ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୯
ଆଜି କି’ ବେଳା! ଏତେ ପାଖରେ ଥାଇ ବି, ଏ କଥା କେହିହେଲେ କେବେ ଦିନେ କୁହାକୁହି ହେଇନାହାଁନ୍ତି । ଆଜି ଯାଏ ଜାଣି ନାହାଁନ୍ତି । ଏବେ ଦୁହେଁ ପରସ୍ପର ପାଖରେ ଅଧିକ ନିଜର ଲାଗିଲେ । ସ୍ୱାଭାବିକ । ନିଜ ସାଇଡ଼ର ଲୋକ ବୋଲି ଜାଣିଗଲେ ଆପେଆପେ ଆପଣାର ଭାବ ଉକୁଟି ଉଠେ । ଯୁଗଯୁଗରୁ ଚିହ୍ନା ଜଣା ପରି । ସେଠି ନ’ଥାଏ ଛଳନା । ନିଜକୁ ନୂଆନୂଆ ଢ଼ଙ୍ଗରେ ପ୍ରଦର୍ଶିତ କରିବାର ଆବଶ୍ୟକତା ନ’ଥାଏ । ପରସ୍ପରର ଅତୀତ ବିଷୟରେ ଅବଗତ ସେମାନେ ।
ଯିବା?
ହୁଁ..
କୁମାର ଗାଡ଼ି ପୁଣି ଷ୍ଟାର୍ଟ କଲା । ବହୁତ ଖୁସି ଲାଗୁଛି ମ୍ୟାଡ଼ମ୍ । ମୁଁ କଳ୍ପନା ବି କରି ନଥିଲି । ଆପଣ ସେଇ ଗାଁ ରେ ରହୁଥିଲେ, ମୁଁ ଅନେକ ଥର ଅପାଘରକୁ
ଯାଇଛି । ଭାର ନେଇକି । ରଜ, କୁମାର ପୁନେଇଁ.. ଅପା ଚାରି ପାଞ୍ଚ ଦିନ ଅଟକାଇ ଦିଏ । କେବେ ତ’ ଆପଣଙ୍କ ସହ ଭେଟ ହେବାପରି ମନେପଡୁନି । ଅବଶ୍ୟ ମୁଁ ବେଶୀ ବାହାରକୁ ଯାଏନା । ସେ ଗାଁ ମତେ ଯେତେ ଭଲଲାଗିଲେ ବି, ଆମ ଗାଁ ପରି ଫ୍ରି ହେଇପାରେନା । ଅପା ତ’ ବହୁତ ଆଦର କରେ ।
ହାଃହାଃହାଃ..
ଖୁସିରେ ଉଛୁଳି ପଡୁଛି ଆରାଧ୍ୟା । ଗାଁ ର ସ୍ମୃତି ସବୁ ଲିଭିଲିଭି ଗଲାବେଳେ ଆଲୁଅ ଧରି କେହିଜଣେ ତ’ ଆସିଲା । ତା’ ଲିଭି ଆସୁଥିବା ସ୍ମୃତିକୁ ଉଜ୍ଜୀବିତ କଲା ।
ସତରେ ଆଜି ବହୁତ ଖୁସିର ଦିନଟିଏ ଆମ ପାଇଁ । ପିଲାଦିନଟା ମୋ’ ଆଖିରେ ବି ନାଚୁଛି ମ୍ୟାଡ଼ମ୍ ।
ଚା’ ପିଇବେ? ହେଇ ସେଇ ଯୋଉଁ ଗାଁ ଶେଷମୁଣ୍ଡ ଚାଳ ଦୋକାନ.. ଆଞ୍ଚ ଲାଗିଲାଣି ବୋଧହୁଏ । ଧୂଆଁ ବାହାରୁଛି । ଦେଖିଲେ? କହିବେ ଯଦି ସେଇଠି ରଖିବି । ମାଟି କପ୍ରେ ବୁଢ଼ା ମଉସାର ଚା’ ଭାରି ଟେଷ୍ଟି ଲାଗିବ । ରଖିବି?
ଓକେ, କିନ୍ତୁ ଗୋଟିଏ ସର୍ତ୍ତରେ । କ’ଣ ମ୍ୟାଡମ୍?
ମ୍ୟାଡ଼ମ୍ ନୁହେଁ, ଆଜିଠାରୁ ଆରାଧ୍ୟା ବୋଲି କହିବ ।
ସଡ଼ନ୍ ବ୍ରେକ୍ ମାରିଲା କୁମାର ।
କ୍ରମଶଃ…..
Comments are closed.