ କୌଣସି  ସୋସିଆଲ୍ ମିଡିଆରେ ମଜ୍ଜି ଯାଇଥିବ। ଭଳି ଭଳି  ପ୍ରାର୍ଥନା  ଗାଉଥିବ   ।  ଅଳ୍ପ  ଯୋଗ  , ପ୍ରାଣାୟାମ  କରେ ସବୁଦିନ ।  ଆଣ୍ଠୁଗଣ୍ଠି ବଥା ତା’ର। କେବେ କେମିତି  ମନ ହେଲେ ନାଚେ ।  ଏକଥା ସବୁଦିନ ଘଟିଲେ ବି ଲାଗେ ନୂଆ ନୂଆ.।  ନୂଆ ମନନେଇ  ଦେଖ ଆମକୁ , କହେ  ଯେମିତି କିଏ  କାନରେ।ହୃଦବୋଧ କରିପାରେ ବୋଲି   ସବୁ ସକାଳକୁ ସ୍ବାଗତକରେ ନୂଆ ରୂପରେ  ତିଥି।

ଶବ୍ଦ କ’ଣ ହେଲା ମ। ନା  ତ କେହି ନାହିଁ  କୋଉଠି। କବାଟ ଝରକା ବନ୍ଦ।   ତାହାଲେ ଏ  ଶବ୍ବ ଆସୁଚି  କୋଉଠୁ।   ବାଲକୋନି ଖୋଲି  ଦେଖିବ କି ନା ନା   ଥାଉ , ଆଣ୍ଟି  କ’ଣ ଆଉ ଦୌଡିଗଲା ତାଙ୍କ ପାଖକୁ  ଏଥର।  କିଛି  ତ ନାହିଁ।   ତାଙ୍କୁଯେ ବସେଇଦେଇ ଆସିଥିଲା  ସେ ସେମିତି  ପଥର ଭଳି ବସିଛନ୍ତି।  ଖାଇବା ପରେ ବସନ୍ତି  ଏମିତି। ଔଷଧ  ଖୁଆଇ ମୁହଁ ପୋଛିଦେଲା  ତିଥି ଶୁଆଇଦେଲା  । ନୀଳ ଆଲୋକର ବଲବ୍ ଲଗେଇଦେଲା।ଆଉଁସି ଦେଲା । ‘ଧୋ ରେ ବାଇଆ ଧୋ’….ଜେଜିମା’ ଗାଇଥାଏ ଏମିତି  ଲୁଲାବି। ଚାଦରକୁ  ଅଣ୍ଟାଉପର ଯାଏଁ  ଘୋଡେଇଦେଲା। ଆଉ ଟିକିଏ  ସମୟ ପରେ ସରିବ ଏ ଘର ସମ୍ପର୍କ। କ୍ୟାବ ବୁକ୍ କରିନେବ। ଏକ ନିର୍ଦ୍ଦିଷ୍ଟ   ସମୟରେ  କଠିନ ଅନୁଶାସନଭରା ଜୀବନ  ବିତେଇବାକୁ ପଡେ ଏଠାରେ। ତଥାପି ମନ ଖୁସି ଲାଗେ। ଜୀବନ  ଯେମିତି  ଧନ୍ୟ ହୋଇଯାଏ ।ସେ ତ ନିଆରା ସମସ୍ତଙ୍କଠାରୁ। ତା’ ଚିନ୍ତାଧାରା ଅଲଗା ସେଇଥିପାଇଁ। ମାଆର ଅଜସ୍ର ଶ୍ରଦ୍ଧା  ଆଉ ବାପାଙ୍କର  ଅକୁଣ୍ଠ  ବନ୍ଧୁତା  ବଞ୍ଚିବାର  ମିଠା ଆନନ୍ଦ ଦେଇଚି। ଉପଭୋଗ କରୁଚି ଜୀବନକୁ ପୂର୍ଣ୍ଣଭାବରେ।

କେହି କୁଆଡେ ନାହିଁ   । ଧଡାସ୍  କଲା କ’ଣ। କୁଆଡୁ ଆସିଲା   ସେ ଶବ୍ଦ।  ଛାଡ ପାଖରେ କୋଉ ଗୋଟିଏ କ’ଣ ହୋଇଥିବ ତା’କୁ ନେଇ ଏତେ ତର୍ଜମା କାହିଁକି  ଯେ ।

ଧଡପଡ ଅଥଚ ସଠିକ ଭାବରେ ସାରିଦେଲା କାମ।ସଜାଡିନେଲା ନିଜକୁ । ଅମୃତାକୁ ଲେଖିଦେଲା ଯାହାସବୁ  ଲେଖିବାକୁ ପଡେ। ଆଣ୍ଟି  ଶୋଇଲେଣି ତ ଆଉ ଗୁଡ ନାଇଟ  କାହାକୁ  କହିବ।   ଘରକୁ ,କାନ୍ଥକୁ,  ଆସବାବପତ୍ରକୁ …। ହସିଲା ଟିକିଏ । କବାଟ  ବାହାରକୁ ପାଦ ବଢାଇବା  ବେଳକୁ ଦେଖିଲା ସମୟାନୁବର୍ତ୍ତିତା ଯାହାକୁ କୁହାଯାଏ, ସେ ସିଡିଦେଇ ଉଠି ଆସୁଚି।  ଯାଃ ଚିନ୍ତାଗଲା। ଏଥର ସେ ବୁଝିବ ସବୁ। ଅମୃତା ସବୁଦିନ ସମୟକୁ  ଜଗେ। ଅନୁଶାସନ ପ୍ରିୟ।  ସଂସ୍କାରୀଝିଅଭଳି  ଲାଗେ   ତ। ତା’କୁ  ହାତ ହଲେଇ ଲିଫ୍ଟ ଆଡକୁ  ଗଲା  ତିଥି।

Comments are closed.