Latest Odisha News

BREAKING NEWS

ଶିଶୁ ଗଳ୍ପ : ସୁନାପିଲା ପଲକ

ଝରଣା ବାରିକ

ପ୍ରେମା ବାବୁଙ୍କର ସାନ ଝିଅ ପଲକ । ସିଏ ଭାରି ଗେହ୍ଲେଇ, ଫୁଲେଇ, ଆଉ ବଦମାସ୍ ବି। ଖେଳିବା ଆଉ ମୋବାଇଲ ଦେଖିବା ତାର ପ୍ରଥମ କାମ। ଦିନ ସାରା ନ ଖାଇଲେ ବି ଚଳିବ। କେବେ ବି କହିବନି ମତେ ଭୋକ ଲାଗୁଛି। ଯେତେ ଯାହା ଗାଳି ଦେଲେ ତାର କିଛି ଫରକ ପଡେନି କାରଣ ତାର ସବୁଠାରୁ ବଡ଼ ଶକ୍ତି କାନ୍ଦିବା। କାନ୍ଦି ପକେଇଲେ ସବୁ ସମସ୍ୟାର ସମାଧାନ ହେଇ ଯାଏ ଯେମିତି। ବାପା ଗାଳି କଲେ ମାଆ କୋଳେଇ ନେଇ ଗେହ୍ଲା କରି ଦିଅନ୍ତି। ମାଆ ପିଟିଲେ ନାନୀମାନେ ନେଇ ଚକୋଲେଟ୍ ଦେଇ ତୁନି କରି ଦିଅନ୍ତି।

ପଢ଼ିବାକୁ ବସିଲେ ତାକୁ ଭୋକ ହୁଏ। ଖାଇବାକୁ ଦେଇ ପଢିବାକୁ ବସେଇଲେ ନିଦ ଲାଗେ। ସ୍କୁଲ ମାଟି ଆଜି ଯାଏଁ ମାଡିନି। କାରଣ ତାର ସ୍କୁଲ ଯିବା ବୟସ ହେଲା ବେଳକୁ ସ୍କୁଲ ବନ୍ଦ। ସେଥିରେ ସେ ଭାରି ଖୁସି। ସ୍କୁଲରେ ନାମ ଲେଖା ପରେ ଅନଲାଇନ୍ କ୍ଲାସ ନିଆ ଯାଉଛି ସତ କିନ୍ତୁ ସେ ପାଠ ପଢାକୁ ଏତେ ଗୁରୁତ୍ୱ ଦିଏ ନାହିଁ ପଲକ।

ଏସବୁ ଦେଖି ଦିନେ ବାପା ପଲକକୁ ପାଖକୁ ଡାକିଲେ। ଆଉ କହିଲେ ତୋ ପଢ଼ା ବ୍ୟାଗରେ କଣ ରଖିଛୁ କହିଲୁ ?

ପଲକ୍ କହିଲା ବହି,ଖାତା,ପେନ୍ ପେନସିଲ୍,ରବର ଯାହା ପଢ଼ିବା ପାଇଁ ଦରକାର ସବୁ ଅଛି।

ପ୍ରେମା ବାବୁ ପୁଣି ପଚାରିଲେ ତୋ ଖେଳିବା ଯାଗାରେ କ’ଣ ରଖିଛୁ ,କହିଲୁ ?

ପଲକ୍ କହିଲା ମୋ କଣ୍ଢେଇ ସହିତ ଆହୁରି କେତେ କଣ ରଖିଛି ମୋ ମାମା ଯେଉଁ ଅଦରକାରୀ ଜିନିଷ ଫୋପାଡି ଦିଏ ମୁଁ ତାକୁ ସବୁ ଆଣି ମୋ ଖେଳଣା ପାଖରେ ରଖିଦିଏ।

ଆଛା , କହିଲୁ ଦେଖି ଯଦି ତୋ ପଢ଼ା ବ୍ୟାଗରେ ଖେଳନା ରଖିବୁ ତା ଭିତରୁ କ’ଣ ବାହାରିବ?

ପଲକ୍ କହିଲା ଖେଳଣା

ବାପା ପୁଣି ପଚାରିଲେ ଯଦି ତୋ ଖେଳଣା ପାଖରେ ବହି ପତ୍ର ରଖିବୁ ତେବେ କ’ଣ ହେବ ? ପଲକ୍ କହିଲା ସବୁ ଅସନା ହେଇଯିବ ଆଉ ଚିରିଯିବ।

ବାପା ଏଥର ଅସଲ କଥାଟି କହିଲେ। ପାଠ ଉପରେ କେତୋଟି ପ୍ରଶ୍ନ ପଚାରିଲେ ପଲକକୁ । ପଲକ୍ ତାର ସଠିକ ଉତ୍ତର ଦେଇ ପାରିଲା ନାହିଁ। ଯେତେବେଳେ ୟୁଟ୍ୟୁବରେ ଦେଉ ଥିବା ଗୋଟେ କାର୍ଟୁନ ବିଷୟରେ ପଚାରିଲେ ସବୁ ଠିକ ଠାକ୍ ଉତ୍ତର ଦେଇ ଦେଲା।

ବାପା ପଚାରିଲେ ତୁ କିଛି ବୁଝି ପାରୁଛୁ ନାଁ ନାହିଁ ?

ପଲକ୍ କହିଲା ନାଇଁ ।

ପୁଣି ବାପା କହିଲେ ତୋ ମୁଣ୍ଡଟାକୁ ଯଦି ତୋ ସ୍କୁଲ ବ୍ୟାଗ କରି ଦେବା ସେଥିରେ କ’ଣ ରଖିବୁ କହ ?

ପଲକ୍ କହିଲା ପାଠ ପଢ଼ିବା ପାଇଁ ଯାହା ଦରକାର ତାହାହିଁ ରଖିବି।ତା ହେଲେ କହ ଏବେ ତୋ ମୁଣ୍ଡ ଭିତରେ ପାଠ ସବୁକୁ ସାଇତି ରଖିବୁ ନା କେବେଳ କାର୍ଟୁନସବୁକୁ ?

ସେଥିରେ ଯାହା ସାଇତି ରଖିବୁ ତାହା ହିଁ ବାହାରିବ । ବାବା ବୁଝେଇ ଦେଲେ । ଆମେ ଯେଉଁ ଜିନିଷକୁ ବାରମ୍ବାର ଦେଖିବା ବା ବ୍ୟବହାର କରିବା ତାହା ହିଁ ଆମ ମନ ଭିତରେ ରହିବ ।

ପଲକ ଏବେ ବାପାଙ୍କ କଥା ବୁଝି ପାରିଲା ଆଉ ପାଠ ପଢ଼ାରେ ମନଦେଇ ସୁନା ପିଲା ହେଲା ।

ସମଲ, ତାଳଚେର, ଅନୁଗୋଳ

Comments are closed, but trackbacks and pingbacks are open.