Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭

ତୋ’ର ମନେଥିବ, ସେତେବେଳେ ସେ କଥାକୁ ନେଇ ହଷ୍ଟେଲରେ ଖୁବ ଚର୍ଚ୍ଚା ହେଇଥିଲା । ସୁଇସାଇଡ଼୍‌କୁ ଯେତେ ଦୁର୍ଘଟଣାର ରୂପ ଦେଇ ଲୁଚେଇବାକୁ ଚେଷ୍ଟା କଲେ ବି, କିଛି ଜଣ ସହଜରେ ଗ୍ରହଣ କରି ନଥିଲେ । ସାମ୍ନାରେ କିଛି ନ’ କହିଲେ ବି ପଛରେ ଚାପା ଗୁଞ୍ଜଣଟେ ଲାଗିରହିଲା । ଅନର୍ଗଳ କହି ଚାଲିଥାଏ ଲିପି ।
ପରେପରେ ତାଙ୍କ ଘର ଲୋକ ଆସି ତାକୁ ହଷ୍ଟେଲରୁ ନେଇଗଲେ । ବହୁତ ବୁଝାସୁଝା କରି ତା ଅନିଛା ସତ୍ତ୍ୱେ ବି ତା’ ବାହାଘର
କରେଇଦେଲେ ଅନ୍ୟଠି । ଭୂଲଟେ ତ’ କରି ପକେଇଥିଲା, ତେଣୁ ଠିକରେ ପ୍ରତିବାଦ ବି କରିପାରିଲାନାହିଁ । ବାହା ହେଲା ।
ଜାଣିଛୁ ତା’ର ସେ ପ୍ରତାରକ ପ୍ରେମିକ କିଏଥିଲା?
କିଏ??
କିଏ ଆଉ… ବୈଭବ । ତୋ ସ୍ୱାମୀ ।
ହ୍ୱାଟ୍‌! ପାଗଳ ହେଲୁକି! ଆଶ୍ଚର୍ଯ୍ୟ ହେଇଗଲା ଅରୁ । କ’ଣ କହୁଛୁ , କାହା ବିଷୟରେ କହୁଛୁ ଜାଣିଛୁ ତ? ତା’ ପୁଣି ମୋ
ସାମ୍ନାରେ କହୁଛୁ!
ଏଇ ଓଭର ସ୍ମାର୍ଟ ଗୁଣ ପାଇଁ, ଅନେକ ଲିପି ଉପରେ ରାଗନ୍ତି । କ’ଣ ନା ସତ କହେ ! ହେଉ ବରଂ ସେ ଅପ୍ରିୟ ।
ତୋ ସାହସ କେମିତି ହେଲା ବେ, ବୈଭବଙ୍କ ଉପରେ ଏପରି ଆରୋପ ଲଗେଇବାକୁ । ତୁ କଲେଜ ସାଙ୍ଗ । ତା’ ବୋଲି କ’ଣ ଯା ନାଇଁ ସେୟା କହିଯିବୁ? ଯଦି ବା କିଛି ସମ୍ପର୍କ ଥିଲା, ଥିବ । କେତେ ପୁରୁଣା କଥା ଇଏ । ସେ ବୟସରେ ସେମିତି ହବାତ ନିହାତି ଅସ୍ୱାଭାବିକ ନୁହେଁ ! ଏତେ ବର୍ଷ କଥା ଏବେ କାହିଁକି ଉଠେଇଲୁ । ତାପରେ ବୈଭବ ଏମିତି କେବେ ବି ପ୍ରତାରଣା କରିନଥିବେ ।
ମୁଁ ସତ କହୁଛି ।
ଚୁପ୍ କର । ଏଇଥି ପାଇଁ ଡାକିଥିଲୁ?
ଫାଜିଲ୍ ଝିଅ କହି ତା’ ଗାଲରେ ଦେଲା ଗୋଟେ ଶକ୍ତ ଚଟକଣି ।
ରାଗରେ ତା’ ସର୍ବାଙ୍ଗ ଜଳିଯାଉଥିଲା ।
ଜମାରୁ ତତେ ହଟ୍ କରିବାକୁ ଚାହିଁନି ଅରୁ । ମାରିଲୁ , ଭଲ କଲୁ । ବୈଭବ ପ୍ରତି ତୋ’ ଭଲ ପାଇବାର ପ୍ରମାଣ ଇଏ ।
“ଚାଲଲି ବାଏ ।”

(କ୍ରମଶଃ)

Comments are closed, but trackbacks and pingbacks are open.