Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬

ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ ଲୁଚି ରୁହନ୍ତି। ଏହି ସମୟରେ ଏକ ସମୂହ ମାଛଧରା ବା ସାରାମରା ହୁଏ।

ଆଖପାଖ ଅଞ୍ଚଳର ପ୍ରାୟ ସବୁ ଗ୍ରାମର ସ୍ତ୍ରୀ – ପୁରୁଷ ନିର୍ବିଶେଷରେ ନିଜ ନିଜର ଖାଡ଼ି ଜାଲ,ନଖା ଜାଲ, ଖିଅଜାଲ ଫୋପଡ଼ା ଜାଲ, ପେଲେଣା,ପୋଳୁହ,ଜନ୍ତା ଓ ଖଇଞ୍ଚି ଧରି ପୁରା ସୁନାମୁହିଁ ନଈକୁ ଆବୋରି ବସନ୍ତି। ଆଉକିଛି ଲୋକ ଖାଲି ହାତରେ ପଙ୍କ ଚକଟି ବି ମାଛ ଧରନ୍ତି।ବାପାଙ୍କ ସହିତ ଖଳେ଼ଇ ଧରିବାକୁ ଦେବୀ ବି ଯାଏ। ଖୁବ୍ ମଜା ଲାଗେ।

ସାରା ନଈ ଓ ପାଟ ଭିତରେ ପାଦ ପକେଇବାକୁ ସ୍ଥାନ ମିଳେନା। ମାଛ ଧରିବା ଲୋକଙ୍କଠାରୁ ଦେଖେଣାହାରିଙ୍କ ହୋହୋ ଘୋଘୋରେ ସେ ଜାଗା ଝାମୁଯାତ ପରି ପ୍ରକମ୍ପିତ ହୁଏ । ଶହ ଶହ ସ୍ତ୍ରୀଲୋକ ହାତରେ ଖଇଁଚି ମୁଣ୍ଡରେ ପାଚିଆ ବାନ୍ଧି ଯୁଦ୍ଧ କ୍ଷେତ୍ରର ସୈନିକଙ୍କ ଭଳି ସମ ଗତିରେ ଆଗକୁ ଆଗକୁ ଚାଲନ୍ତି। ତାଙ୍କ ପଛେ ପଛେ ପୋଳୁହ ବାହିନୀ। ଏମାନଙ୍କୁ ଅନୁସରଣ କରନ୍ତି ବିଭିନ୍ନ ପ୍ରକାରର ଜାଲ। ଏମାନଙ୍କ ଆଗେ ଆଗେ କୁଶଳୀ କୈବର୍ତ୍ତଙ୍କ ଚାନ୍ଦୁଆ ଜାଲ।

ଦେବୀ ଆଗରେ ସତେ ଯେମିିତି ବିଛେଇ ହୋଇ ପଡ଼ିଥିଲା ଅତୀତ। ସେ ଗୋଟେଇ ଚାଲିଥିଲା ତା ଭିତରୁ ଚକଚକ କରୁଥିବା ସ୍ମୃତି ଖଣ୍ଡ।

କାହିଁ କେତେ କାଳର କଥା। ତାକୁ ସେତେବେଳେ ଷୋହଳ ବର୍ଷ। ଧିରେ ଧିରେ ଫୁଟି ଆସୁଥାଏ ତା ସୌନ୍ଦର୍ଯ୍ୟ। ଅନେକ କରତ ଆଖି ତାକୁ ଅସ୍ତବ୍ୟସ୍ତ କରୁଥାନ୍ତି।

ନଈ ଆରପଟେ ଠିଆ ହୋଇଥିଲା ଦେବ। ରଘୁ ମଉସାଙ୍କ ସାନ ପୁଅ। ଗତ ବର୍ଷ ପ୍ଲସ ଟୁ ପାସ କରି ବିଏସି ପଢ଼ୁଥାନ୍ତି
ପାଖ କଲେଜରେ। ଦେବ ଭାଇ ବେଳେବେଳେ ସାନ ଭାଇଙ୍କ ପାଖକୁ ଆସନ୍ତି।କେବେ କେବେ ତାକୁ ଟିକେ ଗଣିତ ପଢେଇ ଦେବାକୁ ମାଉସୀ ଅନୁରୋଧ କରନ୍ତି।ଦେବଙ୍କୁ ଦେଖିଲେ କାହିଁକି କେଜାଣି ଖୁବ୍ ଡର ଲାଗେ। ସତେ ଯେମିତି କିଛି ଭୁଲ କରିଦେଇଛି। ସେମିତି ଅନୁଭବ ହୁଏ।

ଦେବର ପୁରା ପାଖାପାଖି ନିଜକୁ ଆବିଷ୍କାର କଲା ଦେବୀ। କେଜାଣି କେମିତି ଗୋଟେ ବିଚିତ୍ର ଅନୁଭବ ଆସୁଥିଲା ତା ପାଖକୁ।ସତେ ଯେମିତି ଗୋଟେ ଅବର୍ଣ୍ଣନୀୟ ସ୍ୱର ଓ ସଙ୍ଗୀତ ତାକୁ କାବୁ କରିବାରେ ଲାଗିଛନ୍ତି।

କ୍ରମଶଃ….

Comments are closed.