ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୪
ଆରାଧ୍ୟା ତ ମେଘ ଦେଖିଲା ମାତ୍ରେ, ପିଲାଦିନୁ ହିଁ ଅନ୍ୟମନସ୍କ ହେଇପଡେ ।
ମେଘ ଘୋଟିଲେ, ଆକାଶର ରଙ୍ଗ ବଳିଯାଏ । ଇଶ୍ୱର ବୋଧହୁଏ, ଛୋଟ ଛୁଆ ପାଲଟି ଯାଆନ୍ତି । ତାଙ୍କ ଅନଭିଜ୍ଞ ହାତରେ ଭିନ୍ନଭିନ୍ନ ଚିତ୍ରମାନ ଆଙ୍କୁ ଥାଆନ୍ତି ଓ ଲିଭେଇ ଦିଅନ୍ତି । ସାରା ଆକାଶଟା ତା’ ପାଇଁ ସ୍ୱପ୍ନ ନଗରୀ ପାଲଟିଯାଏ । ଯେଉଁଠି ସେ ନିଜକୁ ଅନୁଭବ କରିପାରେ । ନିଜକୁ ହଜେଇ ପାରେ । ଭିଜେଇ ପାରେ ।
ଅରୁ…ଏ ଅରୁ..
ତା’ ଅନ୍ୟମନସ୍କତାକୁ ବାଧାଦେଇ କୁମାର ଡାକିଲା । ଝଡ ବର୍ଷା ଯୋଗୁଁ କରେଣ୍ଟେ ଚାଲିଗଲାଣି । ଘର ସାରା ଅନ୍ଧାର । ମୋବାଇଲ ଟର୍ଚ୍ଚରେ ଆରାଧ୍ୟା ପାଖକୁ ଗଲା କୁମାର ।
ଓ ମ ଇଁ ଗଡ୍… ଦେଖ ତ କେତେ ଓଦା ହେଲଣି । ଚେତା ନାହିଁ କି ତୁମର? ଝର୍କା କାହିଁକି ଖୋଲିଛ ଶୁଣେ? ଦେଖିଲ ବେଡ଼ସିଟ୍ବି ଭିଜିଗଲାଣି । ଆଜି ରାତିରେ ଶୋଇବ କେମିତି? ଶୁଣୁଛ ନା ନାହିଁ?
କ୍ୟାଣ୍ଡେଲ କୋଉଠି ଅଛି ବାହାର କର ଆଗ । ମୁଁ ଜଳେଇ ଦିଏ । ମୋ ମୋବାଇଲରେ ଚାର୍ଜ ନାହିଁ । ଏଇନା କଟିଯିବ । ଦେଲ, ଦିଅ ।
ଏକ ନିଃଶ୍ୱାସରେ ଏତିକ କହି ସାରି ପୁଣି ଆରାଧ୍ୟାକୁ ଚାହିଁଲା । ସେ ଯାହା କହିଥିଲା ସେୟା । କିନ୍ତୁ ଆଖିଭରି ଏବେ
ଦେଖୁଛି । ଓଦା ସର୍ସର୍ ପତଳା ସିଫନ୍ ଶାଢି, ତା’ ଦେହରେ ଜଡେଇ ଯାଇଛି । ସୌନ୍ଦର୍ଯ୍ୟରେ ଭରା ପଥର ଖୋଦେଇ ମୁର୍ତ୍ତିଟିଏ ଦିବ୍ୟ ଝଟକରେ ଝଟକି ଯାଉଛି । ଓଦା କେଶରୁ ଝରୁଛି ଥପ୍ଥପ୍ ପାଣି । ଦେହଥରା ଶୀତରେ ଥରିଯାଉଛି ସାରା ଶରୀର । ତାକୁ କିନ୍ତୁ ଖାତିର ନାହିଁ । କିଛି କ୍ଷଣ ଆଗରୁ ସାରାଦିନର କର୍ମକ୍ଲାନ୍ତରେ ଝାଉଁଳି ପଡିଥିବା ମୁହଁରେ ଏବେ ଅଦ୍ଭୁତ ସତେଜପଣ । ବିଜୁଳି ଆଲୁଅରେ ଚିକ୍ଚିକ୍ କରୁଥିବ ମୃଗୁଣୀ ଆଖି ହଳକ, ଏ ଅନ୍ଧକାରମୟ ରାତିଠାରୁ ବି ଅଧିକ ରହସ୍ୟମୟ ଓ ଗଭୀର ।
ଦୁହେଁ ଦୁହିଁଙ୍କୁ ଏକ ଲୟରେ ଚାହିଁଛନ୍ତି । କୁମାର ଆରାଧ୍ୟାକୁ ଏମିତି ରୂପରେ ପ୍ରଥମେ ଏତେ ପାଖରୁ ଦେଖୁଛି । ଏମିତି ବେଳା ଓ ଏ ଆକର୍ଷଣୀୟ ଆଖି । କୌଣଷି ବି ପୁରୁଷର ଚିତ୍ତ ଚହଲି ଯିବା ଅସମ୍ଭବ ନୁହେଁ । ଆଉ ସେ ତ’ ମନେମନେ ଭଲପାଏ ଆରଧ୍ୟାକୁ । ଓଃ..କି ଜଟିଳ ମୁର୍ହୂତ୍ତ ଇଏ ।
କ୍ରମଶଃ
Comments are closed.