ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୧
ଅସୁସ୍ଥତାରେ ଏଇମିତି ତା’ ହାତକୁ ବାରବାର୍ ମୁଠେଇ ଧରିଥିଲା ଆରାଧ୍ୟା । ସେଇ ଶିହରଣ । ସେଇ କମ୍ପନ । ସେଇ ଅନୁଭବ । କ’ଣ କରିବ ସେ?
ଗାଁ ମୁଣ୍ଡ ବନଦେବୀ ମନ୍ଦିରରୁ ସନ୍ଧ୍ୟା ଆଳିତୀ ,ଘଣ୍ଟ ଘଣ୍ଟା ବାଜି ଉଠିଲା । ହୁଳହୁଳି, ସଙ୍ଖନାଦରେ କମ୍ପିଉଠିଲା ଚତୁଃପାଶ୍ୱ।
ଅଜାଣତରେ ଦୁହିଁଙ୍କର ହାତ ଯୋଡିହେଇଗଲା ଠାକୁରାଣୀଙ୍କ ଉଦ୍ଦେଶ୍ୟରେ । ଗାଡ଼ିରୁ ଓହ୍ଲାଇ ପଡ଼ି ନତମସ୍ତକ ହେଇ ଦେଉଳ ଆଡେ ଚାହିଁ ପ୍ରଣାମ କଲେ ।
ମୁହଁ ସଞ୍ଜା ଭଲ । ସେ’ ଜାଣେ, ସେ’ଦିନ ଯେଉଁ ଭାବନାକୁ ଚାପିଚୁପି ଅନ୍ତର ଭିତରେ ଦାବି ଦେଇଥିଲା, ତା’ ମୁହଁରେ ଆଜିବି ସେଇ ଭାବଟା ଢେଉ ଖେଳୁଥିବ । ଝାପ୍ସା ଆଲୁଅରେ ଧରି ପାରିବେନି ଆରାଧ୍ୟା । ଖୁବ୍ ଭଲ ।
ଦେଖ ମା’ଙ୍କର ବୋଧହୁଏ ଏଇ ଇଛା । ଏଥର ନ୍ଦ୍ୱନ୍ଦ ଛାଡ଼ । ଅରୁ ବୋଲି ଡାକ କୁମାର । ଏବେ ତ’ ଡାକ । ମୁଁ ତୁମ ଦୁବିଧା
ବୁଝିପାରୁଛି । ପର କଥା ପରେ ଦେଖିବା ।
ଦେଖ ମୋ ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି । ଚା’ ନ ପିଇଲେ ଫାଟିଯିବ ମୁଣ୍ଡଟା । ନାଁ ଧରି ଡାକିଲେ ହିଁ ପିଇବି ।
ଓକେ, ଚାଲ ଅରୁ ।
ଓଃଫ୍.. କେମିତି ବାହାରିଲା ଏଇ ପଦକ ତା’ପାଟିରୁ, ସେ ହିଁ ଜାଣେ । ମୁହଁକୁ ନ’ ଚାହିଁ କହିଦେଲା ସିନା, ଚଟାପଟ୍ ଡୋର ଖୋଲି ପସିଗଲା ଗାଡି ଭିତରେ ।
ଆରାଧ୍ୟା କ’ଣ କେବେ ଅନୁଭବ କରିପାରିବେ, ନା ଧରି ତୁମେ ବୋଲି ଉଚ୍ଚାରଣ କଲାବେଳେ ତା’ ଛାତିରେ କି ଆଲୋଡୋନ ସୃଷ୍ଟି ହେଇଛି । ହୁଏତ କେବେ ଫିଲ୍ କରିପାରିବେନି ।
ଯାହା ବି ହେଉ, ଅନେକ ଦିନ ପରେ ଆରାଧ୍ୟାର ଆଜି ମନ ଖୋଲା ହସ । ମେଡ଼ିସିନ୍ର ଆବଶ୍ୟକତା କମ୍ ପଡ଼ିବ । କର ସାର ଠିକ୍ କହିଥିଲେ, ବାହାରକୁ ବାହାରିଲେ ଖୁସି ରହିଲେ ହିଁ ଆପେ ଭଲ ହେଇଯିବେ ।
ମାଟି କପରୁ ସୁଡୁସୁଡୁ କରି ଗରମ ଚା’ ପିଉଥିଲା ଅରୁ ।
କୁମାର ତା’ର ସରଳ ମୁହଁକୁ ଏକ ଲୟରେ ଚାହିଁଥିଲା ।
କ୍ରମଶଃ
Comments are closed.