Latest Odisha News

BREAKING NEWS

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଆଜି ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ସେବାୟତଙ୍କ ପରିବାର ସଦସ୍ୟ ଯେକୌଣସି ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିପାରୁଛନ୍ତି । ଏଥିପାଇଁ ନିଜ ଆଧାର କାର୍ଡ, ଭୋଟର କାର୍ଡ କିମ୍ବା ମନ୍ଦିର ପ୍ରଶାସନ ଯୋଗାଇ ଦେଇଥିବା ହେଲଥ କାର୍ଡ ଦେଖାଇ ସେମାନେ ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଛନ୍ତି ।

ତେବେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବେ । ଏହାପରେ ଆସନ୍ତା ୧୬ ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ସେମାନେ ୨୦ ତାରିଖ ଯାଏ ଓ୍ୱାର୍ଡ ଓ୍ୱାରୀ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ଯାଇପାରିବେ । ସିଂହଦ୍ୱାର ବ୍ୟାରିକେଡ୍‌ ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପୁରୀ ସହର ବାହାର ଲୋକ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଲେ ସାଙ୍ଗରେ ୯୬ ଘଣ୍ଟାର ପୂର୍ବର କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର କିମ୍ୱା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ ।

ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ଯାଏ ଜାରି ରହିବ ଦର୍ଶନ । ସପ୍ତାହାନ୍ତ ସଟଡାଉନ୍ ଯୋଗୁ ଶନିବାର ଓ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସେହିଭଳି ଗଣେଶ ପୂଜା, ଜନ୍ମାଷ୍ଟମୀ ଭଳି ପର୍ବପର୍ବାଣୀରେ ମଧ୍ୟ କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ଶ୍ରୀମନ୍ଦିର ବନ୍ଦ ରହିବ ।

Leave A Reply

Your email address will not be published.