ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୫
ସେଇଟିକୁ କ’ଣ ସୁକାନ୍ତି ପଢିଦେଲାକି ତା’ ଆଖିରେ? ସେଥିପାଇଁ କ’ଣ ସିଧା ତା’କୁ ହିଁ ଫୋନ୍ କରି ଡାକିଦେଲା!
ଓଫ୍…ଆଜି ଏ କି ଅଦ୍ଭୁତ କଥା ସେ ଭାବିଯାଉଛି ? ଏଇ ଅବସ୍ଥାରେ ତାଙ୍କ ଯତ୍ନ ନେବା ବେଶୀ ଆବଶ୍ୟକ ।
ବେଧଡ଼କ ଭିତରକୁ ପଶିଗଲା । ଆରାଧ୍ୟା ଅର୍ଦ୍ଧ ଚେତାଶୂନ୍ୟ ଅବସ୍ଥାରେ ପଡିରହିଛି । ମୁହଁଟି ଏକଦମ୍ ଝାଉଁଳି ପଡ଼ିଛି । ସଜ
ଫୁଟା ଗୋଲାପ ଟିକୁ ଡେମ୍ଫରୁ କିଏ ଛିଡେଇ ଦେବା ପରି । ଆଖି ତଳେ ଡାର୍କ ସର୍କଲ । ଓଠ ଶୁଖିଲା ଶୁଖିଲା । ଡାକିଲେ ଉଁ ନାହିଁ କି ଚୁଁ ନାହିଁ । ମଥାରେ ହାତ ମାରି ଦେଖିନେଲା । ଦେହରେ ଭୀଷଣ ତାତି ।
ମାଇଁ ଗଡ଼ । ଭୂଲ ବୋଧହୁଏ କୋଉଠି ନା’ କୋଉଠି ତା’ର । କେତେ ଦିନ ହେଲା ମ୍ୟାଡ଼ମ୍ ଙ୍କୁ ଫୋନ୍ କରିନି କି, ଘରକୁ ଆସି ଭଲ ମନ୍ଦ ବୁଝିଯାଇନି ।
ଅପରାଧୀଟି ପରି କ୍ଷଣଟିଏ ଛିଡା ହେଲା ପରେ, ସୁକାନ୍ତିକୁ ଡାକ ଛାଡ଼ିଲା । ତାଙ୍କୁ ତୁରନ୍ତ ହସପିଟାଲ୍ ନେବାକୁ ହେବ ।ସୁକାନ୍ତିର ହେଲ୍ପ ଦର୍କାର । ମ୍ୟାଡ଼ମ୍ ଙ୍କୁ ଚେନ୍ଜ କରିଇ ରେଡି କରା ବୋଲି କହିଦେଇ ବାହାରେ ଅପେକ୍ଷା କଲା କୁମାର ।
ଦେଖନ୍ତୁ ତାଙ୍କର ଏଇ ଦୁଇଟା ବ୍ଲଡ଼ଟେଷ୍ଟ କରେଇଦିଅନ୍ତୁ । ହିମୋଗ୍ଲୋବିନ୍ ହୁଏତ କମ୍ ଅଛି । ବ୍ୟସ୍ତ ହବାର କିଛି ନାହିଁ ।
ଭାଇରାଲ୍ ଫିବର୍ । ବି ପି ଟିକେ ହାଇ ଅଛି । ଏଇଟା ଦିନକୁ ଦୁଇ ଥର । ଆପ୍ଟର ଫୁଟ । ଏ ଚାରି ନମ୍ବର ମେଡ଼ିସିନଟା ଖାଲି ପେଟରେ । ୱାନସ୍ ଡେଲି । ପାଞ୍ଚ ଦିନ କଣ୍ଟିନ୍ୟୁ କରାନ୍ତୁ ।
ତଳକୁ ମୁହଁ ପୋତି ଧଳା କାଗଜ ଉପରେ ପ୍ରେସ୍କ୍ରାଇବ କଲାବେଳେ ଡାକ୍ତର ବି.କେ ସିଂ ଜଣେ ରୋବଟ ପରି ମନେ ହେଉଥିଲେ । ଯେମିତି ସବୁ କିଛି ଆଗରୁ ସେଟିଙ୍ଗ । ଲାଇନ୍ ବାଇ ଲାଇନ୍ ଖାଲି ସାମ୍ନା ବାଲାକୁ ଜଣେଇଦେବା ବାକି । ଦକ୍ଷ ଡ଼କ୍ଟର । ଦେଖୁଦେଖୁ ରୋଗ ଚିହ୍ନି ଦେବେ । ତାଙ୍କୁ ବେଶୀ କିଛି କହିବାର ଆବଶ୍ୟକତା ନାହିଁ ।
ତାଙ୍କ ଇଙ୍ଗିତରେ ସିଷ୍ଟର ଆରାଧ୍ୟାର ବାହୁ ଧରି ଅନ୍ୟ ଚ୍ୟାମ୍ବରକୁ ନେଇଗଲେ ବ୍ଲଡ଼ଟେଷ୍ଟ ପାଇଁ । ମୁହଁ ଉଠେଇ ଡ଼କ୍ଟର ସିଂ, କୁମାରକୁ ଚାହିଁଲେ । ଆପଣ ତାଙ୍କର କିଏ ହେବେ? ଆଇ ମିନ୍ ରିଲେସନ୍… ସାର୍ ମୁଁ , ମୁଁ ମାନେ.. ଓକେ ଯାହାବି ହୋଉ, ଯାହା ଜଣାପଡୁଛି ଆପଣ ତାଙ୍କ ବିଷୟରେ ଅନେକ କିଛିଟା ଅବଗତ ନୁହଁନ୍ତି । ତେଣୁ କରି ତାଙ୍କ ବାବଦରେ କିଛିଟା ଉହ୍ୟ ରହିଗଲା । ଠିକ୍ରେ କହିପାରିଲେନି । ବଟ୍ ନୋ ପ୍ରୋବ୍ଲମ । ଆମେ ଟେଷ୍ଟରୁ ଜାଣିପାରିବା ।
କ୍ରମଶଃ……
Comments are closed.