ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଲା, “ବାରବର୍ଷ! ଏତେ ଦିନରେ ଥରେ ଫୁଟେ!” ମାଗାଜିନ୍ ଉପରେ ଆଖି ସ୍ଥିର ରଖି ରୋହାନ୍ କହିଲା, “ଆଉ ଏଥିରେ ଏ କଥା ବି ଲେଖାହୋଇଛି ଯେ ସେ ଫୁଲଗୁଡ଼ାକ ଦେଖିବାକୁ ବହୁତ ସୁନ୍ଦର ।”
ଏକଥା ଶୁଣି ସିଡ଼୍ ସ୍ୱପ୍ନ ଦେଖିବାରେ ଲାଗିଗଲା, “ଏଠିକି ବୁଲିବାକୁ ଗଲେ ବହୁତ ଭଲ ହୁଅନ୍ତା ।” ତା’ପରେ ଦୁଇଭାଇ ଯାକ ଚୁମ୍ବକରେ ଟାଣି ହେଲା ପରି ପରସ୍ପରକୁ ଚାହିଁ ଉଭୟ ଉଭୟଙ୍କ ମନକଥା ବୁଝିପାରିଲା ପରି ହସିଲେ ।
ତାଙ୍କୁ ଦେଖି ବୀରା ପଚାରିଲା, “ତମେ ଦୁହେଁ ଏତେ ଖୁସି କ’ଣ ପାଇଁ?” “ରୋହାନ୍, ସିଡ଼୍ ପରିମଲ୍ ଓ ବୀରା ମାହେଶ୍ୱରୀକୁ ଧରି ମୁନ୍ନାରକୁ ଏଥର ଏକ ଯାତ୍ରା ହେବ ।” ଦି’ଭାଇ ଯାକ ଏକାବେଳେକ ଚିଲ୍ଲେଇ ଉଠିଲେ ।
ମିଃ. ଏବଂ ମିସେସ୍ ପରିମଲ୍ଙ୍କ ସାମ୍ନାରେ ସିଡ଼୍, ବୀରା ଏବଂ ରୋହାନ୍ ବସିଥା’ନ୍ତି । ଲିଭିଂ ରୁମ୍ର ମାହୋଲ ପୁରା ବ୍ୟସ୍ତତାରେ ଭରପୂର ଥାଏ । ଏଇ ସାଙ୍ଗେ ସାଙ୍ଗେ ତିନିଜଣ ଯାକ ତାଙ୍କ ମୁନ୍ନାର ଯିବାର ତିନିଦିନିଆ ଯୋଜନା ବିଷୟରେ ଉଲ୍ଲେଖ କରିଥାଆନ୍ତି ମାତ୍ର । ହାତରେ ହାତ ଛନ୍ଦି, ଭ୍ରୁଲତାକୁ ଉଠେଇ ମିଃ. ପରିମଲ୍ ସେଠାରେ ବସି ମୁନ୍ନାର ଯାତ୍ରାର ଭଲ ଓ ମନ୍ଦ ବିଷୟରେ କଥା ହେଉଥା’ନ୍ତି । ଜଣେ ଏଇ ମାତ୍ର ସାବାଳକ ବୟସକୁ ଉଚାୀର୍ଣ୍ଣ ହୋଇଛି, ଆଉ ଦୁଇଜଣ ଏପର୍ଯ୍ୟନ୍ତ ବି ନାବାଳକ ଅଛନ୍ତି – ଏଇମିତି ତିନିଜଣଙ୍କୁ ମୁନ୍ନାର ଗ୍ରସ୍ତରେ ଛାଡ଼ିବା କେତେଦୂର ଯୁକ୍ତିଯୁକ୍ତ – ସେ ବିଷୟରେ ତର୍ଜମା କରୁଥା’ନ୍ତି ।
ଏତିକିବେଳେ ରୋହାନ୍ ଆରମ୍ଭ କଲା, “ଡ଼ାଡ଼୍, ପ୍ଲିଜ୍, ଆମେ ସତରେ ଏଠିକୁ ବୁଲି ଯିବାକୁ ଚାହୁଁଛୁ । ଦେଖ ନା, ମୁଁ ଏବେ ଦିଲ୍ଲୀ ୟୁନିଭରସିଟିକୁ, ବୀରା ସିନ୍ଧିଆ କାନ୍ୟାକୁ ଆଉ ସିଡ଼୍… ହଁ ସେ ତା’ର…”, ସିଡ଼୍କୁ ଗୋଟେ
ଆଡ଼ଚାହାଣୀ ମାରି ରୋହାନ୍ ପୁଣି ଆରମ୍ଭ କଲା, “ହଁ, ସେ ତା’ର, ତା’ ମନପସନ୍ଦର ସ୍କୁଲ୍କୁ…
ପଢ଼ିବାକୁ ପଳେଇବୁ ।”
“ଆଚ୍ଛା, ମୁଁ ଟିକେ ରୋହାନ୍ ଓ ସିଡ଼୍ଙ୍କ ସହ କଥା ହୋଇପାରିବି କି?”, ବୀରା ଆଡ଼କୁ ଚାହିଁ ମିଃ. ପରିମଲ୍ ପଚାରିଲେ । ବୀରା ମୁଣ୍ଡ ହଲେଇ ସମ୍ମତି ଜଣାଇବା ସଙ୍ଗେ ସଙ୍ଗେ ମିଃ. ପରିମଲ୍ କହିଲେ, “ଟିକେ ଏକୁଟିଆ?”
କ୍ରମଶଃ
Comments are closed.