ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୬
ଲଗେଜ୍ ବ୍ୟାଗ୍ ଧରି ଦୁମ୍ଦୁମ୍ ହେଇ ବାହାରିଗଲେ । ଧକ୍କା ଖାଇ ବସି ପଡିଲା ଆରାଧ୍ୟା । ମିଛଟେ ହେଲେ କହିଦେଇ ଥାଆନ୍ତେ । ଏ ପ୍ରାଣଘାତୀ ସତ୍ୟର ସାମ୍ନା କରିବା ଆଗରୁ ଜୀବନ ଚାଲିଗଲାନି କାହିଁକି ?
ଏତେ ଲଜ୍ୟାହୀନ ଭାବେ ସବୁକିଛି ଖୋଲିଦେବା କି ଜରୁରୀ ଥିଲା । ତେବେ ସେ କ’ଣ ତା ସ୍ୱାମୀର ସ୍ପଷ୍ଟବାଦୀତା ପାଇଁ ଖୁସି ହେବା ଉଚିତ, ନା’ ପରୋକ୍ଷରେ ବି ହୋଉ ପଛେ, ନନ୍ଦିତାର ମୃତ୍ୟୁ ପାଇଁ ଦୁଃଖ ଓ ବିଦ୍ରୋହ କରିବା ଉଚିତ?
ସତ ଜାଣିବାକୁ ଚାହିଁ କ’ଣ କଲା ସେ ! ଜୀବନଟା ଛାଡ଼ି ଯାଆନ୍ତା କି ଏଇ ମୁହୂର୍ତ୍ତରେ ।
ବାହାରେ ଗାଡ଼ି ସାଉଣ୍ଡ ଶୁଣି ଦୌଡ଼ି ଯାଇ ବେଡ଼୍ ରୁମ୍ର ଝର୍କା ପାଖରୁ ଚାହିଁଲା ଡାଉନ୍ ଫ୍ଲୋର୍କୁ । ଦର୍ୱାନ୍ ଦୁଇପାଖିଆ ବିଶାଳ ଲୁହା ଗେଟ୍କୁ କଁ କଁ କରି ଖୋଲୁଖୋଲୁ ବୈଭବଙ୍କ ଗାଡ଼ି ଲୁଇସ୍ ଭିଲ୍ଲା ଡେଇଁ କାହିଁ କେତେ ଦୂର ଚାଲିଗଲା । ତା’ ନିଃଶ୍ୱାସକୁ ସ୍ଥିରକରି ଦେଇ, ତା’ ବିଶ୍ୱାସକୁ ଦୋହଲାଇ ଦେଇ । ସେମିତି ସେ ଚାହିଁଥାଏ ଦୂର ଦିଗବଳୟ ଯାଏ । ଏଇ ବୋଧେ ବୈଭବ ଫେରି ଆସିବେ, ଆଉ କହିବେ ଯାହା ସବୁ କହିଲି ଡାହା ମିଛ । ଜଷ୍ଟ ତମକୁ ଚିଡୋଉ ଥିଲି । କେବେତ ଟାଇମ୍ ଦେଇପାରୁନି..ସରି ୟାର୍ ।
ଚାଲ ଆଜି କୁଆଡେ ବୁଲିଯିବା, ବାହାରେ ଲଞ୍ଚ୍ । ପୁରା ଦିନଟା ତୁମର କିନ୍ତୁ ମନେରଖ, ସାରା ରାତିଟା ମୋର । ହାଲିଆ
ଲାଗୁଛି, ଆଜି ଥାଉ.. କିଛି ବାହାନା ଶୁଣିବିନି ସେତେବେଳେ ।
ଏ.. ଚାଲନା ଅରୁ…ଆଖି ମିଟିକା ମାରି ଭିଡ଼ି ଧରିବେ ଛାତିରେ । ସେ ଅଭିମାନରେ ଢାଳିଦେବ ଅଜସ୍ର ଲୁହ ।
କିନ୍ତୁ ସେମିତି କ’ଣ କେବେ ହେଇଛି?..ତ ଆଜି କେମିତି ହବ? ଫେରିଲେନି ବୈଭବ ।
ରକି ଓ ଜୋଜୋ ଧାଇଁ ଆସି ତା’ ଦେହରେ ଘଷିନେସି ହେଲେ । ଗାଲକୁ ଚାଟି ପକେଇଲେ । ଲୁହକୁ ଶୋଷି ନେଲେ ନିଜ ଜିଭରେ ।
ବୈଭବ କୁହନ୍ତି ଲାବ୍ରୋଡ଼ଗ୍ ଗୁଡା ଭାରି ସେନ୍ସିଟିଭ୍ । ମଣିଷ ପରି ବୁଝିପାରନ୍ତି । ..ମିଛ.. ମଣିଷ ପରି ନୁହେଁ, ମଣିଷଠାରୁ
ଅଧିକ ବୁଝନ୍ତି ମଣିଷକୁ । ଆଉ କିଏ ଅଛି କି ଏ ବିରାଟ ବିଲ୍ଡିଙ୍ଗ୍ରେ? ରକି ଜୋଜୋ ଓ ତା’ ଛଡ଼ା! ସେ ଜାଣେ, ଏ
ବିଳାଶପୂର୍ଣ୍ଣ ପ୍ରତିପତ୍ତି ଓ ଆଭିଜାତ୍ୟର ବଳୟ ଭିତରୁ ମୁକୁଳିବା,ତା’ ପାଇଁ ସହଜ ନୁହେଁ । ଏଇଟା ବୈଭବଙ୍କ ସାମ୍ରାଜ୍ୟ । ଏଠି ସବୁ ତା’ଙ୍କ ହିସାବରେ ଚାଲେ । ନହେଲେ ଏଇ ମୂହୁର୍ତ୍ତରେ ସେ ଏ ଘର ଛାଡ଼ି କୁଆଡେ ବୋଲି କୁଆଡେ ପଳେଇଥାଆନ୍ତା ।
Comments are closed.