ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
ଚିଠି ଚିଠି ଡାକିବାର ଶବ୍ଦ ଶୁଣାଗଲା ! ଦୁଆର ମୁହଁକୁ ଯାଇ ଦେଖେତ ପୋଷ୍ଟମ୍ୟାନ ଅଙ୍କଲ ହାତରେ ଗୋଟିଏ ନୀଳ ରଙ୍ଗର ଅନ୍ତର୍ଦେଶୀୟ ପତ୍ରଟେ ବଢ଼ାଇ ଦେଇ କହିଲେ, ମାଆ ତୋର ଚିଠି । ଖୁସିରେ ଚିଠିଟି ଖୋଲି ପକେଇଲା ଆସ୍ଥା । ତାର ଲେଖା ଲେଖି ପାଇଁ ଅନେକ ଆଡୁ ଅନେକ ଚିଠି ଆସେ। ଚିଠି ଖଣ୍ଡେ ପାଇଲେ ଖୁସି ହୋଇ ଯାଏ ସେ।
ଚିଠିଟି ଆସିଥିଲା ରାୟଗଡ଼ା ଜିଲ୍ଲାର ସ୍ୱପ୍ନିଳ ରଥ ନାମକ ଜଣେ ପ୍ରଶଂସକଙ୍କର। ସେଥିରେ ଥିଲା ଲେଖାପାଇଁ ଖୁବ୍ ପ୍ରଶଂସା , ପ୍ରତ୍ୟୁତ୍ତର ପାଇଁ ନମ୍ର ଅନୁରୋଧ । ଚିଠିଟି କାହିଁକି କେଜାଣି ବାରମ୍ବାର ପଢୁଥାଏ ଆସ୍ଥା ।ପୁଣି ବନ୍ଦ କରି କରି ଡାଏରୀ ଭିତରେ ପୁରେଇ ରଖିଦେଉଥାଏ। କିଛିଦିନ ପରେ ପୁଣି ଟାଣି ହୋଇଯାଏ ସେଇ ଚିଠି ଆଡ଼କୁ !! ଚିଠିର ଆକର୍ଷଣ ଖୁବ୍ ଅଦ୍ଭୁତ ଥିଲା ସତରେ ।
ଏହା ଭିତରେ ଦୀର୍ଘ ତିନି ମାସ ବିତିଗଲା ପରେ ସେ ଚିଠିଟିର ପ୍ରତ୍ୟୁତ୍ତରରେ ଧନ୍ୟବାଦ ସହ ଆଉ କିଛି ଏଣୁତେଣୁ ଲେଖି ପଠାଇଦିଏ ସ୍ୱପ୍ନିଳ ପାଖକୁ । ତାପରେ ରୀତିମତ ଚିଠି ଲେଖା। ମାସକୁ ଦୁଇ ତିନି ଖଣ୍ଡ ଚିଠି ନିଶ୍ଚିତ ଭାବରେ ଆସୁଥିଲା ସ୍ୱପ୍ନିଳ ପାଖରୁ । ଆସ୍ଥା ବି ଚିଠିର ଉତ୍ତର ଆଗ୍ରହରେ ଫେରାଉଥିଲା । ଦୁହେଁ ଦୁହିଁଙ୍କର ପତ୍ରବନ୍ଧୁଠାରୁ ଟିକେ ଅଧିକ ନିକଟତର ହୋଇଗଲେ ।
ମଝିରେ ମଝିରେ ଲ୍ୟାଣ୍ଡ ଲାଇନରେ ଦୁହେଁ ଦୁହିଁଙ୍କର ଭଲମନ୍ଦ ବୁଝୁଥାନ୍ତି। କଥା କହିଲେ ପଦେ ଅଧେ। ଫୋନ୍ ଧରି ବହୁତ ସମୟ ନୀରବତାରେ କଟିଯାଏ । ପରସ୍ପରର ଦୁଃଖସୁଖ ବାଣ୍ଟିବାରେ ବିତିଯାଉଥିଲା ସମୟ ସବୁ ; ଯାହା ସୁଖକର ଲାଗୁଥିଲା । ଆସ୍ଥାର ବିଶ୍ଵାସ ଦୃଢ଼ ହୋଇ ଚାଲିଲା ସ୍ୱପ୍ନିଳ ପ୍ରତି,ତାର ଅଙ୍ଗୀକାରବଦ୍ଧତା ପ୍ରତି ।ହେଲେ ସେମାନେ ଦୁହେଁ ଦୁହିଁଙ୍କୁ ଭେଟି ନଥିଲେ । କେବେ ବି ସୁଯୋଗ ନଥିଲା ସେମାନଙ୍କ ପାଖରେ । ଆସ୍ଥା ଅନୁଭବ କରୁଥିଲା କେହି ଜଣେ ଛାଇ ଭଳି ଅଛି ତା’ ପାଖରେ ତାର ସବୁ ଦୁଃଖ ସୁଖରେ । ସେହି ଅନୁଭ ଚିମୁଟାଏ ତାକୁ ପ୍ରତି ମୁହୂର୍ତ୍ତରେ ଚିମୁଟା ଦେଇ ଆଶ୍ୱାସନା ଦେଉଥିଲା ଯେ ସେ ଏକା ନୁହେଁ ।
କ୍ରମଶଃ
Comments are closed.