ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୬
ଏମିତି ସମୟରେ ସ୍ପର୍ଶ କଲେ ଶରୀରରେ କି’ ପ୍ରକାର ଶିହରଣ ହୁଏ ! ମନ ଉଚ୍ଚାଟ ହୁଏ । ନିଜକୁ ଆୟତ କରିବା କେତେ କଷ୍ଟ! ତା’ ପୁଣି ଦୁର୍ବଳତା ଥିବା ମଣିଷଟି ପାଖରେ!
ମତେ ଛାଡ ଆରାଧ୍ୟା । ଛୁଅଁନା ଏମିତି । ମୋ ସଂଜମତାର ପରୀକ୍ଷା ନିଅନା ପ୍ଲିଜ୍ । ବହୁତ କଷ୍ଟ । ଛାଡ ମତେ..
ମତେ କିନ୍ତୁ ଆଜି ଧରିନିଅ କୁମାର ।
ଏ କ’ଣ କହୁଛ?
କିଛି ପଚାରନା ଆଜି । ଯାଣେନା ମୁଁ କ’ଣ କହୁଛି । ବାସ୍….କହୁଛି ।
ନିଶାଖୋର ରାତିରେ ଦପ୍ଦପ୍ ଜଳୁଥିଲା ଦୁଇ ହଳ ନିଶାସକ୍ତ ଆଖି । ଦାଉ ଦାଉ ହେଉଥିଲା ଛାତି । ଭିଜାଭିଜା କମ୍ପିତ ଓଠ ହଳକ ଏକ ହେଇଯିବାକୁ ବ୍ୟାକୁଳ ହେଇ ଉଠିଲେ । କାହାରି ଆପତ୍ତି କରିବାର ନାହିଁ । କାମନା ଅଗ୍ନିରେ ଧମନୀରେ ଧାଉଁଥିଲା ଉଷୁମ ସ୍ରୋତର ପ୍ରବାହ । ଶେଷରେ ସବୁ ସଂଯମତାକୁ ହରେଇ ବସିଲେ । ଏକ ମନ ଏକ ଆତ୍ମା, ଏକ ଶରୀର ।
ଭୋରରୁ କୁମାରର ଆଖି ଖୋଲିଲା । ତା’ ବାହୁ ବନ୍ଧନରେ ଆରାଧ୍ୟା । ସୁନ୍ଦର କୋମଳ ମୁହଁରେ ଚରମ ଶାନ୍ତିର ନିଦ । ନିଜକୁ
ବିଶ୍ୱାସ କରି ପାରିଲା ନାହିଁ ସେ । କୁହୁକ ରାତ୍ରିର ଅନ୍ଧକାର ଭିତରେ ଏ ସବୁ କ’ଣ ଘଟିଗଲା! ସେ ନିଜକୁ ସଂଜତ କରିବାର ଥିଲା । ଆରାଧ୍ୟାଠାରୁ ଦୂରେଇ ରହିବାର ଥିଲା । ବନ୍ଧୁତ୍ୱର ସମ୍ନାନ ରଖିବାର ଥିଲା । ସେ କିନ୍ତୁ ସେମିତି କରି ପାରିଲା ନାହିଁ । କାହିଁକି?
କେହି ନ’ ଜାଣିଲେବି, ତା’ ଅନ୍ତରାଆତ୍ମା ତ ଜାଣେ, ଆରାଧ୍ୟା ପ୍ରତି ତା’ର ମନଭାବ କ’ଣ! ସେ କ’ଣ ନିଜକୁ ଫାଙ୍କି ଦେଇପାରିବ ? ଭୁଲ କରିଛି ସେ । ତେବେ ସେ କ’ଣ ସ୍ୱାର୍ଥୀ ! ଅରୁର ଏକଲାପଣର ସେ ଫାଇଦା ନେଇଛି?
ନା କଦାପି ନୁହେଁ । ସେ କେବେ ବି ଏପରି ହେଇପାରେନା । ଏଇଟା ସତ ଯେ, ଅରୁ ପାଇଁ ତା’ ମନରେ ଯଥେଷ୍ଟ ଦୁର୍ବଳତା ଅଛି । ତା’ ସହ ଏହା ବି ସତ ଯେ, ସେ ତା’କୁ ସମ୍ନାନ କରେ । ଯେଉଁ ସମ୍ପର୍କରେ ସମ୍ନାନ ଅଛି, ଶ୍ରଦ୍ଧା ଅଛି, ଭଲପାଇବା ଅଛି , ସେଠି ସ୍ୱାର୍ଥର ସ୍ଥାନ ଆସିଲା କେଉଁଠୁ ? ଯାହା ଘଟିଗଲା ତାହା ଏକ ଆକସ୍ମିକ ଆବେଗ ।
କ୍ରମଶଃ
Comments are closed.