ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୩
ଏମିତିରେ ଆଜିକାଲି ତାଙ୍କ ପାଖରେ ସମୟ ଅଭାବ । ଏ ସବୁ ପାଇଁ ବି ବେଳ କମ୍ । ସେ ଡେରି ରାତିରେ ଫେରିଲା ବେଳକୁ, ଇଏ ଶୋଇ ଯାଇଥାଏ, ତ’ କେବେ ଅଧରାତିରେ ଆଖି ଖୋଲି ଗଲେ, ବୈଭବ କେତେବେଳେ ଫେରି, ସାଇଡରେ ଘୁଙ୍ଗୁଡ଼ି ମାରୁଥାଆନ୍ତି । ଯୋଉ ବି ଥରେ ଅଧେ…ସେଇଟା ବି ସରିଲେ ସରିଲା । ସେ ପୁଣି ତାଙ୍କ ଦୁନିଆରେ ମାତିଯାଆନ୍ତି । ପାଞ୍ଚ ମିନିଟ ପାଇଁ ବି ଆଉ ମନ ନ’ଥାଏ । ସେଥିପାଇଁ ବୋଧହୁଏ ଏ ସବୁ ମେକାନିକାଲ୍ ଲାଗେ । ସେଇ ଆଗ୍ରହ ଉନ୍ମାଦନା ରୁହେନା; କି କିଛି ରୋମାଞ୍ଚକର ଅନୁଭବ ହୁଏନା ।
କିନ୍ତୁ ତାଙ୍କୁ ପ୍ରଶ୍ନ କଲେ କି ଉତ୍ତର ପାଇବ ? ତାଙ୍କ ପାଖରେ ଫୁରସତ୍ କାହିଁ ଯେ, ସେ ବୁଝେଇଦେବେ! ଛାଡ଼…
ଆରାଧ୍ୟା ଆଖିରେ ନିଦର ନା ଗନ୍ଧ ହେଲେ ନାହିାଁ । ଲାଷ୍ଟଥର କେବେ ସେ ନିଶ୍ଚିତରେ ପାଞ୍ଚ ଛ ଘଣ୍ଟା ଏକକାଳୀନ ଶୋଇଛି, ମନେ ନାହିଁ । ଯେତେ ଚେଷ୍ଟା କଲେ ବି ଜମାରୁ ଆଖି ପଡୁନି । ଏତେ ବେଶୀ ଅସ୍ତବ୍ୟସ୍ତ ଲାଗୁଛି ତାକୁ ।
ତାଙ୍କ ହାତକୁ ଆସ୍ତେକରି ପେଟ ଉପରୁ କାଢ଼ି ନେଇ ନିଜକୁ ମୁକୁଳେଇ ଆଣିଲା ଅରୁ ।
ମୋବାଇଲ୍ ଚିପି ଟାଇମ୍ ଦେଖିଲା । ଗୋଟେ ଛୟାଳିଶ । ବୈଭବ ଶୋଇଗଲେଣି ନିଘୋଡ଼ ନିଦରେ । ସେ ଲାଇଟ୍ ଅନ୍ କଲାନି । ସେଇ ମୋବାଇଲ୍ ଲାଇଟ୍ରେ ପାଦ ତଳୁ ନାଇଟ୍ ଗାଉନଟାକୁ ବୁଢ଼ା ଓ ତର୍ଜନୀ ଆଙ୍ଗୁଠି ସାହାଯ୍ୟରେ ଧିରେକି ଟାଣି ଆଣି ନିଜର ଅନାବୃତ୍ତ ଦେହକୁ ଆବୃତ୍ତ କଲା । ମୁକୁଳା କେଶକୁ ଗଣ୍ଠି କରୁକରୁ ଉଠି ଗଲା କିଚେନ୍ ଭିତରକୁ ।
ଫ୍ରିଜ ଖୋଲିଲା । ଢ଼କଢ଼କ କରି ଅଧା ବୋତଲ୍ ଥଣ୍ଡା ପାଣି ପିଇଗଲା । ଜାଣି ଜାଣି ଆଧାରୁ ଅଧିକ ନିଗାଡି ଦେଉଥିଲା
ତା’ଛାତି ଉପରେ ।
ହୁଁଃ…..!!! ଥଣ୍ଡା ପାଣି କ’ଣ, ବରଫ ଗଦାରେ ପୋତି ହେଇପଡିଲେ ବି ତା’ ମନ, ଆତ୍ମା, କି ଶରୀର ଶୀତଳ ହେବନାହିଁ ।
ସେ ଜଳୁଛି!
ଆହୁରି ଜଳିବ!
ଜଳୁ.. ଜଳିବା ଦର୍କାର!!
ସେଇ ଲେଲିହାନ ଅଗ୍ନିରେ ନିଜେ ଜାଳିଗଲେ ଖୁବ୍ ଭଲ ହୁଅନ୍ତା । ହସିଲା ।
ବିଷାକ୍ତ ହସ!
ନିଜ ବିଷ ହସର ବିଷ ଜ୍ୱାଳାରେ ଅତିଷ୍ଠ ହେଇପଡିଲା ।
କ’ଣ କହିଲେ ଇଏ, ସୁଖ! ମୁଁ ଯେମିତି ସୁଖରେ ଅଛି, ମୋର କୋଉ ସାଙ୍ଗ ସାଥି ନଥିବେ ।
…ହୁଁଃ..କୋଉଟାକୁ ସୁଖ ବୋଲି ଭାବନ୍ତି !
ଦେହହାତ କଟମଟ୍ ହେଲା ତା’ର । ମୁଣ୍ଡକୁ ବିରୁଡି ବିନ୍ଧିଲା ପରି ଲାଗିଲା ।
ସେ ଫେରିଲା । ବେଡ଼୍ ରୁମ୍ର ସାଇଡ଼୍ ଡୋର୍ ଖୋଲି ବାଲ୍କୋନିକୁ ଗଲା । ଦୋଳିରେ ବସିଲା । ଲୁଇସ୍ ଭିଲ୍ଲାର ପ୍ରସସ୍ଥ ପାଚେରୀକୁ ଲାଗି ଲାଇନ୍ରେ ଜଗୁଆଳି ପରି ଛିଡା ହେଇଛି ଡେଙ୍ଗାଡେଙ୍ଗା ଝଙ୍କାଳିଆ ଦେବଦାରୁ । ତା’ର ଘଞ୍ଚ ପତ୍ରକୁ ବେଖାତିର କରି ମର୍କ୍ୟୁରି ଲାଇଟ୍ର ଝାପ୍ସା ଆଲୁଅ, ତା’ ଗ୍ରିଲ୍ ଦେଇ ପାଦକୁ ସ୍ପର୍ଶ କରୁଥାଏ ଓ ପବନର ବେଗ ସହିତ ଛାଇମାନେ ମଝିରେ ମଝିରେ ଦୋହଲୁ ଥାଆନ୍ତି ।
ଆଖି ପାଇବା ଯାଏ ଦୂରକୁ ଚାହିଁଲା । କେହି ଜଣେ ବି ଦିଶୁନାହାନ୍ତି । ଦୂରଦୂର ଯାଏ ଅନ୍ଧାରର ବହଳ ଆସ୍ତରଣ ଲେସି ହେଇ
ରହିଥାଏ । ଏକରେ ତ’ ଏତେ ରାତି, ତା’ପରେ ଏ ଆଖପାଖରେ ବେଶୀ ଘର ନାହିଁ । ଯାହା ସବୁ , ଖଣ୍ଡେ ଦୂରରେ ।
ଉପରକୁ ଚାହିଁଲା । ଆକାଶରେ ଖଣ୍ଡଖଣ୍ଡ କଳା ବାଦଲ ଏକାଠି ଠୁଳ ହେଇଛନ୍ତି । ଅନେକ ଅଭିଯୋଗ ଧରି ଆସିଛନ୍ତି ଯେପରି । ଆକାଶ ଭର୍ତ୍ତି କ୍ଷୋଭ ।
(କ୍ରମଶଃ)
Comments are closed.