କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫୦
ଆଠ ଦିନ ପରେ ଦେବ ଭାଇ ଗାଆଁ କୁ ଫେରି ସେ ଟେଷ୍ଟ ପରୀକ୍ଷାରେ ଭଲ କରିଛି ଜାଣି ଖୁବ୍ ଖୁସି ହେଲେ। ସେ ଏତେ ଖୁସି ହେବା କେବେ ଦେଖିନଥିଲା ଦେବୀ। ସେ ଆହୁରି ଆଶ୍ଚର୍ଯ୍ୟ ହେଲା ଯେତେବେଳେ ଦେବ ଭାଇ କହିଲେ – ତୁ ଯଦି ଏମିତି ମାର୍କ ବୋର୍ଡ ପରୀକ୍ଷାରେ ରଖୁ, ତୁ ଯାହା ମାଗିବୁ ମୁଁ ତା ଦେବି।
ଏକଥା କହିଲା ବେଳେ ଦେବ ଭାଇଙ୍କ ଖୁସି ଆଖିଦେଇ ଯେମିତି ଉଛୁଳି ପଡ଼ୁଥିଲା। ସେ ବଳକା ଖୁସି ତକ ଦେବୀର ହୃଦୟକୁ ଏକ ଅବର୍ଣ୍ଣନୀୟ ଆନନ୍ଦରେ ମହକେଇ ଦେଉଥିଲା। ତା କୁଆଁରୀ ମନରେ ବୁଣି ହୋଇଯାଉଥିଲା ସହସ୍ର ରଙ୍ଗୀନ ସ୍ବପ୍ନ। ସେ ସ୍ବପ୍ନ ସବୁ ତା ହାତ ଧରି ନେଇ ଯାଉଥିଲେ ଦେବ ଭାଇଙ୍କ ଗୋପନ ଏକାକିତ୍ବ ଭିତରକୁ।
ଦେବୀ ଯେତିକି ସୁଖି ହେଉଥିଲା ସେତିକି ଦୁଃଖୀ ବି। ସେ ଅଗ୍ନାଅଗ୍ନୀ ଅରଣ୍ୟ ଭିତରେ ହଜିଯାଇଥିବା ରାଜକୁମାରୀ ପରି
ଖୋଜୁଥିଲା ଏକ ପ୍ରତିଶ୍ରୁତିବଦ୍ଧ ରାସ୍ତା। ଯେଉଁରାସ୍ତା ଦେଇ ଗଲେ ସେ ପାଇବ ଏଇ ଅଳିକ ଜନ୍ମରୁ ମୁକ୍ତି ।
ଦେବ ଭାଇ ଏବେ ସବୁବେଳେ ତା ପାଖେପାଖେ ରହୁଥିଲେ। ସେ ସାରା ଦିନର ପ୍ରତି ମୁହୂର୍ତ୍ତ ଦେବୀ ର ପାଠ ପଢା ପାଇଁ ବିନିଯୋଗ କରୁଥିଲେ। ଦେବୀ ଭିତରେ ଏକ ପ୍ରଚଣ୍ଡ ଆତ୍ମବିଶ୍ବାସ ହିମାଳୟ ପରି ମୁଣ୍ଡ ଟେକିବାରେ ଲାଗିଥିଲା।
ଦେବ ଭାଇ ଅଛନ୍ତି ମାନେ ସାରା ସଂସାର ତା’ର। ଏମିତି ଏକ ଦୃଢ଼ ଭାବନା ତା କିଶୋରୀ ମନକୁ ବଳ ଯୋଗାଉଥିଲା।
ତା ପରୀକ୍ଷା ଆଉ ଅଳ୍ପଦିନ ଥିଲା। ଦେବ ଭାଇ ଆଜିକାଲି ଆଉ ତାଙ୍କ ଘରକୁ ଯାଉନଥିଲେ। ତାଙ୍କରି ଘରେ ଶୋଇ ଦେବୀକୁ ରାତି ତିନିଟାରେ ନିଦରୁ ଉଠେଇ ପାଠ ପଢ଼ାଉଥିଲେ। ଦେବୀ ମନେମନେ ଠାକୁରଙ୍କୁ ଡାକୁଥିଲା। ଦେବ ଭାଇ ଏମିତି ଚିରଦିନ ତା ପାଖେପାଖେ ରହିଥାଆନ୍ତୁ।
ପରୀକ୍ଷା ପୂର୍ବଦିନ ଦେବ ଭାଇ ଖୁବ୍ ଗୁମୁସୁମ୍ ଲାଗୁଥିଲେ। ସତେ ଯେମିତି କିଛି ହଜିଯାଇଛି ତାଙ୍କର। ତାଙ୍କ ସୁକୁମାର ମୁହଁଟି କେମିତି ଏକ ମଉଳା ଫୁଲ ପରି ଲାଗୁଥିଲା।
ଦେବୀ ଏ ସବୁ ସହିପାରୁନଥିଲା। ତାକୁ ବି ଏକ ଶୂନ୍ୟତା ମାଡ଼ିବସୁଥିଲା।
ଭଲରେ ଭଲରେ ମାଟ୍ରିକ ପରୀକ୍ଷା ସରିଲା। ଦେବୀ ପରୀକ୍ଷାରେ ଭଲ ବି କରିଥିଲା। ସେ ଖୁବ୍ ଖୁସିରେ ଘରକୁ ଫେରି ଦେବ ଭାଇଙ୍କୁ ତା ପରୀକ୍ଷା ବିଷୟରେ କହିବାକୁ ଚାହୁଁଥିଲା। ହେଲେ ଦେବ ଭାଇଙ୍କର ଦେଖା ନଥିଲା। ସେ କାହାକୁ ପଚାରି ବି ପାରୁ ନଥିଲା। ତାକୁ ଏକ ଅନ୍ଧାରୀ ଅବିଶ୍ବାସ ମାଡିବସିବାରେ ଲାଗିଥିଲା ।ସେ ଅବିଶ୍ବାସ କ୍ରମଶଃ ଭୟର ରୂପ ନେଇ ତାକୁ ଡରାଉଥିଲା। ସେ ରାତିରେ ଅଜବ ସ୍ବପ୍ନ ସବୁ ଦେଖୁଥିଲା। ସେ ବାଟ ଚାଲୁଚାଲୁ ହଠାତ୍ ମାଡ଼ିଆସୁଛି ଏକ ନିରନ୍ଧ୍ର ଅନ୍ଧକାର। ସେ ଆଖି ମୁଦି ଦୌଡୁଛି।
ବିଜୁଳି ଆଲୁଅରେ ଦେଖାଯାଉଛି ଏକ କରୁଣ କାତର ମୁହଁ। ଦେବୀ ଠିକ୍ ଚିହ୍ନିପାରୁଛି ସେ ମୁଁହ ଦେବ ଭାଇର। ସେ ଶୁଣି ପାରୁଛି ଘଡଘଡିର ଭୟଙ୍କର ରଡ଼ି। ଘୋଟି ଆସୁଛି ପଶ୍ଚିମ ଦିଗରେ ବର୍ଷା।
ପ୍ରଚଣ୍ଡ ଭୟରେ ଦେବୀ ନିଦରୁ ଉଠିଯାଏ। ସାରା ରାତି ସେ ଚାହିଁ ରହିଥାଏ ଅନ୍ଧାର ଭିତରେ ଏକ ସର୍ବ ବ୍ୟାପ୍ତ ଶୂନ୍ୟତା ଆଡ଼କୁ। ଗୋଟେ କିଛି ଭାଙ୍ଗିଯିବାର ଶବ୍ଦ ଶୁଭେ ତା ପଞ୍ଜରା ଭିତରେ। ରକ୍ତରକ୍ତ ଗନ୍ଧାଏ ବର୍ତ୍ତମାନ ଓ ଭବିଷ୍ୟତ।
ୟା ଭିତରେ ଅନେକ ଦିନ ବିତିଗଲାଣି। ଅଭଡ଼ା କହୁଥିଲା ଦେବ ଭାଇ ଗାଆଁରେ ଅଛନ୍ତି, ହେଲେ ସେ ତାଙ୍କ ଘରକୁ ଆସୁନାହାନ୍ତି କାହିଁକି? ଘରେ ତାଙ୍କୁ କେହି କିଛି କହିଛି କି! ବିନୟ ଭାଇ ସହିତ ତାଙ୍କର କିଛି ମନାନ୍ତର ହୋଇଛି କି? ସେ କଣ ଦେବୀକୁ ଭୁଲିଗଲେ! କି ଦେବୀ ତାଙ୍କ ପାଇଁ କିଛି ମୂଲ୍ୟ ରଖେନା!
ଅଭିମାନ ଖଣ୍ଡେ ବରଫ ପରି ମାଡ଼ିଆସେ। ବୁଡ଼େଇ ଦିଏ ମନ ଆଉ ହୃଦୟକୁ। ଦୁଇ ଆଖି ପାଲଟି ଯାଆନ୍ତି ଦୁଇଟି ସମୁଦ୍ର। ଦେବୀ କବାଟ ଆଉଜେଇ ତକିଆରେ ମୁହଁ ମାଡି କାନ୍ଦେ। କବାଟ କଣ ଅନ୍ଧାରକୁ ଅତୀତ କଥା ପଚାରେ । ପୁଣି ବେଳେବେଳେ ନିଜକୁ ନିଜେ ଧିକ୍କାରେ।ଯଦି ଏତେ ସୁନ୍ଦରତା ଏତେ ସରଳତା ଆଉ ଲୁହ ଦେଇ ଦେବ ଭାଇଙ୍କ ମନକୁ ଛୁଇଁ ପାରିଲା ନାହିଁ ତେବେ ବଞ୍ଚି ବି ଲାଭ କଣ! ପୁଣି ବେଳେବେଳେ ଭାବେ ଦେବ ଭାଇ ତା ସହ ଲୁଚକାଳି ଖେଳୁନାହାନ୍ତି ତ ! କିମ୍ବା ସେ ରହୁଥିବା ସହରରେ କେହି ଉଚ୍ଚଶିକ୍ଷିତା ସୁନ୍ଦରୀ ତାଙ୍କ ମନ ଚୋରି କରି ନେଇଯାଇନି ତ!
ଦେବୀକୁ ସାରା ସଂସାର ଅଜବ ଏକ ଧ୍ୱଂସଭୂମି ପରି ଲାଗେ। ଭୂଗୋଳ ବହିର ସାହାରା ମରୁଭୂମି ପରି ତା ଭିତରେ ପୋଡିଯାଏ ସବୁକିଛି।ସ୍ମୃତି ସବୁ ପୋଡ଼ା ଅଙ୍ଗାର ଓ କଙ୍କାଳ ପରି ଲାଗନ୍ତି ।
ଏମିତି ଏମିତି କିଛିଦିନ ଚାଲିଗଲା। ଦେବୀ ଭିତରେ କାୟା ବିସ୍ତାର କରିବାରେ ଲାଗିଲା ଏକ ବିତୃଷ୍ନା । ଏହା କ୍ରମଶଃ ତା ଚେତନାକୁ ନିଃସଙ୍ଗତା ଆଡ଼କୁ ଟାଣି ନେଇଗଲା। ତାକୁ ସବୁକିଛି ଖରାପ୍ ଲାଗିଲା। ତା ଆଖିଆଗର ପୃଥିବୀ ମିଛ ମିଛ ଲାଗିଲା। ସେ କୁଆଡେ ଗଲା ନାହିଁ ।ଘର ଭିତରେ ରହି ସାରା ସଂସାର ସହିତ ଥିବା ସମ୍ପର୍କକୁ କାଟିବାରେ ଲାଗିଲା।
ହଠାତ୍ ଦିନେ ବିନୟ ଭାଇ ସହିତ ଦେବ ଭାଇ ଆସିଲେ। ଦେବୀ ଦେଖିଲା ତା ଭିତରେ ଆଗପରି ଆଉ ଉନ୍ମାଦନା ନାହିଁ। ସେ କେମିତି ଏକ ନିଷ୍କ୍ରିୟ ଅବସ୍ଥାକୁ ଚାଲିଯାଇଛି। ସେ ଦେବ ଭାଇଙ୍କୁ ଦେଖି ଲୁଚିଗଲା। ସେ ଜାଣିଥିଲା ଦୁଇଟି ନିରୀହ ଆଖି ତା ଭିତରେ ଥିବା ମନର ଏକ ଗୋପନୀୟ ଅନ୍ଧାର କୋଣରେ କିଛି ଖୋଜୁଛନ୍ତି। ସେ ଆହୁରି ବି ଜାଣିଥିଲା ସେ ଆଖି ଦୁଇଟିରେ କିଛି ଗୋଟେ ସନ୍ଦେଶ ଆସୁଛି।ସେ ନିଜେ ଜାଣିପାରୁନି କାହିଁକି ତା ଭିତରେ ଗୋଟେ ମୃତ ସମୁଦ୍ରର ହାହାକାର ଶୁଣାଯାଉଛି।
ଦେବ ଭାଇ ଏଥର ସବୁଦିନ ଆସିଲେ। ତାଙ୍କୁ ଦେଖିଲେ ଦେବୀ ଲୁଚିଯାଉଥିଲା।ଦେବ ଭାଇ କିଛି ସମୟ ବସୁଥିଲେ।ବୋଉ ସହିତ ଅନାବଶ୍ୟକ ଭାବରେ କିଛି କଥାବାର୍ତ୍ତା ହେଉଥିଲେ। ଦେବୀ ଦୁଃଖ ପ୍ରକାଶ କରୁଥିଲା ମନେମନେ। ହେଲେ କେହି ଯେମିତି ଦିନେ ତା ପାଦ ବାନ୍ଧି ଦେଇଥିଲା। ସେ ବୁଝୁଥିଲା ଦେବ ଭାଇ କାହିଁକି ଆସୁଥିଲେ। ସନ୍ଧ୍ୟା ବେଳକୁ ତା ଦେହରେ ଏକ ଅଦ୍ଭୁତ ନିସଂଗତା ସବାର ହେଉଥିଲା। ତାକୁ ଲାଗୁଥିଲା ଯେମିତି ଭିତରେ ଭିତରେ ସରିଯାଉଛି ସେ।
ଦିନେ ସନ୍ଧ୍ୟା ବେଳେ ବୋଉ କୁଆଡେ ଯାଇଥିଲା।ଦେବୀ ସଞ୍ଜ ଦୀପ ଜାଳି ଚଉରା ମୂଳେ ଆଖି ମୁଦି ବସି କିଛି ଗୋଟାଏ ଭାବନାରେ ବୁଡ଼ି ଯାଇଥିଲା।ହଠାତ୍ ଏକ ପରିଚିତ ପାଦ ଶବ୍ଦ ତା କାନ ଦେଇ ହୃଦୟ ଭିତରେ ପଶିଗଲା ।ତାକୁ ଲାଗିଲା ସତେ ଯେମିତି କେଉଁ ଏକ ଅଭିଶପ୍ତ ଦେବ ପୁରୁଷ ଧିରେ ଧୀରେ ଓହ୍ଲେଇ ଯାଉଛି ତା ଛାତି ଭିତର ପାହାଚ ଦେଇ।ସେ ଆଖି ଖୋଲିଲା।ତା ଆଗରେ ଠିଆ ହୋଇଥିଲେ ଦେବ ଭାଇ। ସେ ତରତର ହୋଇ ଘର ଭିତରେ ପଶି ଯିବାକୁ ରାସ୍ତା ଖୋଜିଲା ବେଳେ ଶୁଣି ପାରିଲା ଏକ ବିରହାହତ ପକ୍ଷୀର କ୍ଷୀଣ ସ୍ୱର – ଦେବୀ…..
ତା ପାଦ ପଥର ହେବାକୁ ଲାଗିଲା। ସେ ଇଚ୍ଛା କରିବି ପାଦେ ଘୁଞ୍ଚିପାରିଲା ନାହିଁ। ଆଖି ବନ୍ଦ କରି ପରବର୍ତ୍ତୀ କ୍ଷଣର ବାସ୍ତବତାକୁ ଅପେକ୍ଷା କରିବା ବ୍ୟତୀତ ତା ପାଖରେ ଆଉ କିଛି ଚାରା ନଥିଲା।
ଦେବ ଭାଇ ତା ଖୁବ୍ ନିକଟକୁ ଚାଲି ଆସିଲେ ବୋଧେ ନହେଲେ କାହିଁକି ତା ଆଖି ଆଗର ଶୂନ୍ୟତା ଏତେ ମହକିଉଠନ୍ତା କାହିଁକି। ପରେ ପରେ ସେ ଅନୁଭବ କଲା ଜଣକର ଅଦୃଶ୍ୟ କଳେବର। ସେ ସ୍ଥିର ନିଶ୍ଚିନ୍ତ ହେଲା ଯେ ଦେବ ଭାଇ ତା ଖୁବ୍ ନିକଟରେ। ହଠାତ୍ ତା ହାତକୁ ଧରି ପକାଇଲେ ଦେବ ଭାଇ।ସେ ଆଖି ଖୋଲିଲା ବେଳକୁ ଦେବ ଭାଇ ତା ଆଖି ସହିତ ଆଖି ମିଶାଇ ଠିଆ ହୋଇଛନ୍ତି।
ତା ଆଖିରେ ଦେବ ଭାଇର କରୁଣ ଚାହାଣୀ ପ୍ରଥମେ ସଂକ୍ରମିତ କଲା ହୃଦୟକୁ। ସେଠି ବାଜିଉଠିଲା କେଉଁ ଏକ ବିସ୍ମୃତ ସ୍ୱରର ସାହାନାଇ। କ୍ରମଶଃ ଶିଥିଳ ହୋଇଯାଇଥିବା ଆବେଗ ପୁନଃଶ୍ଚ ଫେରି ପାଇଲା ତା ଗତିଶୀଳ ସ୍ୱରୂପ।
ତା ହାତ ଧରି ଘର ଭିତରକୁ ନେଇଗଲେ ଦେବ ଭାଇ।
ଘର ଭିତରେ ସାମାନ୍ୟ ଅନ୍ଧାର । ଦେବୀ ଦେଖିପାରୁଥିଲା ଦେବ ଭାଇଙ୍କ ଝାଉଁଳା ମୁହଁ। ତାକୁ ବହୁତ କଷ୍ଟ ଲାଗିଲା।ସେ ଡରି ଡରି କହିଲା – ତୁମର କଣ ହୋଇଛି ଦେବ ଭାଇ।
ଦେବ ଭାଇ ତା ପାପୁଲିକୁ ନିଜ ପାପୁଲି ଭିତରେ ରଖି କହିଲେ ତୋତେ ଗୋଟେ କଥା କହିବି ! ରାଗିବୁ ନାହିଁ ତ?
ଦେବୀ ଆଶ୍ଚର୍ଯ୍ୟ ହେଲା। ଏମିତି କିଛି କଥା ଥାଏ କି,ଯେଉଁଥିରେ କେହି ରାଗି ଯାଏ।
ଦେବୀ ଦେବ ଭାଇଙ୍କ ମୁହଁକୁ ଚାହିଁଲା । ସେ ମୁହଁରେ ପହଁରୁଥିଲା କିଛି ଦୁଃଖର କଳାହାଣ୍ଡିଆ ବାଦଲ।।
କ୍ରମଶଃ…..
Comments are closed.