ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୬
ଆରାଧ୍ୟା ଧିରେଧିରେ ଅବସାଦରୁ ବାହାରି ଆସୁଛି । ସେଥିପାଇଁ ତା’କୁ ଆଉ ମେଡ଼ିସିନ ଦର୍କାର ନାହିଁ । ଦୃଢ଼ ଆତ୍ମବିଶ୍ୱାସ ହିଁ ଯଥେଷ୍ଟ । ତା’କୁ ନିଃସଙ୍ଘ ଲାଗୁନାହିଁ । ତା’ ପାଖରେ କିଏ ଥିଲେ ବା, ନ’ଥିଲେ ଫରକ୍ ପଡୁନାହିଁ । କୌଣସି କଥାରେ ମନ ନାହିଁ । କାହା ପାଇଁ ଆଶା ନାହିଁ, ଅଭିମାନ ନାହିଁ ଅଭିଯୋଗ ବି ନାହିଁ । ବା ହେଇପାରେ ଏ ସବୁ ପାଇଁ ତା’ ପାଖରେ ଆଉ ସମୟ ହିଁ ନାହିଁ ।
ସେ ନିଜକୁ ହଜେଇ ଦେଇଛି ଗୋଟେ ଭିନ୍ନ ଦୁନିଆରେ । ରଙ୍ଗ, ତୂଳୀ ଓ କାନ୍ଭାସ୍ ହିଁ ଏବେ ତା’ ଦୁନିଆ । ସେ ଫେରିଯାଇଛି ତା’ ପୁରୁଣା ଦିନକୁ । ସ୍ୱପ୍ନ ଦୁନିଆକୁ ।
ତା’ର ପ୍ରାୟ ସମୟ କଟୁଛି ଷ୍ଟଡିରୁମରେ । ସକାଳଠାରୁ ରାତି ଯାଏ ସେଇଠି । କେବେକେବେ ଖାଇବାକୁ ବି ଭୁଲିଯାଏ । ଘରକାମ ପାଇଁ ଆସିଥିବା ଝିଅଟି ଖାଇବା ବାଢ଼ି ଷ୍ଟଡି ରୁମ୍ରେ ଦେଇଆସେ । ୟା’ ଭିତରେ ସେ ଗୁଡାଏ ପେଣ୍ଟିଙ୍ଗ୍ କରି ଘର ଭର୍ତ୍ତି କରିସାରିଲାଣି ।
ବୈଭବଙ୍କର ଠିକ୍ ଠିକଣା ନାହିଁ । ଯଦି ବା ଫେରନ୍ତି, ତେବେ ଲେଟ୍ ନାଇଟ୍ ଯାଏ ବାର୍ରେ କଟେ । ତାଙ୍କର ତ କଳା ପ୍ରତି ବିଶେଷ ଆଗ୍ରହ ନ’ଥାଏ । ଯଦି କେବେ
ଭିତରକୁ ପଶି ଆସନ୍ତି, ତ ଦୁନିଆ କଥା ପଚାରିବେ ।
“ଏ ଚିତ୍ରର ମାନେ କିଛି ଅଛି ନା, ଏମିତି ଖାଲି ଆଙ୍କି ପକେଇଛ ? ବଡ଼ବଡ଼ ଆର୍ଟିଷ୍ଟ ବୋଲୋଉ ଥିବା ଲୋକଙ୍କର ତ’ ସେଇ ଧନ୍ଦା । ଏଣୁ ତେଣୁ କ’ଣ
ଗାରିଆ ମାରିଆ କରି କହିବେ, ମର୍ଡନ୍ ଆର୍ଟ । ତା’ଙ୍କ ଠାରୁ ଜୁନିୟର ମାନେ ଆଉ କ’ଣ ଶିଖିବେ ? ଯାହା କରୁଛ କର, ତୁମ ଟାଇମ୍ ତ’ କଟୁଛି , ସେତିକି କାଫି” କହି ଉପହାସର ହସ ହସି ଚାଲିଯାଆନ୍ତି ।
Comments are closed.