ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪
ସ୍ବରକୁ କମେଇ କଥା ହୋଇପାରେନା ବୋଲି ନିଜକୁ ନିଜେ ବିରକ୍ତ ହୁଏ ତିଥି। ଚାବି ଘୂରେଇ କବାଟଖୋଲି ପଶିଲା। ଟେବୁଲ ଉପରକାଗଜକୁ ପଢିନେଲା ହାତ,ମୁହଁ ପୋଛୁପୋଛୁ। କାଢିଲା ତା’ର ବ୍ରେସଲେଟ, ବଡ ବଡ ଝୁଲାକାନଫୁଲ, ହାର …ଏସବୁ ଗଲାବେଳକୁ ପିନ୍ଧିନବ ପୁଣିଥରେ। ଅଲୋଡା ଏବେ , ପଡିଥାଉ ସେସବୁ ମୁହଁମାଡି କିଛି ସମୟ । ଲୁଗାପଟା ବଦଳାଇବାକୁ କଡା ନିର୍ଦ୍ଦେଶ। ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡେ ଏଇଠି। ସବୁସାରି ପଶିଲା ଆଣ୍ଟିଙ୍କ ରୁମରେ। ‘ଗୁଡ ଇଭନିଂ’ କହି ଅଭିବାଦନ କଲା, ଉତ୍ତର ଆସିବନି ଜାଣି ମଧ୍ୟ। ଏସବୁ ଡକ୍ଟର ଆଣ୍ଟି କହିଛନ୍ତି ମୂଳରୁ। ସନ୍ଧ୍ୟା ଆସନ୍ନ। ଦୀପ ଲଗେଇ ‘ଦୀପଂଜ୍ୟୋତି ପରଂବ୍ରହ୍ମ’..ଗାଇଲା। ଘାଗଡା ସ୍ବରଟା ତା’ର। ହସମିଶା ରାଗ ଆସେ। କଣ୍ଠଟା ଖଣ୍ଡେ ପାଇଚି ତ , ଆଉ । ଏ ଘରର ମଙ୍ଗଳ ହେଉ।ସୁଖମୟ ହେଉ ଆସୁଥିବା ସମୟ। ଲୋକାଃ ସମସ୍ତା ସୁଖିନଃ ଭବନ୍ତୁ….। ‘ବସୁଧୈବ କୁଟୁମ୍ବକମ୍’ ତାର ଏକମାତ୍ର ଭାବନା।ସେଇଲାଗି କମ୍ ହଇରାଣ ହୁଏନି ତ ସିଏ ।କିଏ କେତେ ଠକନ୍ତି, ବିଶ୍ବାସରେ ବିଷ ଦିଅନ୍ତି। ତଥାପି ସେହି ବୈଦିକ ଚିନ୍ତାଧାରାକୁ ଜାବୁଡି ଧରିଥାଏ।ସମସ୍ତେ ନିଜର, ସବୁକିଛି ଭଲ, ଏକଥା ପଢଉଥାଏ ନିଜକୁ। କର୍ପୂର ଆଳତି କରେ ଶୂନ୍ୟକୁ। ମହାଶୂନ୍ୟରେ ମହାପ୍ରଭୁ ବିଜେ। ନିରାକାର ବ୍ରହ୍ମ।
ଏଥର ଯିବ ତାଙ୍କ ପାଖକୁ। ପ୍ରିୟ ମାଆଙ୍କ ପାଖକୁ। ଆଗରୁ ବସେଇଥିଲେ ହୋଇ ଥାଆନ୍ତା ତକିଆ ଦେଇ। ହାତଧରି ଜୁହାର ମୁଦ୍ରା ଆଙ୍କିନବ।ଓଁ ତ୍ରୈୟମ୍ବକମ ଯଜାମହେ, ଶହେଆଠଥର ଜପିବ। ଦିନେ ଦିନେ ମାର୍କଣ୍ଡେୟକୃତ ମହାମୃତ୍ୟୂଞ୍ଜୟ ଜପେ। ଡେରିହୁଏ ସେଦିନ ସବୁକାମ। ହାତଧରି ଅଳ୍ପ ଅଳ୍ପ ବ୍ୟାୟାମ କରିବାକୁ ପଡେ ମାଆଙ୍କର ମନ୍ତ୍ର ଉଚ୍ଚାରଣ ସହିତ। ତେଲ କିମ୍ବା ମଏଶ୍ଚରାଇଜରରେ ମାଲିସ କରେ। ଟିକିଏ ଛାଡି ପୋଛି ଲୁଗାବଦଳାଇ ସାରିଲେ,ହର୍ଲିକ୍ସ କି ବର୍ଣ୍ଣଭିଟା ବଡ କଷ୍ଟରେ ପିଆଏ। କଫି ଦେଲେ କି ସୁନ୍ଦର ପିଅନ୍ତି ସେ ।ଭାରି କଷ୍ଟ ଲାଗେ ଏଇ ମାଉସୀ ପାଇଁ। ମାଆ ତ …ମାଉସୀ, ଆଣ୍ଟି କଣ ମ ? ପରିସ୍ଥିତି ଦିନେ ଦିନେ ଅଣାୟତ୍ତ ହୁଏ । ତିଥି ବିଚଳିତ ହୁଏ। ଜଗନ୍ନାଥଙ୍କୁ ଡାକେ। ଆଶୁତୋଷଙ୍କୁ ଗୁହାରୀ କରେ ଭଲରେ ରଖ ଏ ଅସହାୟ ମାଆଙ୍କୁ। ଡାକ୍ତର ଆଣ୍ଟିଙ୍କ ନମ୍ବର ଅଛି। ଅସୁବିଧା ହେଲେ ତତକ୍ଷଣାତ ଫୋନ କରି ଜଣେଇବାକୁ ନିର୍ଦ୍ଦେଶ ଆରମ୍ଭରୁ ରହିଛି।
ସବୁ ଭାବନା ଭିତରେ କାମ ଆଗକୁ ଆଗେଇ ଚାଲିଛି। ଆଜି ଜନ୍ତା ରୋଟି ସହ କ୍ଷୀରଗାଢାକରି ଦବ। ଦୁଇଚେକା ବାଇଗଣ ଭାଜିବ। ନରମ ଖାଦ୍ୟ ଭଲ ତାଙ୍କ ପାଇଁ। ମନ ନ ହେଲେ କଳରେ ଧରି ବସି ରହିବେ ଯେ। ଚକୁଳି ଭଲ ପାଆନ୍ତି ବୋଲି ଲାଗେ। ସବୁ ଡାଲି ପକେଇ ଚିଲ୍ଲା କଲେ ଖାଆନ୍ତି। ବାର ଅନୁସାରେ, ପର୍ବ ଅନୁସାରେ ସବୁ ହୁଏ ଏ ଘରେ। ଲେଖାହୋଇ ଟଙ୍ଗାଯାଇଥିବା ଅନୁସାରେ ରାନ୍ଧିବା କଥା ଯାହା। ତିନିଜଣଙ୍କ ପାଇଁ କରିବ ସେ। ଅମୃତା ରାତିରେ ଏଇଠି ଖାଏ। ବଦରାଗୀ ଲାଗେ ଝିଅଟି । ଟିକିଏ ଏପଟ ସେପଟ ହେଲେ କମ୍ପଲେନ କରିଦବ। ଆଉ ତାଗିଦା ଆସିବ ଖାମରେ । ଟିକିଏ ତେଲ ଅଧିକ ହେଲେ କଡାକଥା ଶୁଣିବାକୁ ପଡେ କାଗଜରେ , ସୁନ୍ଦର ଲଫାପା ଭିତରେ । ନହଲେ ତ କିଛି ଅସୁବିଧା ନାହିଁ। ଜଣେ ନୀରବ ,ଆଉ ନିଜେ କଣ ନିଜକୁ କହିବ କି କିଛି …. । ସେ ଝିଅକୁ କିନ୍ତୁ ଡରଲାଗେ।
ତିଥି ପାଇଁ ନିୟମ କୋହଳ। ସେ ତା’ ଇଚ୍ଛାରେ ଖାଇପାରେ,ନଖାଇପାରେ। ସେ ରାନ୍ଧିବାକୁ, ଖୁଆଇବାକୁ ବହୁତ ଭଲପାଏ। ଭଲପାଏ ସଜେଇ ହେବାକୁ। ମାଆର ଯୋଉ ସପୋର୍ଟ ଆଉ ବାପାଙ୍କ ନୀତି ନିୟମ ତାକୁ ବଞ୍ଚେଇ ରଖିଚି, ଜୀବନର ଦିଗ ବଦଳେଇଚି ,ମଣିଷ ପରି ମଣିଷ କରିଚି।
ବଢୁଥିଲା ରାତି। ଲ୍ୟାପିରେ ଟିକିଏ ଆଙ୍ଗୁଠି ଚାଳନାକଲେ ମସ୍ତିଷ୍କ ଚାଳନା ବି ହଉଥିବ କି କଣ…।ଡାକ୍ତର ଆଣ୍ଟିଙ୍କ କଥା ମନେପଡୁଥିଲା । ମାଆ ଏ କାମ ଭଲ ପାଉନଥିଲେ ବୋଲି ଲାଗୁଥିଲା କାହିଁକି କେଜାଣି। ହାତ ଧରି ଟିକିଏ ଖେଳାଇବା ସମୟରେ ସେ ଆଦୌ ଉତ୍ସାହିତ ହୁଅନ୍ତିନି। ବରଂ ଘାଗଡା ସ୍ବରରେ ଯାହା କିଛି ବୋଲେ ସେଥିରେ ଆଖି ଡୋଳା ଏପଟ ସେପଟ ହୁଏ, କିଛି ଖୋଜିହେଲାଭଳି ମନେହୁଏ। ପାଣି ଠିକ୍ ସମୟରେ ଟିକିଏ ଟିକିଏ କରି ପିଇବାକୁ ଦିଏ। ଔଷଧପତ୍ର ସହ ନିୟମିତଭାବେ କରିବାକୁ ପଡେ ସବୁ।ଏସବୁରେ ଢିଲା ଦେଇହୁଏନି।
ତିଥି ଠକାଏନି। ଆଦରରେ କରେ । ଦାୟିତ୍ୱ ନେଇଚି ମାନେ ଶହେରୁ ଶହେ କରିବ ହିଁ କରିବ। ପ୍ରଥମ ଦିନରୁ ତା’କୁ ଶ୍ଳୋକ, ମନ୍ତ୍ର ସହିତ ରାନ୍ଧି ଖୁଆଇବା ପାଇଁ ଚାକିରି ମିଳିଚି ବୋଲି କହି ଦିଆଯାଇଥିଲା। ସେଥିରେ ସମ୍ମତି ଦେଇଥିଲା ସେ। ସୌଭାଗ୍ଯ ତା’ର । ଜଣେ ମଣିଷ ପାଇଁ ଆଉଜଣେ ମଣିଷର ସ୍ବତଃପ୍ରବୃତ୍ତ ସେବା। ସମ୍ପର୍କ ତ ୟାକୁ କହନ୍ତି। ରକ୍ତ ନୁହେଁ ଭାବର , ନିଚ୍ଛକ ପ୍ରେମର, ଅକପଟ ଶ୍ରଦ୍ଧାର ନିବିଡ ସମ୍ପର୍କ । ଶୈଶବରୁ ପ୍ରେରିତ ସେ ଏସବୁ ପାଇଁ। ଆଦ୍ୟ ଉତ୍ସ ତା’ ଘରର ବୟସ୍କ, ବୟସ୍କାମାନେ । ରନ୍ଧାରନ୍ଧିର ବୀଜମନ୍ତ୍ର ସେଇଠୁ। ଶ୍ଳୋକ, ମନ୍ତ୍ରର ଉଚ୍ଚାରଣ ସେମାନଙ୍କ ପାଖରୁ।ନଡିଆ ଷଢେଇରେ ବାଲି ,ଗୋଡି,ପତ୍ର ପକେଇ ରାନ୍ଧୁଥିଲା ବୋଲି ପରବର୍ତ୍ତୀ ଜୀବନରେ ଜୀବିକା କରିନେଲା ତା’କୁ। କେଡେ ଖଞ୍ଜରେ ତୁମେ ଶିଖାଅ, ହେ ପ୍ରଭୁ! କେଡେ ବାଗରେ କରେଇନିଅ କାମ ! ଦିନେ ଯିଏ ଜୀବନାହୂତି ଦେଉଥିଲା, ହାରିବାର ଗ୍ଳାନିରେ ଆତ୍ମାହୂତିକୁ ସ୍ବୀକାରି ନେଉଥିଲା, ଆଜି ସେ …..ହାଃ ହାଃ ହାଃ… ଆଣ୍ଟି ତୁମେ ଧନ୍ୟ, ତୁମକୁ ପାଇ ମୁଁ ଧନ୍ୟ ।
ଏ ଘରେ ତ ଅନେକ ବାରଣ। ଅନେକ ଶୃଙ୍ଖଳା। ଅନେକ ମିଠା ଆକଟ। ତିଥିର ପରୱା ନାହିଁ ସେଥିକୁ। ମାଆଲାଗି କାମ । ବଡ ମଜା ମ। ଜୀବନ ରାସ୍ତାରେ ଭେଟହୋଇଚି ତ କରିନେବ ଆଦରରେ କିଛି କାମ। ଦୌଡିଲା ମାଆ ପାଖକୁ। ବଲବଲ ଅନେଇଚନ୍ତି। ଶୁଣିଦେଲେ କି ତା’ କଥା…। ପଢିଦେଲେ କି ମନ ତଳର ବ୍ୟଥା…। ନା’ ମ, ଜମା ନୁହେଁ । ବଡ କଷ୍ଟ ଲାଗେ ଅସହାୟତା ତାଙ୍କର। ଟିକିଏ ଗପ କରନ୍ତେ କି….। ନା ସେ ଚୁପ୍ । କେଜାଣି କୋଉ ରାଜ୍ୟରେ ଥାଆନ୍ତି । ତିଥି ବି କୋଉ କମ୍। ପରୀ ରାଇଜକୁ ଉଡେ ମନପବନ ଘୋଡାରେ। ଦିଗ ବିଦିଗ ଘୂରିଆସେ ନିମିଷକେ ଡେଣାହଲେଇ।
ଆଚାର୍ଯ୍ୟ ଘରର ମଣିଷ ତିଥି। ରାନ୍ଧିବା, ଖୁଏଇବା, ଖାଇବା ଆଉ ଶ୍ଳୋକ ମନ୍ତ୍ର ବୋଲିବା, ଭଜନ ,ଜଣାଣ , ଛାନ୍ଦ , ଚମ୍ପୂ ଗାଇବା ସହ କବୀର, ନାନକ ଦୋହା, ଦୁର୍ଗା ସ୍ତୁତି, ରକ୍ଷା କବଚ, ଶିବତାଣ୍ଡବ, ନର୍ମଦାଷ୍ଟକ, ଅପରାଜିତା କି ଭବାନୀଶଙ୍କରଙ୍କ ‘ନବ ଶକ୍ତି ବନେ ରମ୍ୟା ଧ୍ୟାୟଦେବଂ ଉମାପତିଂ’….ସବୁ ସେ ଜାଣିଚି। ଏକ ଆଧ୍ୟାତ୍ମିକ ପରିବେଶରୁ ସେ ଆସିଚି। ଜୀବନର କଥା ସେଇଠୁ ସେ ପାଇଚି। ଭଙ୍ଗା ମନକୁ ଗଢିବାର ଉପାୟ ଶିଖିଚି ସେଇଠୁ। ମାନବିକତାର ଜୟଗାନ ସେଇଠୁ ଜାଣିଚି। ଗୀତା, ଭାଗବତରୁ ଗୂଢତତ୍ତ୍ବ ନେଇ ଜୀବନର ଚଲାପଥରେ ଅନୁସରଣ କରେ। ଅନେକ ସମୟରେ ଢଗଢମାଳି ଭଳି ସେସବୁକୁ ଗାଇଗାଇ କାମ କରେ ମନଖୁସିରେ । ପ୍ରିୟ ମଣିଷ ଏଇ ମାଆଙ୍କୁ ଶୁଣାଏ ସେସବୁ । ଏ ଘରର ପବନରେ ତା’ ସ୍ବର ଅନୁରଣିତ ହୁଏ। ମନ୍ତ୍ର ସ୍ନାନ କରେ ସେ ସମୟରେ ଘର।
ଅତୀତକୁ …ଗାଢ ଅନ୍ଧାରକୁ ପାଶୋରି ଆଗେଇବା କଥା। ଅତୀତ କିନ୍ତୁ, ଟାଣିଧରେ ସବୁବେଳେ, ପଛକୁ ଫେରିବାକୁ ପଡେ । ସପ୍ତଫେଣିର ତୀକ୍ଷ୍ଣ ମୁନିଆଁ କଣ୍ଟାଭଳି ଟକ ଟାକ୍ ଫୁଟିଯାଏ। ରକ୍ତାକ୍ତ କ୍ଷତାକ୍ତ ହୁଏ ମନ । ନା ଦୁର୍ବଳତାକୁ ପ୍ରଶ୍ରୟ ଦେବନି ଆଉ ତିଥି। ଭଙ୍ଗା ଦେହ ମନ ପାଇଁ ସବୁଠୁ ଭଲ ଉପଚାର ‘ଗୀତା’ କି ‘ଯୋଗୀର ଆତ୍ମକଥା’ ପଢିବା। ଭାଗବତ ,ରାମାୟଣ , ମହାଭାରତ ପଢେ ସେ । ଏଇସବୁ ବଞ୍ଚିବାକୁ ପ୍ରେରଣା ଦିଏ। ଆଗେଇଯାଏ ସମୟ।
ଆଜି ସୁନାଝିଅ ଭଳି ମାଆ ମୋ’ର ଖାଇଦେଲେ ଲୋ , ନିଜେ ନିଜେ କହି ହେଲା ତିଥି।। ଔଷଧପତ୍ର ସହ ସବୁକାମ ଭଲରେ ସରିଲା ତା’ର। ଅଣ୍ଟାଯାଏଁ ହାଲୁକା ଦହୋଡକୁ ପକେଇଲା ମାଆଙ୍କ ଉପରେ ଏଥର। ‘ଗୁଡନାଇଟ୍, ସି ୟୁ ଟୁମରୋ ‘ କହି କବାଟ ଆଉଜେଇ ଆଣିଲା। ବଡ ବଲବ୍କୁ ବନ୍ଦକରି ନୀଳ ଆଲୋକ ବିଛାଡିଦେଲା। ଝାପସା ହୋଇଗଲା ଶୋଇବା ଜାଗା ।
ରୁମଫ୍ରେସନର ମାରିଲା ହଲରେ ତିଥି। ଗଳେଇ ନେଲା ନିଜର ଖୋଳପାକୁ । କାନଫୁଲ, ବ୍ରେସଲେଟ ରଖି ନେଲା ବ୍ୟାଗରେ। ଆଉ ଏବେ ମନ ନାହିଁ ପିନ୍ଧିବାକୁ। ଚଟାପଟ୍ କବାଟ ଟାଣି ପାଦ ବାହାରେ ରଖିଲା। ଟିକିଏ ଯାଇଛି କି ନାହିଁ ଅମୃତା ସହ ଦେଖାହୋଇଗଲା।ଯଦିଓ ଦିହେଁ ଭଲଭାବରେ ଢାଙ୍କି ହୋଇଛନ୍ତି ତଥାପି ଚିହ୍ନିବାରେ ଟିକିଏ ଅସୁବିଧା ନାହିଁ ସୁନ୍ଦରୀ ଅମୃତାକୁ। ଯତସାମାନ୍ୟ ଅଭିବାଦନ ପରେ ଯିଏ ଯାହାର ବାଟ ଧରିଲେ। ତରତର ହେଲା ତିଥି, କାରଣ, ସେତେବେଳକୁ ସେ କ୍ୟାବ ବୁକ୍ କରିସାରିଥିଲା ।
Comments are closed.