ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩
ଫୁଲଫୁଲକା ଟି-ସାର୍ଟପିନ୍ଧା ନହନହକା ଡେଙ୍ଗୀ ଜବାର ସମୟ ଏଇଟା। ଚନ୍ଦ୍ରାର ଯିବାକୁ ଚାହିଁଲା ଟିକିଏ। ବାହାରେ ଆଜି ଭାରି ଗୁଳୁଗୁଳି। ଘର ଭିତରକୁ ପଶି ଗଲେ ଆରାମ। ୱେଟଟିସୁରେ ହାତ ପୋଛିଲା। ତା’ପରେ ଉଦ୍ଦିଷ୍ଟ ୱାସରୁମ୍ ରେ ଧୋଇହୋଇ ଲୁଗାପଟା ବଦଳାଇ ଆସିଲା। ପଢିନେଲା କାଗଜକୁ। ଜାଣିଗଲା କାମସବୁ। ନିର୍ଦ୍ଦିଷ୍ଟ କାମ ଶୃଙ୍ଖଳିତ ଭାବରେ କରିନେବାକୁ ପଡିବ।ତୀକ୍ଷ୍ଣ କ୍ୟାମେରାର ଆଖିରୁ ଲୁଚେନି କିଛି।ତଦନୁଯାୟୀ ସବୁକିଛି ହୁଏ ସମୟ ସହିତ ତାଳଦେଇ।
ଘୂରିଆସିଲା ବିଛଣାରେ ପଡିଥିବା ପ୍ରିୟ ମଣିଷଙ୍କ ପାଖରୁ। ଜୁଳୁଜୁଳୁ ଚାହିଁ ଶୋଇଚନ୍ତି। ଠିକ୍ ଅଛି, ରାନ୍ଧିବାପାଇଁ ପ୍ରସ୍ତୁତ ହେଲା ଏଥର।
ସ୍କ୍ରେପରରେ ଆଳୁ ଚାଞ୍ଛିଲା। ସତର୍କ ସେ ସଦା। ରେଡଲାଇଟ ଏରିଆର ଝିଅ। ଅଧିକ ଚିହ୍ନିପାରେ ମଣିଷଙ୍କୁ। ନରମ ଖେଚୁଡି ସହ ଦହିଆଳୁ ବନେଇବା ପାଇଁ ହାତ ଯେତିକି ଧାଉଁଥିଲା, ମନଟା ତା’ଠାରୁ ବେଗବାନ ଥିଲା। ଆଃ! ଗୁଆଘିଅର କି ବାସ୍ନା। ମାଆ ତାର ତରତରରେ ଏମିତି ରାନ୍ଧେ।ମାଆ …କିଏ ମ ତା’ର।ଯାହାକୁ ସେ ମାଆବୋଲି ଡାକୁଥିଲା ସେ ତ ବାଞ୍ଝଟିଏ। ପାଳିତା କନ୍ୟା ସେ। ତା’ ମାଆ, ବାପାର କୋଉ ଠିକଣା ଅଛି ଯେ। ଭାରି ଖରାପ ଲାଗେ ବେଳେବେଳେ ମନେପଡିଗଲେ। ଏକଲା ଲାଗେ। ନିଃସ୍ବ ଲାଗେ। ସାରା ପୃଥିବୀ, ଆକାଶ , ଗଛପତ୍ର ଝାପସା ଦିଶେ। ଅନ୍ଧାର ମାଡି ଆସେ ଦିନଦ୍ବିପ୍ରହରରେ। ଫେର ବୁଝାଏ ମନକୁ। ଏଇ ମାଆ ତ ପାଠ ପଢେଇଚି ତା’କୁ।ବେଶି ପ୍ରକାର ନହଲେବି ରାନ୍ଧିବାଢି ଖୁଆଇଚି। ଫ୍ରକଟେ କି, ଚକଲେଟଟେ ଦେଇଚି। ସବୁଠାରୁ ବଡକଥା ଆଶ୍ରୟ ଦେଇ ଆପଦରୁ ରକ୍ଷାକରିଚି। କେବେ ସାନ ଭାବିବାକୁ ଶିଖେଇନି। କିନ୍ତୁ ସେ ବସ୍ତିରେ ଥିଲାବେଳେ ଜବାକୁ ହୀନ ଲାଗେ ବହୁତ ସମୟରେ ।ବାକି ସମୟରେ ସେ ହୀନମନ୍ୟତାର ଶିକାର ହୁଏନି ।
ସତରେ ବି ତା’କୁ ଦେଖିଲେ ସଂସ୍କାରୀଝିଅଭଳି ଲାଗେ ,ଏଇ ମାଆ ପାଇଁ। ଭାରି ସୁନ୍ଦର କଣ୍ଠରେ ସେ ଭଜନ,ଜଣାଣ ଗାଏ ।ଛାନ୍ଦ ଚଉପଦୀ ବୋଲେ। ଭାଗବତ, ରାମାୟଣ ପଢେ। ମାଆର ସ୍ବର ଲଳିତମଧୁର , କେତେ କେତେ ଜଣାଣ ଝରେ ସେଥିରୁ କାଳିଆଙ୍କ ପାଇଁ, ମାଆ ଅମ୍ବିକାଙ୍କ ପାଇଁ ସକାଳ ସଞ୍ଜରେ। ଆଣ୍ଟିଙ୍କୁ ଖୁଆଇଲା ସମୟରେ ସେ ଗୀତ ବୋଲେ। ଗପ କହେ। ତାଙ୍କ ଆଖିରେ ଚମକ ଫେରି ଆସେ କି ଆଉ। ତା’ର ଏଇ ଗୀତ ଗାଇବା ଓ ଗପକହିବାର କଳା ପାଇଁ ଚାକିରୀ ହୋଇଛି। ଏଇଠୁ କାମସାରିଗଲେ ରାତି ଅପେକ୍ଷା କରିଥାଏ ତା’କୁ । ଦିନରେ ସୁକୁମାରୀ ଜବା ଆଉ ରାତିରେ ସେ ନୀଳନୟନା …। ରୁବି,ମିଠୁ , ଜୁଲି, ଝରା ଇତ୍ୟାଦିଙ୍କ ଠାରୁ ତା’ର ଚାହିଦା ଢେର ଅଧିକା। ହୁଁ, ଚେହେରା କଥା କୁହା ….।
ଲତପତ୍ ଖେଚୁଡି ହୋଇଗଲା। ଦ୍ବିପହର ଖାଇବାର ସମୟ ଆସିଗଲା। ବିଛଣା ପାଖକୁ ଗଲା। ଭାରି ମନୋଇ ଏ ମାଆଟି। ଦିନେ ଦିନେ ଭାରି ଭଲରେ ସାରିଦେବେ। ନହଲେ କଳରେ ଜାକି ଧରିଥିବେ। ଗୀତଗାଇଲା ଜବା,” ମାଆଗୋ ଉଠ ଏଥର, ଖାଇବ ଖେଚୁଡି ମୋ’ର..।” ସୁରଦେଇ ଗାଇଲା , ସତେ ଯେମିତି କଳାମାଣିକଙ୍କୁ ଯୋଶଦା ଡାକୁଚନ୍ତି, ‘ଆରେ ବାବୁ ଶ୍ୟାମଘନ..।’
ଚାମୁଚେ ଚାମୁଚେ ପାଟିରେ ଦେଲା ଖେଚୁଡିକୁ ଜବା। ସୁନାଝିଅ ଭଳି ଖାଇଲେ ଏଥର। ଟିକିଏ ଟିକିଏ ଗପ , କଥା ଶୁଣେଇ ଅଝଟିଆ ମାଆଙ୍କୁ ଖୁଅଉଥିଲା। ଇଏ ବି ଏକ ପର୍ବ। ପାଣି ପିଆଇ ମୁହଁ ପୋଛିଦେଲା। ଡାଇପର ବଦଳେଇ ଆଉଁସିଲା ବସି। ଆଖିରେ ଆଖିଏ ସ୍ବପ୍ନ ନିଜର, ସେସବୁ ସଞ୍ଚରିଯାଉଚି ଆଣ୍ଟିଙ୍କ ଆଡକୁ ଯେମିତି। ହୁଁ .. ହୁଁଉଁକା ବାଇଝାଲିଆ ଗୀତରେ ଗପ କହେ ଭଳି ଆଲୁରୁବାଲୁରୁ ମିଠାସ୍ବରର ଗୀତ ସହିତ କେରିକେରି ସ୍ବପ୍ନ ଫେଣ୍ଟିହୋଇଯାଉଥିଲା । ଆଖି ବନ୍ଦ କଲାପରେଯାଇ ସେ ଯିବ ଖାଇବାକୁ। ସଫାସଫି ହୋଇ ଖାଇନବ।ରୋଷେଇ ଘର ସଫାସୁତୁରା କରିବ। ଶୁଖିଯାଇଥାବା ଅଳ୍ପ କିଛି ଲୁଗାପଟାକୁ ଚଉତିନବ। ଦୌଡିବାକୁ ପଡିବ ସମୟ ସହ ତାଳ ଦେଇ।
ଜବାକୁ ଏ ଚାକିରି ପାଇଁ ପ୍ରଚୁର ଟଙ୍କା ମିଳୁଚି। କେଇଘଣ୍ଟାର କାମରେ ବହୁତ କିଛି ମିଳିଯାଉଚି। ସେସବୁକୁ ସେ ରଖୁଚି। ତା’ର ଏକାନ୍ତ ନିଜସ୍ବ ସମ୍ପତ୍ତି।
ବସ୍ତି ଜୀବନରୁ ମୁକ୍ତ ହେବାକୁ ଚାହୁଁଛି ଜବା। ପଚପଚିଆ ପାଣି। ଅସନା ଗନ୍ଧ। ଆଦୌ ଭଲ ଲାଗୁନଥିବା ଏକ ବିଚିତ୍ର ଜାଗା। କେହି ନିଜର ନୁହେଁ, ତଥାପି ନିଜର। ସମୂହରେ ପୁଣି ଏକକ ଜୀବନ। କେତେବେଳେ ମିଶାମିଶି,ହସାହସି ; କେତେବେଳେ ଈର୍ଷା। ଘେରି ରହିଥାଏ ଏକଥା ଅନବରତ। ଆହା , କି ବଢିଆ ଏ ଘରର ଜୀବନ ! ଏଇ ଆଣ୍ଟିଙ୍କୁ ମାଆ ବୋଲି ଭାବିନେଲେ କ୍ଷତି କ’ଣ ? କାମକୁ କାମ ହବ, ମନଟା ଭଲ ରହିବ। ଜୀବନତ କାମରେ ଭରା। ସମୟ ସୂତାରେଗୁନ୍ଥାମାଳଟିଏ …। ରଙ୍ଗ ବେରଙ୍ଗର ଫୁଲ ….। ବାଛିନେବ କି ଆଉ ମନ ପସନ୍ଦର ରଙ୍ଗ ସବୁକୁ….। ଛାଇଅନ୍ଧାରର ମିଶାମିଶି ସୁର। ନିଜର କରିବାକୁ ପଡିବ ପରମାନଙ୍କୁ, ଆଉ ଛାଡିଦେବାକୁ ପଡିବ ନିଜର ଲାଗୁଥିବା ସବୁକିଛିକୁ।
ଟିକ୍ ଟିକ୍ କରି କଣ୍ଟା ବୁଲୁଥିଲା। ଠିକଠିକ୍ କାମ ଚାଲୁଥିଲା। ରୁମଫ୍ରେସନାର ସ୍ପ୍ରେ କରିଦେଲା। ସୁନ୍ଦର ଭାବରେ ସଜାଯାଇଥିବା କାନ୍ଥରେ କାଚର ଛୋଟ ସେଲ୍ଫ। ସେଇଠି ତିଥି ଲଗେଇବ ଦୀପ। ଧୂପବତୀଟିଏ ଲଗାଏ ବୋଧହୁଏ। ଘରର ସବୁ ଦୁର୍ଗନ୍ଧ ଚାଲିଯାଉ ସେଇ ବାସ୍ନାରେ। ସକାରାତ୍ମକ ଭାବନା ପୂରିଯାଉ ଏ ଘରେ। ଖେଳିଯାଉ ଖୁସିର ଲହର। ଆଶାର, ସମ୍ଭାବନାର ମଞ୍ଜିଟିଏ ପୋତିଦେବ କି ସେ!
ସମୟ ସରୁଥିଲା। କିଛି ସମୟର ବିଶ୍ରାମପରେ ପୁଣି ମାଆଙ୍କୁ ଉଠେଇ ବସେଇଲା, ପଛ ପଟେ ତକିଆ ଢେରାଦେଇ।ଲୁଗା ବଦଳେଇଦେଲା।ପଣ୍ଡସ୍ ପାଉଡର ଲଗେଇବାକୁ ବାହାରକଲା। ଓଃ ସେ ବାସ୍ନା ତା’କୁ ବିମୋହିତ କରେ, ଉଚ୍ଚାଟିତ କରେ ।ଶୈଶବ ହାତଠାରେ।ମାଆ…ମାଆ ଗୋ …।ଲକ୍ସ ସାବୁନସହ ବି ଏମିତି ହୁଏ।ଆଜିକାଲି କାହିଁରେ କେତେ ବ୍ରାଣ୍ଡ୍। ଆଉ ଏମାନେ ସେଇ ଗୋଟିକରେ ବାନ୍ଧିଦିଅନ୍ତି ନିଜକୁ କାହିଁକି ଯେ…।
ନଇଁ ଯାଉଥିଲେ ସୂର୍ଯ୍ୟ। ଅକ୍ଟୋବର ମାସର ଶେଷଖରା ବାଲକୋନିର କାଚଦେଇ ଆସି ପାରୁନଥିଲା। ସଜାଡିନେଉଥିଲା ନିଜକୁ ଜବା। ‘ବାୟ’ କହି ଯିବାକୁହବ ସବୁଦିନ ପରି । ତିଥି ଆସିବା ଆଗରୁ ତା’ ପାଇଁ ଲେଖିଦେଲା ସବୁକିଛି ।ଏଥର ଫେରିବାକୁ ହବ ପୁଣି ଅନ୍ଧାରକୁ।ଯେଉଁସବୁକୁ ଘୃଣା ଲାଗେ ତାକୁଇ ପୁଣି ରସଗୋଲା କହି ଖାଇବାକୁ ପଡିବ। ମୁକୁଳି ପାରୁନି ନା ଜମା ସେଥିରୁ । ଡାହାଳ କୁକୁରଠାରୁ ଭୟଙ୍କର ଆଖି ସେମାନଙ୍କର। କୋଉଠି ଲୁଚାଇବ ନିଜକୁ । ନା , ଯେତେ ଇଚ୍ଛାକଲେ କ’ଣ ହବ , ସବୁ ଆଶା ତ ଆଉ ଫଳବତୀ ହେବନି। ଚେଷ୍ଟା କଲେ କ୍ଷତି ନାହିଁ କହିଲେ ଭୁଲ୍ ହବ। ସେ ସୌଭାଗ୍ଯ କାହିଁ ତା’ର ! ଫୁଟିଗଲେ କାହା ବାଲକୋନିରେ ଅସୁବିଧା ତ ନାହିଁ। ସୁନ୍ଦରିଆ ଗାମଲା କାହିଁ, କେଉଁଠି ଦିଶୁନି ତ।ଆଧାର ନଥିଲେ ଉଧେଇବ କେମିତି ?
ସବୁ ଅସମ୍ଭବ ସମ୍ଭବପର ହୁଏ ନିଜର ଅକ୍ଳାନ୍ତ ପ୍ରଚେଷ୍ଟା, ଗାଢ ଅନୁରକ୍ତି, ନିଷ୍ଠା, ଧୈର୍ଯ୍ୟ ଆଉ ନିଷ୍କପଟ ଭଲପାଇବା ଦ୍ବାରା ଏସବୁ ପରୀକ୍ଷା କରିବାକୁ ପଡିବ । ‘ବାବାରେ ବାବା ‘ ନିଜକୁ ନିଜେ କହିଲା ଧିରେ ଅନାସକ୍ତଭାବରେ। ସମୟ କହିଲାଣି ବାହାରି ଯାଆ। ଏଇଠି ଆଉ ମିନିଟିଏ ରହି ହବନି। କୁଳୁକୁଳୁ ଗୀତର ଲହର ଭାସିଆସିପାରେ କଲିଂବେଲ୍ରୁ। କବାଟ ଠକ୍ ଠକ୍ ଶବ୍ଦ ବି ହୋଇପାରେ। ଅନେଇ ଦେଲା ମାଆଙ୍କୁ ,ସେ ଭଲରେ ଅଛନ୍ତି । ହସିକି ହାତ ହଲେଇ ବାହାରିଗଲା କବାଟ ଖୋଲି। ସିକିଓରିଟି ଗାର୍ଡପାଖରେ ଖାତାରେ ଦସ୍ତଖତ ସହ ସମସ୍ତ କାମ ସାରିଦେଲା। ତିଥି ଯାଇଥିବ ଲିଫ୍ଟରେ ବୋଲି ଭାବିନେଲା। ଆଜି ଆଉ ଦେଖାହେଲାନି ତା’ ସହ। ଠିକ୍ ଅଛି ସନ୍ଧ୍ୟା ହବ ଏବେ । ଟାଉନ ବସ୍ ଧରି ପହଞ୍ଚିବାକୁ ହବ ଯେ ପୁଣି । ତରତର ନ ହେଲେ ବି ଆଗେଇଲା ନିଃଶ୍ବାସ ନେଇ ।
( କ୍ରମଶଃ )
Comments are closed.