କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୮
ଦେବୀର ନିରବତା ଆସ୍ତେ ଆସ୍ତେ ସଚଳ ହେଲା। ସେ ଖୁବ୍ ଧିରେ ଦେବକୁ କହିଲା ହଁ ହଁ ପ୍ରେମରେ ଅଛି। ତା ପରେ ଫିକ୍ କରି ହସିଦେଲା। ଦେବ ଭିତରେ ଏକ ବିଚିତ୍ର ଅନୁଭବ ତାକୁ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବାରେ।
ହଠାତ୍ ଦେବ ଦେବୀର ଖୁବ୍ ପାଖକୁ ଚାଲିଆସିଲେ। ଯେତିକି ପାଖରେ ଜଣେ ଜଣକର ନିଃଶ୍ୱାସ ପ୍ରଶ୍ଵାସକୁ ଅନୁଭବ କରିପାରିବ। ଦେବୀ ଭିତରେ ଗୋଟେ ଶୁଖିଲା କାଠରେ ନିଆଁ ଲାଗିବାର ପ୍ରକ୍ରିୟା ଆରମ୍ଭ ହେଲା।
ଦେବୀ ଦେଖିଲା ଦେବ ତା ଆଡ଼କୁ ହାତ ବଢ଼ାଉଛି। ସେ କାଳବିଳମ୍ବ ନକରି ସେ ହାତ ଭିତରେ ନିଜକୁ ବନ୍ଦୀ କରିଦେଲା।କେଜାଣି କାହିଁକି ଏଇ ଦୁଇ ହାତ ଭିତରେ ନିଜର ସମଗ୍ର ଜୀବନ ବିତେଇ ଦେବାର ଏକ ଦୃଢ଼ ସଂକଳ୍ପ ତା ଭିତରେ ତିଆରି ହୋଇଗଲା।
ସେଦିନ ସେ ସନ୍ଧ୍ୟା ବେଳର ଅନୁଭୂତି ମନେପଡ଼ିଗଲେ ପ୍ରତି ଲୋମକୂପରେ ଅନୁଭବ ହୁଏ ଏକ କୋମଳ ଶିହରଣ। ଦେବୀକୁ ଲାଗେ ଏ ଦୁନିଆଁ କେବଳ ଜଣକର, ଦେବଭାଇର! ସେ ଯୁଆଡେ ଚାହେଁ ଫୁଟନ୍ତା ଫୁଲରୁ ହସେ ଜଣେ,ସେ ବି ଭିତରୁ ଭିତରୁ ଫୁଟିଯାଏ ଏକ ପରିଚିତ ଦେହ ବାସ୍ନାରେ।
ସେ ଡରୁଥିଲା ନିଜକୁ ନିଜେ। କିନ୍ତୁ ଭଲ ଲାଗୁଥିଲା ଏମିତି ଏକ ମଧୁର ଡରାଣ। ସେ ଧିରେଧିରେ ମାନବୀରୁ ଦେବୀ ହେବାରେ ଲାଗୁଥିଲା। ସତରେ ଦେବୀପଣ ଆଉ କଣ କି! ଏକ ଦିବ୍ୟ ଉତ୍ତରଣ ତ!
କ୍ରମଶଃ…
Comments are closed.