ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୦
କ’ଣ ଧିକ୍କାର କରିବ! ସେ ଦିନର ଘଟଣା ପାଇଁ ସୁବିଧାବାଦୀ, ସ୍ୱାର୍ଥବାଦୀର ଆଖ୍ୟା ଦେବ । ଦେଉ ସେ ସହିଯିବ । ସେ ଜାଣେ,
ଜାଣି ଜାଣି କିଛି କରିନାହିଁ । ସମୟ ଚକ୍ରରେ ଯାହା ଘଟିଗଲା, ତା’ ଥିଲା ଏକ ପ୍ରବାହ । ଆସିଲା ଓ ବୋହିଗଲା । ସେଥିପାଇଁ ବି ସେ ଅନୁତପ୍ତ ।
ମାନୁଛି, ଭୂଲ କରିଛି ସେ, ନିଜର ସଂଜମତାକୁ ହରେଇ ଭୂଲ କରିଛି । କିନ୍ତୁ ପାପ ନୁହେଁ । ଏମିତି ଅନେକ ଆଶା ଓ
ବିରୋଧାଭାସରେ ଛନ୍ଦି ହେଉଥାଏ କୁମାର ।
ବସ କୁମାର । କିଛି କହିବ? କିଛି ପଚାରିବ?
ଦେଖ ଅରୁ । ମୁଁ ଆଗରୁ ସବୁ କିଛି ସ୍ପଷ୍ଟ କହିଦେବାକୁ ଚାହେଁ ।
ଏତେ ଅସ୍ଥିର, ବିଚଳିତ କାହିଁକି ? ଆସିଲା ବେଳଠାରୁ ମୁଁ ସେଇୟା ଲକ୍ଷ୍ୟ କରୁଛି । ସେଥିପାଇଁ ଏ ପଟକୁ ଡାକି ଆଣିଲି । ଆଉ ଶୁଣ, ଆଗ ନିଜକୁ ସ୍ଥିର କର, ତା’ ପରେ ଯାହା କହିବା କଥା କହିବ । ସବୁ କଥା କ୍ଲିୟର ହେଇଗଲେ ଆପେ ସ୍ଥିରତା ଆସିଯିବ ।
ମତେ ବୁଲେଇ ବଙ୍କେଇ କିଛି ଆସେନା । ମୁଁ ସିଧା କହୁଛି । ଦେଖ ଅରୁ, ସେ ଦିନ ଯାହା ଘଟିଗଲା, ସେଥିପାଇଁ ମତେ କ୍ଷମା କର । ଜାଣିଜାଣି କିଛି ବି କରି ନାହିଁ । ବାସ୍ ହେଇଗଲା ।
ଏଇଠୁ ଗଲା ପରଠାରୁ, ସେ ଗୋଟିଏ କଥା ମତେ ଭିତରୁ ମାରିଦେଉଛି । ମୁଁ ସେଥିପାଇଁ ଲଜ୍ଜିତ । ବନ୍ଧୁତାର ସୀମା ଲଙ୍ଘିଛି । ଭୂଲ କରିଛି । ନିଜକୁ କଣ୍ଟ୍ରୋଲ କରି ପାରିଲି ନାହିଁ । ଯାହା ଦଣ୍ଡ ଦେବ ମାନିବାକୁ ପ୍ରସ୍ତୁତ ।
ଦୀର୍ଘ ନିଃଶ୍ୱାସଟିଏ ନେଲା ଅରୁ ।
ଏତେ ଦିନ ଭିତରେ ତୁମକୁ ଠିକ୍ ବୁଝି ସାରିଛି । ଜାଣିଥିଲି ତୁମେ ଏଇୟା ଭାବିଥିବ । ହେଲେ ଏତେ ଆତ୍ମଗ୍ଲାନି କାହିଁକି କୁମାର ? ତୁମେ ନିଜକୁ କଣ୍ଟ୍ରୋଲ କରି ପାରିଲ ନାହିଁ । ଆଉ ମୁଁ କେଉଁ କରିପାରିଲି?
କ୍ରମଶଃ
Comments are closed.