ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୫୨
ଲିପିରେ ଥାଏ ବର୍ଣମାନ
ଯାହାର ଯେତେ ପ୍ରୟୋଜନ
ସେ କରେ ସେତେ ବ୍ୟବହାର
ସଂହାର ନ ହୁଏ କାହାର
ସୁରକ୍ଷା ସହିତ ସଂସ୍କାର
ଭାଷାରେ ଚଳେ ନିରଂତର
ଅଲୋଡ଼ା ସମସ୍ତ ବିବାଦ
ସଂବାଦ ଅବା ବିସଂବାଦ
ଜୀବନ ବିବିଧତା ଭରା
ଦିଶୁଛି ଏ ସଂସାର ସାରା
ଭାଷାରେ ଖୋଜିଲେ ସମତା
ମିଳେ କେବଳ ବିଷମତା
ଭିନ୍ନତା ଏକତ୍ରାବସ୍ଥିତ
ରହିଲେ ହୁଏ ସର୍ବହିତ
ପାରସ୍ପରିକ ମତଭେଦ
ନ ହୁଏ ଭାଷାକୁ ବିପଦ
ବିଶାଳ ଅଟେ ଏ ପୃଥିବୀ
ବୁଝିଲେ ହୋଇ ଅନୁଭବୀ
ବଢ଼ଇ ସହନଶୀଳତା
ତାହା ହିଁ ହୁଏ ବୁଦ୍ଧିମତ୍ତା
ନିଜ ନିଜର ମାର୍ଗ ଧରି
ହୋଇବା ଭାଷା ବ୍ୟବହାରୀ
ବିଦ୍ୟାକୁ ନ କଲେ ବିବାଦ
ମନରୁ ହଟିବ ପ୍ରମାଦ
ଜଣା ଓ ଅଜଣା କାରଣ
ସକାଶେ ଭାଷାର ମରଣ
ଘଟେ ସଂସାରେ ଘନଘନ
ଏହାର ନାହିଁ ନିବାରଣ
ଜୀବ ମାତ୍ରକେ ଦିନେ ଯିବ
ତାହାକୁ କେ ରଖିପାରିବ
ଯାହା ଅଟଇ ସୁନିଶ୍ଚିତ
ଜାଣି ନ ହେଉଁ ବିଚଳିତ
ବର୍ତମାନରୁ ପଶ୍ଚାତ୍ଗତି
କରିଲେ ଅତୀତର ସ୍ଥିତି
ରହିଛି ହୋଇ ସଦା ସ୍ଥିର
ଆଗକୁ ଚଲାବାଟ ଧର
ପ୍ରତ୍ୟେକେ ନିଜ ପଂଥା ଧରି
ହୁଅଂତି ଭାଷା ହିତକାରୀ
ମାର୍ଗୀଂକ ମଧ୍ୟରେ ସଂଘର୍ଷ
କିଆଁ ଚାଲିଛି ବର୍ଷ ବର୍ଷ
ଅତୀତାଶ୍ରୟୀ ଯେତେ ଜନ
ବୋଲାଂତି ନିଜକୁ ପ୍ରବୀଣ
ଏବେ ଚଳିତ ବର୍ତମାନ
ପାଏନି ସେମାନଂକ ଧ୍ୟାନ
ଯେତେକ ପରଂପରାଶ୍ରୟୀ
ଚଳଂତି ରୀତି ଅନୁଯାୟୀ
କର୍ମ ବଚନ ପ୍ରଥାଧୀନ
ନୁହଂତି କେବେ ହେଁ ସ୍ବାଧୀନ
Comments are closed, but trackbacks and pingbacks are open.