ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୪
ତା’ଙ୍କ ଅନାଗ୍ରହ ଦେଖି ମାମୁଁ ମାଇଁ ମଧ୍ୟ ଧିରେଧିରେ ଦୂରେଇ ରହିଲେ । ବଡ ଘରେ ଭାଣିଜୀ ବିଭାଦେଇ ସେ ଚୁପ୍ ରହିଲେ । ଏବେ ସେ କୋଉ ମୁହଁ ନେଇ ସେଠାକୁ ଯିବ? କ’ ଣ କହିବ? ତା’ର ମନେ ପଡୁଲା ଲିପି କଥା । ନିଜର ସାମାନ୍ୟ ସ୍ୱାର୍ଥ ପାଇଁ ନନ୍ଦିତାକୁ ଦେଇଥିବା ପ୍ରତାରଣା କଥା । ଯେଉଁଥିପାଇଁ ନନ୍ଦିତା
ଝୁରିଝୁରି ମରିଗଲା । ତା’ ର ମନେ ଅଛି, ଲିପି କଥାକୁ ଅବିଶ୍ୱାସ କରି ସେ କେମିତି ତା ଗାଲରେ ଶକ୍ତ ଚଟକଣି ଦେଇ ଫେରି ଆସିଥିଲା । ତା’ର ଆଉ ବି ମନେ ପଡୁଛି, ଅନେକ ଥର ତାଙ୍କୁ ସନ୍ଦେହ କରିବାର କାରଣ ପାଇ ବି, ସେ କିପରି ଅଣାଦେଖା କରିଦେଇଛି । କ୍ଷମା କରି ଦେଇ, ନିଜ ମନକୁ ବହଲେଇ ଦେଇଛି ।
ଆଲିଆ କଟିକୁ ଭିଡ଼ି ଧରି ଡ଼୍ୟାନ୍ସ ଫ୍ଲୋରରେ ଝୁମିବା କଥା, ବି ମନେ ପଡ଼ିଲା । ଦିନଦିନ ବିଜିନେସ୍ କାମ ପାଇଁ ବାହାରେ ରାତି ବିତେଇବା କଥା ।
ତେବେ ତାଙ୍କ ଜୀବନରେ ୟା’ ର ଭୂମିକା କ’ଣ ଥିଲା! ମାଟି କଣ୍ଢେଇ!
ଯେତେବେଳେ ଇଛା ଖେଳିଲେ, ଯେବେ ଇଛାମରିଗଲା, ଝାଡିଝୁଡି ଥାକରେ ସଜେଇ ଦେଲେ!
ଏ ସବୁକୁ ଗୋଟିଏ ସାଇଡ଼ କରି ଅନ୍ୟମାନଙ୍କ କଥା ଭାବିଲେ, ତାକୁ ଖୁବ୍ ବେଶୀ ଦୁଃଖ ଲାଗୁଛି । ଏମିତି ଅଚାନକ କମ୍ପାନୀ ବନ୍ଦ ହେଇଯିବା ଫଳରେ କେତେ ପରିବାର ଆଜି ରାଜରାସ୍ତାକୁ ଚାଲିଆସିଲେ! କିଛି ବିକଳ୍ପ ତ ଥିବ ନିଶ୍ଚୟ । ସମସ୍ତଙ୍କ ବିଶ୍ୱାସକୁ ଧୂଳିସାତ୍ କରି ଚାଲିଯିବାଟା ଯେ, କେତେ ବଡ଼ ଅପରାଧ!
ତା’କୁ ବହୁତ ବେଶୀ ଅସ୍ଥିର ଲାଗୁଛି ।
ଆଖିରୁ ଲୁହ ପୋଛିଲା । ଧିରେଧିରେ ଷ୍ଟଡି ରୁମ୍ ଆଡ଼କୁ ପାଦ ବଢେଇଲା । କାନଭାସ୍ ଉପରେ ମନର କୋହକୁ ଆଙ୍କିଦେଇ ପାରିଲେ ସେ ସାମାନ୍ୟ ସ୍ଥିର ହେଇ ପାରିବ । ନହେଲେ ଏଇକ୍ଷଣୀ ତା’ ହାର୍ଟଫେଲ୍ ହେଇଯିବ ।
ତୂଳୀଧରି ଆଙ୍କି ଚାଲିଲା । କ’ଣ ଆଙ୍କୁଛି ମାଲୁମ୍ ନାହିଁ । ସେ ହୁଏତ ଆଙ୍କୁ ନାହିଁ । ତା’ ହାତ ଧରି କେହି ଜଣେ ଆଙ୍କି ଚାଲିଛି ।
କ୍ରମଶଃ
Comments are closed.