Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯

ସମୟ କହିଲା, ଭାତ ଖାଇବା ବେଳ ହେଲା। ଭାତ,ଡାଲି,ଆଳୁ ଚଟଣିକୁ ପ୍ଲେଟରେ ରଖି, ଦହି, କଳାଲୁଣ, ଗୋଲମରିଚ ଗୁଣ୍ଡପକେଇ ଗିନାରେ ଚାମଚ ରଖିଲା। ଏଥରେ ଯୋଶଦା ମାଆ ଆଉ ନନ୍ଦଲାଲ କହ୍ନେଇର ଗାଥା ଦୋହରେଇ ଜବାର ଅସଲ ପରୀକ୍ଷାର ବେଳ ଆସିଗଲା।ଚନ୍ଦ୍ରା ଲେଖି ଦେଇଯାଇଚି ସେବାଯତ୍ନ ଅଧିକ ନେବାପାଇଁ। ଯଦି ସେଇଥିରେ ଏ ମାଆ ଠିକ୍ ହୋଇଯିବେ …. ‘କାହ୍ନୁ ବାବା ସାହା ହୁଅ’ , ବାହାରିଗଲା ପାଟିରୁ।

ଉଠେଇକି ବସେଇଲା ଜବା ମାଆଙ୍କୁ। ପାଟିରେ ଟିକିଏ ଟିକିଏ ଦେଇ ଚୋବେଇବାକୁ କହେ, ସେ ତ ମନୋଇ ଝିଅ। ମନ ହେଲେ ଖାଇବେ ନହଲେ ସେମିତି କଳରେ ଯାକି ବସିଥିବେ। ଧୈର୍ଯ୍ୟ ପରୀକ୍ଷା କରନ୍ତି ଦିନେ ଦିନେ ଭଗବାନ। ନିର୍ଦ୍ଦିଷ୍ଟ ପରିମାଣରୁ କମ୍ ଖାଇଲେ ଔଷଧ କେମିତି ଦବ ଯେ… । ଡର ଲାଗେ। କାମ ଠିକ୍ ନ ହେଲେ କଟିଯିବ କିଛି ଟଙ୍କା। ସେସବୁ ତା’ର ନିଜସ୍ବ। ସେ ଭାଗ ଦିଏ ନା ଏଥିରୁ କାହାକୁ। ତା’ ଏ. ଟି. ଏମ୍ .ତା’ର କେବଳ। କାର୍ଡ ପେମେଣ୍ଟ କରେ। ଇ-ବ୍ୟାଙ୍କିଙ୍ଗ ଜରିଆରେ କରେ ଅନେକ କିଛି। ସଞ୍ଚୟ କରୁଚି ।
ସ୍ବପ୍ନ ଯଦି ସତ ହୁଏ, ସେ ମୁକୁଳି ଆସିବ ନାଲି ରଙ୍ଗରୁ । ସବୁଜ ତା’ର ପ୍ରିୟ ରଙ୍ଗ। ନୀଳ ନିଶା ଘାରେ ବହୁସମୟରେ। ସତ ହୋଇଯାଉ ସ୍ବପ୍ନ। ସେ ଠେକୁଆ ହୋଇ ନରମ ଘାସଗାଲିଚାରେ ଧିରେ ଧିରେ ଚାଲିବ। ମାଛରଙ୍କା ହୋଇ ପାଣିକୂଳରେ ଗଛ ଉପରେ ବସିବ। ଆକାଶରେ ଉଡିବ ଚାତକ ହୋଇ। ନୀଳ ସମୁଦ୍ରରେ ଶଙ୍ଖ ହୋଇ ଖେଳିବ ବାଲି ଉପରେ ଗଭୀର ଜଳରେ ।

ଉଃ ….ଶଙ୍ଖ …..ଶଙ୍ଖ ବୋଲି ସାନ ବେଳୁ ସାଙ୍ଗଟିକୁ କିଏ ରକ୍ତାକ୍ତ କରିଦେଲା ଦିନେ। ଆଉ ତା’ ଭଉଣୀ ଫୁଲ ଟଙ୍ଗେଇଦେଲା ନିଜକୁ ସେଇଦିନ ପଙ୍ଖାରେ। କେଜାଣି କ’ଣ ହୋଇଥିଲା ଦୁହିଁଙ୍କର। କିଏ କାହା କଥା ଦେଖିଦେଲାକି …କିଛି ପ୍ରଘଟ ହୋଇଯିବା ଭୟ ଘାରିଲା କି…। କେଜାଣି। ଚାଚା ବିଡ୍ ବିଡ୍ ହୁଏ। ଝାମେଲା ବହୁତ ହୋଇଥିଲା ସେ ଘଟଣା ପାଇଁ । ପୁଳାଏ ପଇସା ଖର୍ଚ୍ଚ ହେଲା ନା ଦିଦିର ବେକାରଟାରେ । ଜୀବନ ଥିଲେ ଜଣେ ଫୁଟି ସୁବାସିତ କରିଥାଆନ୍ତା ଆଉଜଣେ ବାଜି ଥାଆନ୍ତା କେଡେ ସୁନ୍ଦର ପର୍ବପର୍ବାଣୀରେ। ଫୁଲ ଆଉ ଶଙ୍ଖ ଯୋଡିକ ଯାକ ନାମ ବହୁତ ଭଲ ଲାଗେ। ବହୁତ ଭଲ ସାଙ୍ଗ ଥିଲା ଶଙ୍ଖ। ଫୁଲ ଅଳ୍ପ ବଡ ଥିଲା। ଶୁଖିଲାଟାରେ ଦୁଇଦୁଇଟା ଜୀବନ ଗଲା। ମନେ ପଡିଗଲେ ଦେହ ଶିରଶିରେଇ ଯାଏ। ବେକାରିଆ ସବୁ….। ଜୀବନ ଚାଲିଗଲେ ସବୁ ସମାଧାନ ହୋଇଯାଏ କି…କେଜାଣି ?

ଖାଇ ଦିଅ ଗୋ ଏଥର ମାଆ….ଭୋକ କଲାଣି। ସକାଳର ଚୁଡା ଉପମା ସରିଗଲାଣି ମୋ’ର। ହସିଲା ଜବା। ତା’ ବେହେଡା ଦାନ୍ତକୁ ଗାଲର ଭଉଁରୀ ଭାରି ମାନେ । ଏଥର ଚୋବେଇଲେ ଧିରେ। ଖୁଆଉ ଖୁଆଉ ଅନ୍ୟମନସ୍କ ପାଇଁ ସେ ବୋଧହୁଏ ଢିଲା ହୋଇଯାଇଥିଲେ। ତାଙ୍କ ପ୍ରିୟ ଜିନିଷ ଏସବୁ। ‘ ଆଉ ଟିକିଏ ଖୋଲ ପାଟି’ , କହି ଆଉ ଟିକିଏ ଦେଲା । ମନ ଦେଇ ଖୁଆଇଲା । ଏଇଠି ସରିଲେ ଔଷଧ ,ପାଣି , ମୁହଁ ପୋଛା ,ତାପରେ ଯାଇ ସେ ଖାଇବ। କିଚେନ ସଫା, ୱାସରୁମ୍ ସଫା ସହିତ ଶୁଖିଥିବା ଲୁଗା ,ତଉଲିଆକୁ ଚଉତି ନବ। ମଝିରେ ଆସି ଆଣ୍ଟିଙ୍କୁ ଶୁଆଇଦବ। କେତେ ବସିବେ ସେ। ହାତ ଧରି ଚାଲୁଥିଲେ ନୂଆ ନୂଆ କାମ କଲା ସମୟରେ। କ’ଣ ହେଲା କେଜାଣି ମନାହେଲା ପରେ ସେସବୁ। ଭଲ ହୋଇଯାଆନ୍ତୁ ସେ ।ନିଜ ମାଆକୁ ଦେଖିନି କେବେ। ଯିଏ ଅଛି ସିଏ ବହୁତ ଶ୍ରଦ୍ଧା କରେ। କିନ୍ତୁ, ଅନେକ ସମୟରେ ସେ ନିସ୍ପୃହ ସବୁକଥାରେ। ଏଇ ମାଆଙ୍କୁ ସେବା କରି ଆରଜନ୍ମକୁ ମାଆ ମିଳିବ ବୋଲି ଆଶା ରଖୁଛି ।

ଏଇଠି ରହିବାକୁ ଚାହେଁ ଜବା। କିଏ ଶୁଣିବ ସେ କଥା। ଅନ୍ଧାର ଆଡକୁ ଠେଲିହୋଇ ଯିବାକୁ ଟିକିଏ ମନ ନାହିଁ। ମନ ଥାଉ କି ନଥାଉ କର ସବୁକିଛି। ନିଜ ମନ ଉପରେ ବି ନିଜର ଅଧିକାର ନାହିଁ। ଆଙ୍ଗୁଳି ଦେଖେଇ ଯେମିତି କହିବ ସେମିତି ହବ। ଇଏ କ’ଣ ମ ….। କାହିଁକି …ସମସ୍ତଙ୍କର ସବୁ ନିଜର , ଖାଲି ଜବା, ଶେଲି, ରୁବିମାନଙ୍କର କିଛି ବୋଲି କିଛି ନିଜର ନାହିଁ। ବିଜ୍ଞାନର ଯୁଗ। ସମାନତାର ଗପ। ସବୁ ମିଛ… ମିଛ …ମିଛ …. ତୁଚ୍ଛା ମିଛ।

ପୂରା ଦମରେ କରିଗଲା ସବୁ କାମ ଠିକ୍ ଭାବରେ। ନିତିଦିନିଆ କଥା। ମନ ବୋଲ ନ ମାନିଲେ ବି କାମ ହୁଏ ଠିକ୍ ଭାବରେ। ବେଳେ ବେଳେ ଆଙ୍ଗୁଳି କଟେ, ଧକ୍କା ଖାଏ କାନ୍ଥରେ ତଥାପି ମଜାଲାଗେ। ଏଇତ ସ୍ବର୍ଗ। ଆଉ ସେ କିଟିକିଟି ଅନ୍ଧାର , ପଚପଚିଆ ପାଣି, ଉସୁମୁଳିଆ ଗନ୍ଧ ….ଉଁହୁଁ ନିସ୍ତାର କର ହେ କେହି। ଦୁର୍ଗା ମାଆ ପରା ମହିଷମର୍ଦ୍ଦିନୀ, ଆଉ କେତେ କେତେ ଅସୁର ଏବେ ଯୋଉଠି ସେଇଠି। ସୁଯୋଗ ପାଇଲେ ପାନ କି ଚକଲେଟ୍ ପରି ପାଟିରେ ପକେଇଦେବେ । ଜଣେ ଜଣେ ଶୋଷିନେବେ କୋଲ୍ଡଡ୍ରିଙ୍କସ୍ ପରି। ନିତିପ୍ରତି କଥା ଇଏ। କିଛି ତ କରିବାକୁ ହବ।ମୁକ୍ତ ହେବ ସେ। ନିଜେହିଁ ନିଜକୁ ଉଦ୍ଧାର କରିବ । ବାଟ ତିଆରିବ।

ଖୋଳପା ଭିତରେ ପଶିଯିବକି ଆଉ ଜବା। କାମ ସରିଲା । ଏ ସ୍ବର୍ଗରୁ ସେ ଅପସରି ଯିବ ଏଥର। ପୁଣି ଆସିବ, ନୂଆ ମନନେଇ। ନିଶ୍ଚୁପ ହୋଇ ପଡିଥିବା ଭଲ ମଣିଷଙ୍କୁ କହିଦେଲା, ‘କାଲି ଦେଖାହେବ ଗୋ ଆମର ।’

ତରତର ହେଲା ଅନିଚ୍ଛାସତ୍ତ୍ବେ। କାଲିର ପ୍ରତିଶ୍ରୁତି ମିଳି ଯାଇଚି ମନକୁ ମନ। କବାଟ ଟାଣି ବାହାରେ ପାଦ ରଖିଲା । ସାମିଲ ହେବାକୁ ପଡିବ ନାଲି ରଙ୍ଗରେ। ମିଶି ଯିବ , ଏକବାରେ ମିଶିଯିବ।

Comments are closed.