Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୬ 

ତାଙ୍କୁ କ’ଣ ଟିକିଏ ବି ସଙ୍କୋଚ ଲାଗୁନଥିଲା? ନିଶାରେ କ’ଣ ଜଣା ପଡୁନଥିଲା ।

ଏତେ ଚୁପ୍ ବସିଛନ୍ତି ! କିଛି କୁହନ୍ତୁ ମ୍ୟାଡ଼ମ । ମିୟୁଜିକ୍‌ ଅନ୍ କରିବି? ଆପଣଙ୍କ ପସନ୍ଦର ଗୀତ..’ ନା ଥାଉ, ମୁଡ଼ ନାହିଁ ।

ତୁମେ ଖାଇଥିଲ । ନା’ ମତେ ଛାଡିବା ଚକ୍କରରେ ସେମିତି ପଳେଇଆସିଲ?

ସନ୍ଧ୍ୟାରେ ସ୍ନାକ୍ସ । ବାସ୍ ଆଉ ଇଛା ନ’ଥିଲା ।

ସାର୍ କ’ଣ କହୁଥିଲେ?

ବିଜି ଥିଲେ । ଖାଲି ଏତିକି କହିଲେ, ଓକେ ଛାଡ଼ି ଆସ ।

ତୁମ ଡ଼୍ରାଇଭିଂ ବହୁତ ସ୍ମୁଥ୍ ।

ଥାଙ୍କୟୁ!

ଗାଡି ଟିକେ ରଖ, ମୁଁ ଏମିତି ଖୋଲା ଆକାଶ, ଖୋଲା ପବନ, ଜହ୍ନ ଆଲୁଅ ଆଉ ଜଙ୍ଗଲି ଫୁଲର ବାସ୍ନାକୁ ଭଲ ପାଏ । ଭାରି ରୁନ୍ଧି ଲାଗୁଛି । ରଖ ଗାଡ଼ି, ବାହରକୁ ଯିବି ଟିକେ ।

ଏଇଟା ସେଫ୍ ପ୍ଲେସ୍ ନୁହଁ । ଆପଣ ଗାଡିରୁ ଓହ୍ଲାଇବା ଠିକ୍‌ ହବନି । ଦେଖନ୍ତୁ ଦୁଇଟା ପନ୍ଦର ହେଲାଣି । କେତେ ନିଛାଟିଆ ଦେଖିଲେ!

ଜଙ୍ଗଲ ଏରିଆ, ଆମକୁ ଅନେକ ବାଟ ଯିବାର ଅଛିା । ବରଂ ଗ୍ଲାସ୍ ଓପନ କରି ଦୋଉଛି, ମୁଁ ସ୍ଲୋ ନେଉଛି । ଭଲ ଲାଗିବ ।

ଆଖି ବନ୍ଦ କରି ସିଟକୁ ପଛକୁ ପୁସ୍ କରି ଆଉଜି ପଡିଲା ଆରାଧ୍ୟା । ପବନରେ ତା’ କେଶ ଫିର୍‌ଫିର୍ ଉଡ଼ିଲା । ଜହ୍ନ ଆଲୁଅରେ ଗଛର ଛାଇ ମାନେ ବି ଧାଉଁଥିଲେ ପଛକୁ । ଏମିତି ନିର୍ଭେଜାଲ୍ ପବନକୁ ଆଁ କରି ଦି;ଢୋକ ଢୋକି ନେଲା ଭିତରକୁ ।

ଏଇଟା ଷ୍ଟାଟସ୍‌ ! ଅନେକ ମହିଳାଙ୍କ ସହ ହାତ ମିଶେଇବା , ହଗ କରିବା, ତା ପୁଣି ଟାଇଟ୍ । ବାହୁରେ ବାହୁ ଛନ୍ଦି ନାଚିବା ।
ଡ଼୍ୟାନ୍ସ ଫ୍ଲୋର୍‌ରେ ନାରୀମାନେ ଗୋଟେ ବାହୁରୁ ଅନ୍ୟ ବାହୁକୁ ବାରବାର ବଦଳୁଥିବା । ଡ଼୍ରିଙ୍କସ୍‌ ନିଶାରେ ମସଗୁଲ ।

ହୁଁଃ..ଆଜି ଯାଏ ଏଇଟା ଯାହା ଶିଖି ପାରିଲାନାହିଁ । ବୈଭବ କେତେ ଓପନ୍ । ତା ସାମ୍ନାରେ ବି ତାଙ୍କୁ କିଛି ଫରକ୍ ପଡୁନି ।
ଅଲଜ୍ୟା ପରି ଗୀତର ତାଳେତାଳେ ଆଲିଆକୁ ଭିଡି ଧରି ଝୁମୁଥିଲେ । ଡିମ୍ ଆଲୁଅରେ ତାଙ୍କର ହାତ ଆଲିଆ ଦେହର ଅନେକ ସମ୍ବେଦନଶୀଳ ଅଂଶକୁ ଛୁଇଁ ଯାଉଥିଲା । ଜାଣିପାରୁନଥିଲେ କିଛି ।

ମୁହଁ ପାଖକୁ ମୁହଁ ନେଇ କ’ଣ କହୁଥିବେ! ଆଲିଆ ୟୁ ଆର ସୋ ବିୟୁଟିଫୁଲ୍ , ହର୍ଟ ଆଣ୍ଡ ..ଏଇୟା… ! ଆଲିଆ ବି କେତେ ଖୁସି ଥିଲା । ହସିହସି ବାରବାର ଝୁଙ୍କି ପଡୁଥିଲା ତା’ଙ୍କ ଛାତି ଆଡ଼କୁ ।

ଉଃ…ତାକୁ କାହିଁକି ଏତେ ଅଣନିଃଶ୍ୱାସୀ ଲାଗୁଛି! ଦେହମୁଣ୍ଡ ସିର୍‌ସିର୍ ଲାଗୁଛି । ଛାତି ଭିତରେ କିଏ ଯେମିତି ହାତୁଡି ଧରି
ଶକ୍ତ ପ୍ରହାର ପରେ ପ୍ରହାର କରିଚାଲିଛି ।

‘ଉଃ….କ’ଣ ହେଲା କୁମାର? ଏତେ ଜୋରରେ ବ୍ରେକ୍ ମାରିଲ!

ଆରାଧ୍ୟା ଚମକି ପଡ଼ିଲା । ତା’ ଭାବନାରେ ଭଟ୍ଟା ପଡ଼ିଲା ।

ନା….ଜନ୍ତୁଟେ ବୋଧେ । ଗାଡ଼ି ସାମ୍ନାରେ ଧାଇଁ ଗଲା ।

କ୍ରମଶଃ……

Comments are closed.