ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୧
କାନ୍ଥ ଘଣ୍ଟାକୁ ପନ୍ଦର ମିନିଟ୍ରେ ପଚିଶ୍ ଥର ଚାହିଁଲେ, ପନ୍ଦରଟା କ’ଣ ପଇଁଚାଳିଶି ହେଇଯିବ?
ପିଠିପଟେ ତକିଆ ଦେଇ, ଖଟ ଉପରେ ଆଉଜି ପଡ଼ିଥିଲା ଆରାଧ୍ୟା । ଭିଡ଼ି ମୋଡି ହେଇ ଅଳସ ଭାଙ୍ଗିଲା । ସମୟ ଯାଉନି
କାହିଁକି ? ଯାଉଛି ତ..କିନ୍ତୁ ତା ‘ ଗତିରେ । ହେଇତ, ସେକେଣ୍ଡ କଣ୍ଟା ଟିକ୍ଟିକ୍ ହେଇ ଅନବରତ ମାଡ଼ି ଚାଲିଛି । ହାତ ଠାରି
ମିନିଟ୍କଣ୍ଟାକୁ ଡାକି ନେଉଛି ତା’ପଛରେ ।
ସେ ମନ ଦେଲା ଟିଭି ପରଦା ଉପରେ । ହିନ୍ଦୀ ସିରିଏଲ୍, ସେଇ ଘର୍ଘର୍ କି କାହାଁନୀ । ସେଇୟାକୁ ଦେଖିଦେଖି ବୋର୍ ଲାଗେ । ଅବଶ୍ୟ ଦେଖେ କେଉଁଠି ? ଦେଖୁଦେଖୁ ହଜାରେଥର ଅନ୍ୟମନସ୍କ ହେଉଥାଏ, ଟିଭି ତା’ ବାଟରେ ଚାଲିଥାଏ
ଇଏ ଟିଭିକୁ ଅନେଇ ଆଉ କଣ ଭାବୁଥିବା । ଚାଲିଥାଉ ଟିଭି ।
ଏମିତିରେ ଯାଉ, କିଛି ସମୟ କଟିଗଲେ ତ’ ଗଲା । ସେ ସଚେତ ହେଲା, ଯେତେବେଳେ ରକି ଓ ଜୋଜୋ କୋଉଠି
ଗୋଡାଗୋଡି ହେଇ ଖେଳୁଥିଲେ ବୋଧେ, ଧଁଅଁ ସଁଅଁ ହେଇ ଭିଭ ପଦାକୁ ବାହାର କରି ଧାଇଁ ଆସିଲେ । ଖଟ ଉପରେ ଚଢ଼ିଯାଇ ଦିଟା ଯାକ ଧକେଇ ହେଲେ । ଟିକେ ଗେହ୍ଲା କରି ଆଉଁସି ଦେଲା ତାଙ୍କ ପିଠିକୁ ।କିଛି ସମୟ ଥିଲେଥିଲେ ହଠାତ୍ ଆଗ ପଛ ହେଇ ପୁଣି ଧାଇଁଲେ ତଳକୁ ଓ ମେନ୍ ଗେଟ୍ ପାଖରେ ଯାଇ ଭାଉଭାଉ ହେଲେ । ଇଏ ପେଟେଇ ପଡି ରିମୋଟ୍ଟା ଉଠେଇ ଆଣିଲା । ଟିଭିର ଭଲ୍ୟୁମ୍ କମ କରି, କାନେଇଲା । କ୍ଷଣକ ଭିତରେ ଗାଡ଼ି ସାଉଣ୍ଡ ଶୁଣି ଜାଣିଗଲା ଏବଂ ଆଶ୍ଚର୍ଯ୍ୟ ହେଲା ।
ଜମାରୁ ନଅଟା ବାଉନରେ ବୈଭବ! ଯିଏ ସାଢେ ବାରଟା କି, ଗୋଟେ ପୂର୍ବରୁ ଆସିବା କଷ୍ଟ, ସିଏ ଆଜି ଏତେ ଜଲ୍ଦି! ଅବଶ୍ୟ ଆଗରୁ ଆସୁଥିଲେ ଯେ.. ମାନେ ବାହାଘରର ଦେଢ଼, ଦୁଇ ମାସ ଯାଏ ପ୍ରାୟ ନ’ଅଟା ସୁଧା ଫେରି ଆସୁଥିଲେ । କେବେ ମାର୍କେଟିଂ, ତ’ କେବେ ସିନେମା । କେବେକେବେ ସପିଙ୍ଗ୍ ବି । କିନ୍ତୁ ଲଙ୍ଗଡ଼୍ରାଇଭ୍ରେ ଯିବା ତାଙ୍କୁ ବେଶୀ ପସନ୍ଦ ହୋଉଥିଲା ।
ଲକ୍ଷେ ବାରଣ କଲେ ବି ମାନନ୍ତିନି ବୈଭବ । କୁହନ୍ତି ଆଇ ଲାଇକ୍ ଦିସ୍ ସ୍ପିଡ଼ ୟାର । ଡୋଣ୍ଟ ୱରି, ଆଇ କ୍ୟାନ୍ ହ୍ୟାଣ୍ଡଲ୍ । ଟିକେ ଲେଟ୍ ନାଇଟ୍ରେ ବାହାରନ୍ତି ଦୁହେଁ । ଗାଡ଼ି ଆଗକୁ ଚାଲୁଥାଏ, ମନ ଭରିବା ଯାଏ ।
ଓଃ…ସେ ଦିନମାନଙ୍କ କଥା ବି ଥିଲା ନିଆରା । ଭାବିଲେ ସ୍ୱପ୍ନ ରାଇଜରେ ବୁଲିଲା ପରି ମନ ହୁଏ । ତାକୁ ତ’ ଏମିତି ସ୍ୱପ୍ନ ବହୁତ ପସନ୍ଦ ।
ଏବେ କିନ୍ତୁ କଥା ଅଲଗା । ବୈଭବ ବି କରିବେ କ’ଣ ?
(କ୍ରମଶଃ)
Comments are closed.