ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୩
ଆଜି ବୋଧହୁଏ ସାରା ରାତି ନିଦ ହବନି କୁମାରକୁ । ଅଜବ ଭାବନାରେ ଘାଣ୍ଟି ହେଉଛି । ଆରାଧ୍ୟାକୁ ଖୁସି ଦେଖି ସେ, ଖୁବ୍
ଖୁସି । କିନ୍ତୁ କ’ଣ ଗୋଟେ ମନ୍ଥିଚକଟି ହେଉଛି ତା’ ଅନ୍ତରରେ । ଏଠାକୁ ଆରାଧ୍ୟାକୁ ସାଙ୍ଗରେ ଧରି ଆସି ଠିକ୍ କରିଛି । ତେବେ ଏତେ ଛଟପଟ ଲାଗୁଛି କାହିଁକି ?
ଭଲ ନ’ ଲାଗିବାରୁ ତା’ ରୁମ୍ର ଦରଜା ଖୋଲି ଅଗଣାକୁ ବାହାରି ଆସିଲା । ହରିଶ୍ ଚାଦରଟିଏ ମୁହଁ ଯାଏ ଘୋଡିପୋଡି
ହୋଇ , ଦୁଇ ଆଣ୍ଠୁ ମଝିରେ ମୁଣ୍ଡ ଗେଞ୍ଜି, ପିଣ୍ଡା ଉପରେ ଉଭା ହୋଇ ବସି ଥିଲା । ବିଡି ଟାଣୁ ଥିଲା । କୁମାରକୁ ଦେଖି ଚଟକରି ଉଠି ପଡ଼ିଲା । ପଛ ପଟକୁ ହାତକୁ ବୁଲେଇ ନେଇ ଭଦ୍ରତାର ପରିଚୟ ଦେଲା ।
ଆପଣ ଆଜ୍ଞା! ଶୋଇ ନାହାଁନ୍ତି? କିଛି ଦର୍କାର କି?
ନା ନା । ନିଦ ଲାଗୁନି ତ’ ବାହାରକୁ ଆସିଗଲି ।
ତୁମେ ଏ ଯାଏ ଯାଇନାହଁ ହରିଶ୍?
ନା ଆଜ୍ଞା, ଆପଣଙ୍କର କାଳେ କ’ଣ ଆବଶ୍ୟକ ପଡ଼ିବ ବୋଲି ରହିଥିଲି । ଚାଲିଯିବି ।
ଓକେ ତୁମେ ବିଡି ଟାଣ । ମୋର କିଛି ଅସୁବିଧା ନାହିଁ । ନାଇଁ ଆଜ୍ଞା । କୁଣ୍ଠିତ ସ୍ୱରରେ ଗୁଁ ପୁଁ ହେଲା ।
ଆରେ ଚଳିବ । ହରିଶ୍ର ସଂକୋଚତାକୁ ହୃଦୟଙ୍ଗମ କରି
ପରିବେଶକୁ ସହଜ କରିବାକୁ ଚେଷ୍ଟା କଲା କୁମାର ।
ହରିଶ୍ ସେଠୁ ଉଠିଗଲ।। ଚଟ୍ କରି ଯାଇ ଚୌକି ଖଣ୍ଡେ ଆଣି ପକେଇ ଦେଲା ।
ବସନ୍ତୁ ଆଜ୍ଞା । ବଢିଆ ପବନ ଦେଉଛି । ଭଲ ଲାଗିବ ।
କ୍ରମଶଃ…
Comments are closed.