କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୯
ଆଠ ଦିନ ପରେ ଦେବ ଭାଇ ଫେରିଲେ। ସେଇ ଆଠ ଦିନର ପ୍ରତିଟି ପଲକ ଦେବୀ ଜୀବନରେ ଏକ ପ୍ରକାର ତପସ୍ୟାର ମୁହୂର୍ତ୍ତ। ଏକାଗ୍ର ଚିତ୍ତରେ ସେ ନିଜକୁ ହଜେଇଦେଇଥିଲା ପାଠ ପଢାରେ। ଦେବ ଭାଇ ନଥିଲେ ବି ତାକୁ ଲାଗୁଥିଲା ଯେମିତି କେହିଜଣେ ତା ଭିତରେ ରହି ତାକୁ ଗୋଡେ ଗୋଡେ ଜଗିଛି। ଆଉ ତା କାନ ପାଖରେ ଶୁଣାଯାଉଥିଲା – ମୋ ଇଜ୍ଜତ ରଖିବୁ।
ବିଗତ ସେଇ ସାତ ଦିନର ପ୍ରତିକ୍ଷଣ ସେ ନିଜକୁ ନିଜେ ଏକ ପ୍ରକାର ପରୀକ୍ଷା କରିବାରେ ଲାଗିଥିଲା। ତା ଭିତରେ ବିକଶିତ ଏକ ବ୍ୟକ୍ତିତ୍ୱର ଚାରିଦିଗେ ତିଆରିଥିଲା ଏକ କୋମଳ ପ୍ରାଚୀର। ସେ ପ୍ରାଚୀରର ଏକମାତ୍ର ଦ୍ଵାରରେ ଝୁଲେଇ ରଖିଥିଲା ତା ଗୋପନୀୟ ଇଚ୍ଛାର କୋଲପ।ତାର ଚାବି ଥିଲା ଦେବ ଭାଇର ମନ।
ଦେବଭାଇ ଗାଆଁକୁ ଫେରିଲେ ସତ କିନ୍ତୁ ସନ୍ଧ୍ୟାବେଳେ ଦେବୀକୁ ପଢେଇବାକୁ ଆସିଲେ ନାହିଁ। ସେଦିନ ରାତିରେ ସେ ସ୍ବପ୍ନ ଦେଖିଲା – ଏକ ଭୟଙ୍କର ଚଢେଇ ପଞ୍ଜାରେ ଧରି ନେଇଯାଉଛି ତାକୁ। ସେ ଖୁବ୍ ଜୋରରେ କାନ୍ଦୁଛି। ଦେବ ଭାଇ ତାକୁ ଦେଖି ତା ପଛେପଛେ ଧାଉଁଛନ୍ତି।
ସକାଳୁ ସକାଳୁ ବୋଉ ତା ନିଦ ବାଉଳାରେ ଗପୁଥିବା କଥା କହିଲା। ସେ କେଉଁଠି ଖାଲି ଦେବ ଭାଇ ଦେବ ଭାଇ ହେଉଥିଲା। ଏ କଥା କହିଲା ବେଳେ ବୋଉ ହସିହସି ଗଡିଯାଉଥିଲା।
ଦେବୀକୁ ଖୁବ୍ ଲାଜ ଲାଗିଲା। ତା ବେଳା ଭଲ, ବାପା ନଥିଲେ। ନହେଲେ ସେ ଆଉ ମୁଣ୍ଡ ଉଠେଇ ଚାଲି ପାରିଥାନ୍ତା। ସତରେ କାହିଁକି ତାକୁ ଭାରି ଖରାପ୍ ଲାଗୁଥିଲା। ଦେବ ଭାଇ ଗାଆଁକୁ ଫେରିଲେ ହେଲେ ତାକୁ ଦେଖାକରିବାକୁ ଆସିଲେ ନାହିଁ।
ସେ କଣ ଆଉ ଆସିବେ ନାହିଁ ? ତାକୁ ପଢେଇବେ ନାହିଁ !
କେଜାଣି କାହିଁକି ଦେବୀକୁ ଖୁବ୍ ଜୋରରେ କାନ୍ଦ ଲାଗିଲା।
ସେ ଶୋଇବା ଘରୁ ଉଠି ବାରିଆଡକୁ ଯାଉଯାଉ ଦେବ ଭାଇ ଦେଖାହେଲେ।
ଦେବ ଭାଇ ଖୁବ୍ ଝଡି ଯାଇଥିଲେ। ତାଙ୍କ ହସନ୍ତ ମୁହଁରେ କେହି ସତେ କଳା ରଙ୍ଗ ବୋଳି ଦେଇଥିଲା। ଦେବ ଭାଇଙ୍କୁ ଦେଖି ଦେବୀ ଚମକି ପଡ଼ିଲା। ତାକୁ ଲାଗିଲା ଯେମିତି ଦେବ ଭାଇ କୌଣସି ରୋଗରେ ପଡି ମଉଳି ଯାଇଛନ୍ତି।
ତୁ ପଢା ପଢ଼ି ଠିକ୍ କଲୁ ତ! ପରୀକ୍ଷା କେମିତି ହେଲା – ଚା ପିଉପିଉ ପଚାରିଲେ ଦେବ ଭାଇ।
କ୍ରମଶଃ….
Comments are closed.