Latest Odisha News

BREAKING NEWS

ଭିଜିଲାନ୍ସ ଟିମକୁ ଦେଖି ଲାଞ୍ଚ ଟଙ୍କା ଲୁଚାଇଥିଲେ ପାଇଖାନାରେ, ଏବେ ହିସାବ ଦେଉଛନ୍ତି

ବରଗଡ଼: ହାତଗୁଞ୍ଜା ଦେଲେ ହୋଟେଲ ଖୋଲିବାକୁ ଲାଇସେନ୍ସ ମିଳିବ । ନହେଲେ ହୋଟେଲ ଖୋଲିପାରିବନି। ଏପରି କଛି କହି ନିଜ ଚାକିରିରି ବହପ ଦେଖାଉଥିଲେ ବରଗଡ଼ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସର ବା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଚୁଲବତୀ ସାହୁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏପରି ହାତଗୁଞ୍ଜା ମାଗୁଥିଲେ ତାଙ୍କର ଉପସ୍ଥିତି ବୁଧି ଯୋଗୁଁ ଜଣେ ଦୁର୍ନୀତିଖୋର ସରକାରୀ ଅଧିକାରୀ ବଡ ଅଡୁଆରେ ପଡିଛନ୍ତି । ଯୋଜନା ମୁତାବକ  ସରକାରୀ ଅଧିକାରୀ ଜଣଙ୍କ ନେଇଥିବା ଲାଞ୍ଜ ଟଙ୍କାକୁ ଭିଜିଲାନ୍ସ ଏକ ପାଇଖାନା ଘରୁ ଜବତ କରିଛି । ଏବେ ଏହି ଦୁର୍ନୀତିଖୋର ସରକାରୀ ଅଧିକାରୀ ତଥା ଉଚ୍ଚ ଶିକ୍ଷିତା ଡଃ ଚୁଲବତୀ ସାହୁଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା କରୁଛି।

ବରଗଡ଼ ଭିଜିଲାନ୍ସ ଓ ସମ୍ବଲପୁର ଭିଜିଲାନ୍ସର ମିଳିତ ଟିମ୍ ଚଢ଼ାଉ କରି ବରଗଡ଼ ଭଟଲି ରୋଡ ସ୍ଥିତ ଶ୍ରୀକୁଞ୍ଜ ଆପାର୍ଟମେଣ୍ଟ ସ୍ଥିତ ଡାକ୍ତରଙ୍କ ବାସ ଭବନରେ ଥିବା ପାଇଖାନା ଘରୁ ଏଗାର ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏନେଇ ଏକ ମାମଲା ରୁଜୁ କରି ବରଗଡ଼ ଭିଜିଲାନ୍ସ ପକ୍ଷରୁ ଡାକ୍ତରଙ୍କ ବାସ ଭବନରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଘରର ଖାନ ତଲାସୀ ଜାରି ରଖିଛି ।  ଏହି ଘଟଣାରେ ଡାକ୍ତର ଚୁଲବତୀ ସାହୁଙ୍କୁ ଭିଜିଲାନ୍ସ ଅଟକି ରଖି ଅଧିକ ପଚରା ଉଚୁରା କରୁଛି ।

ଖୁବଶୀଘ୍ର ଲାଞ୍ଚ କାରବାରକୁ ନେଇ ଡାକ୍ତରଙ୍କୁ ଗିରଫ କରାଯିବ ବୋଲି ବରଗଡ଼ ଭିଜିଲାନ୍ସ ଡିଏସପି କହିଛନ୍ତି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଭିଡେନ ବ୍ଲକର ଖାଉପାଲି ଗାଁର ହୃଷିକେଶ ପଧାନ ଏକ ହୋଟେଲ ଖୋଲିବା ପାଇଁ ଫୁଡ଼ ସେଫ୍ଟି ଲାଇସେନ୍ସ ପାଇଁ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସରଙ୍କ ପାଖରେ ଆବେଦନ କରିଥିଲେ । ଫୁଡ ସେଫଟି ଲାଇସେନ୍ସ ପ୍ରଦାନ ପାଇଁ ପାଞ୍ଚ ହଜାର ଟଙ୍କା ଓ ଅନ୍ୟ ଏକ ଫି ପାଇଁ ଛଅ ହଜାର ଟଙ୍କା ମୋଟ୍ ଏଗାର ହଜାର ଟଙ୍କା ଦେବା ପାଇଁ ଡ଼ଃ ଚୁଲବତୀ ସାହୁ କହିଥିଲେ ।  ଟଙ୍କା ନଦେଲେ ଲାଇସେନ୍ସ ମିଳିବ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ । ହୃଷିକେଶ ପଧାନ ବାରମ୍ବାର ଅଫିସକୁ ଧାଇଁବା ସତ୍ତ୍ୱେ ତାଙ୍କୁ ଫୁଡ଼ ଲାଇସେନ୍ସ ମିଳିନଥିଲା ।

ଶେଷରେ ବାଧ୍ୟ ହୋଇ ହୃଷିକେଶ ପଧାନ ଭିଜିଲାନ୍ସ ବିଭାଗ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୂର୍ବ ଯୋଜନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ହୃଷିକେଶ ପଧାନ ଡ଼ଃ ଚୁଲବତୀ ସାହୁଙ୍କୁ ଟଙ୍କା ଦେଲା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ଭିଜିଲାନ୍ସ ଟିମର ଅତର୍କିତ ଚଢ଼ାଉ ଦେଖି ଭୟରେ ପାଇଖାନା ଭିତରେ ଟଙ୍କା ପକାଇ ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରିଥିଲେ କିନ୍ତୁ ଭିଜିଲାନ୍ସ ଟିମ ପାଇଖାନାରୁ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଥିଲା । ପୂର୍ବରୁ ଡ଼ଃ ଚୁଲବତୀ ସାହୁଙ୍କ ନାଁ ରେ ବିଭିନ୍ନ ପ୍ରମାଣ ପତ୍ର ଆଳରେ ଲକ୍ଷାଧିକ ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ରହିଥିଲା।

Leave A Reply

Your email address will not be published.