Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ତା’ପରେ କ’ଣ ଘଟିଲା, ସେ କଥା ସମ୍ପୂର୍ଣ୍ଣ ଅସ୍ପଷ୍ଟ । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବୀରା, ଗୋଟିଏ ହୋଟେଲ ସାମ୍ନାରେ ଠିଆ ହୋଇଥିଲା, ସିଡ଼୍ ତା’ ଡାହାଣ ପଟରେ, ଏବଂ ସିଡ଼୍ ଡାହାଣକୁ ରୋହାନ୍ । ସମସ୍ତେ ନିଜ ନିଜ ବ୍ୟାଗ୍ ଓ ଜିନିଷପତ୍ର କାନ୍ଧରେ ଧରି ଯାଉଥିଲା ବେଳେ, ସିଡ଼୍ କହିଲା, “ଆଃ, ଏ ଜାଗାଟା କେତେ ସୁନ୍ଦର! ମୁଁ ଆଶା କରୁଛି, ଏଠାକାର ଖାଇବା ପିଇବା ବି ସେମିତିକା ଭଲ ହୋଇଥିବ ।” ସବୁବେଳ ପରି ପେଟକୁ ଆଉଁଷି ଆଉଁଷି ସିଡ଼୍ କହୁଥିଲା ।

ରାତି ସେତେବେଳକୁ ଏଗାରଟା ତିରିଶ ମିନିଟ୍ । ତିନିଜଣ ଯାକ ତରବର ହୋଇ ନିଜ ରୁମ୍‌ରେ ଜିନିଷପତ୍ର ରଖି ସେ ହୋଟେଲ୍‌କୁ ଡିନର୍ କରିବା ପାଇଁ ଆସିବାକୁ ସ୍ଥିର କଲେ । ସହରର ଅନ୍ୟ ରେଷ୍ଟୋରାଁ ରାତି ଏତେବେଳକୁ ବନ୍ଦ ହୋଇଯାଇଥିବ । ଭୋର ପାଞ୍ଚଟାରେ ବୀରାର ନିଦ ଭାଙ୍ଗିଗଲା । ଆଉ ଶୋଇ ପାରିଲା ନାହିଁ ତ ଉଠିପଡ଼ି ଦାନ୍ତ ଘଷି ଗରମ ପାଣିରେ ଗୋଧୋଇ ତା’ର ନାଲି ପୋଲ୍‌କା ଡଟ୍ ପ୍ରିଣ୍ଟ ଡ୍ରେସ୍‌ ପିନ୍ଧି, ବାହାରେ କାଳେ ଥଣ୍ଡା ଲାଗିବ ଆଶଙ୍କା କରି ହାତରେ ଏକ ନୀଳ ଜ୍ୟାକେଟ୍ ଧରି ରୁମ୍‌ରୁ ବାହାରିଲା । ସୂର୍ଯ୍ୟ ଯଦିଓ ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାହାରକୁ ଆସି ନଥା’ନ୍ତି, କିନ୍ତୁ କିଛି କିଛି ଫର୍ଚ୍ଚା ହୋଇଆସିଥାଏ ଆକାଶ । ନୀଳ କୁରିଂଜି ପାହାଡ଼ ପଛପଟେ ତାଙ୍କ ହୋଟେଲ୍‌ଟି ଅବସ୍ଥାପିତ ହୋଇଥିବାରୁ, ବୀରା ହୋଟେଲ୍‌ରୁ ବାହାରି, ସିଧା ଗୋଟେ ଛୋଟ ପାହାଡ଼ ଚଢ଼ିବାକୁ ସ୍ଥିର କଲା । ପାହାଡ଼ଟି ସବୁଜିମାରେ ଭରପୁର । ଅନେକ ରଂଗ ବେରଙ୍ଗ ଫୁଲରେ ଭର୍ତ୍ତି ହୋଇଯାଇଥିବା ଜାଗାଟିରେ ଅନେକ ଲୋକ ଯୋଗ କରୁଥା’ନ୍ତି ତ ଆଉ କିଛି ଚାଲୁଥାଆନ୍ତି ।

ଏଣେତେଣେ କିଛି ବାଟ ବୁଲିବା ଏବଂ ଅନେକ ଅନାବଶ୍ୟକ ଚିନ୍ତାରେ ଘାରିହେବା ଭିତରେ, ସେ ନିକଟରେ ଗୋଟିଏ ଚା\’ ଦୋକାନ ଦେଖିଲା, ଦେଖିଲା ପିଲାଟିଏ ସେଠାରେ ଠିଆହୋଇ ତା’ ଚାରିପାଖ ଅବସ୍ଥାକୁ ନିରୀକ୍ଷଣ କରୁଛି ତ ବୀରା ସେଇ ଆଡ଼କୁ ଚାଲିଲା ।

“ଦିଦି!” କେଶରର ଡାକ, ବୀରାକୁ ତା’ ଭାବନା ଭିତରୁ ଫେରେଇ ଆଣିଲା ଯେମିତି ।

“ଦିଦି, ସେ ଦୁଇଜଣ ଡାକୁଛନ୍ତି ତୁମକୁ, ଇଶାରା ଦେଉଛନ୍ତି ସେମାନଙ୍କ ପାଖକୁ ଯିବା ପାଇଁ…”, ତୀଖ ପାହାଡ଼ ପାଶ୍ୱର୍ପଟକୁ ଦେଖେଇ କେଶର କହିଲା । ବୀରା ସେ ଆଡ଼କୁ ଚାହିଁଲା ବେଳକୁ ଦେଖିଲା ସିଡ଼୍ ଏବଂ ରୋହାନ୍ ସେଠାରେ ହାତ ହଲେଇ ତା’ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରି ଚାଲିଛନ୍ତି । ଘଣ୍ଟାକୁ ଚାହିଁଲା, ସମୟ ଛଅଟା ବତିଶ ମିନିଟ୍ । ମନ ଭିତରେ ଟିକେ ଅସନ୍ତୁଷ୍ଟ ହୋଇଗଲା ବୀରା । ଆଃ! ତା’ ଅତୀତର କଥା ମନେପକେଇ ଗୋଟେ ମୁର୍ଖଙ୍କ ପରି ବସିରହି ଏଠି କେତେ ସମୟ ବରବାଦ କରିଦେଲା ସେ? ଉଠି ଘୋଷାରି ଘୋଷାରି ପାଦ ବଢ଼େଇଲା ସେମାନଙ୍କ ଆଡ଼କୁ ବୀରା ।

“ହୁଁ, ସୁପ୍ରଭାତ । କ’ଣ ଯିବା, ଜଳଖିଆ କରିବା?” ରୋହାନ୍‌ ପଚାରିଲା । ମୁଣ୍ଡ ହଲେଇ ସମ୍ମତି ଭରିଲା ବୀରା, ସମସ୍ତେ ଫେରିଆସୁଥା’ନ୍ତି ହୋଟେଲ୍‌କୁ, ସୂର୍ଯ୍ୟ ସମ୍ପୂର୍ଣ୍ଣ ଉଦୟ ହୋଇସାରିଥିଲା । ସୂର୍ଯ୍ୟ କିରଣ ଭୂମିକୁ ସ୍ପର୍ଶ କରୁଥିଲା; ବୀରା ମୁହଁ ଉଠେଇ ଚାହିଁଲା ବେଳକୁ ଯେଉଁ ଦୃଶ୍ୟ ଦେଖିଲା, ତାକୁ ତା’ ଜୀବନରେ ସେ କେବେ ବି ଦେଖି ନଥିଲା । ପାହାଡ଼ ପଛପଟ ଉପତ୍ୟକା ବାଇଗେଣି-ନୀଳ ମିଶା ରଙ୍ଗର ସମୁଦ୍ର ପରି ଦେଖା ଯାଉଥିଲା । ଫୁଲଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ଫୁଟିତ ହୋଇ ସୁନେଲୀ ଓ ନୀଳ ରଙ୍ଗର ଚମତ୍କାର ଦୃଶ୍ୟଟିଏ ସୃଷ୍ଟି କରୁଥିଲେ । ଖୁସିରେ ଝଲସି ଉଠୁଥିବା ଏ ଫୁଲମାନଙ୍କୁ ନିରୀକ୍ଷଣ କରିବା ସତରେ ଏକ ଚମତ୍କାର ଅନୁଭବ । ଲାଗୁଥିଲା ସତେଯେମିତି ଗୋଟେ ସପୂର୍ଣ୍ଣ ନୂଆ ଦିନର ଅୟମାରମ୍ଭ ଯାହା । ଗୋଟେ ନୂତନ ଆରମ୍ଭ; ପୂର୍ବଦିନ ତଥା ପୂର୍ବତ୍ରୁଟିମାନଙ୍କର ପରିସମାପ୍ତି ।

ରୋହାନ୍ ପଛପଟୁ ଆସି ବୀରା କାନ୍ଧରେ ହାତ ରଖିଲାବେଳକୁ, ସିଡ଼୍ କହିଲା, “କ’ଣ ଦେଖୁଛ ବୀରା?”

ସମସ୍ତଙ୍କ ଜୀବନରେ ନୂତନ ସକାଳଟିଏର ଆଗମନର ସୂଚନା ଦେଲା ପରି ସୂର୍ଯ୍ୟର କିରଣସବୁ ବୀରାର ଜୀବନରେ ମଧ୍ୟ ଗୋଟିଏ ନୂଆ ଆରମ୍ଭର ଦସ୍ତଖତ ଦେଉଥିଲେ । ସେ ଅନ୍ୟଆଡ଼କୁ ମୁହଁ ବୁଲାଇ ନିଜକୁ ନିଜେ ହସିଲା । ଏବଂ ଧୀର ସ୍ୱରରେ ଉଚାର ଦେଲା, “କିଛି ନାହିଁ”, ଆଉ ତା’ର ସେ ଶବ୍ଦ ଦୁଇଟା ପବନରେ ଉଡ଼ିଯାଇଥିବ ନି୧⁄୨ୟ । ଏବେ ସେ ତା’ର ଦୁଇ ବନ୍ଧୁଙ୍କ ସହିତ ପାହାଡ଼ର ନିମ୍ନଦେଶ ଆଡ଼କୁ ଅଗ୍ରସର ହେଲା । ଠିକ୍ ଓହ୍ଲେଇବାକୁ ବାହାରିଛି ତାକୁ ଲାଗିଲା ଯେମିତି ତା’ର ସମୀରା ଦି’, ତା’ ମମ୍ ଓ ଡାଡ଼୍ ତାକୁ ଚାହିଁ ହସୁଛନ୍ତି । ସେ ବୁଲିପଡ଼ି ଚାହିଁ ଦେଖିଲାବେଳକୁ ସେଠି କେହି ନଥିଲେ । ସମସ୍ତେ ଅଦୃଶ୍ୟ ହୋଇ ଯାଇଥିଲେ, ମୁନ୍ନାରର ଏ ପାର୍ବତ୍ୟାଞ୍ଚଳରୁ, ପୃଥିବୀର ଏଇ ଅଂଶର ଭୂଖଣ୍ଡରୁ; ମାତ୍ର ତା’ ସ୍ମୃତିରୁ କେବେ ବି
ନୁହେଁ ।

ଏଇଟା କ’ଣ ଶେଷର ଆରମ୍ଭ?

 

ସମାପ୍ତ

Comments are closed.