ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସମୟ ନାହିଁ ଖୁବ୍ ବେଶି
ଏଣୁ ପଢ଼ା ଜାଗାରେ ବସି
ନିଜେ ନେବା କି ଥରେ ଦେଖି
କେତେ କାମ ରହିଛି ବାକି?
ଚଂଚଳ ନ ସାରିଲେ କାମ
କରି ଅଧିକ ପରିଶ୍ରମ
ମନରେ ରଖିଥିଲେ ଭାବ
କିଏ ବା କିପରି ଜାଣିବ?
ଅକ୍ଷର ବାଂଟିଦେବା ପାଇଁ
ଯିଏ ବି ଇଚ୍ଛା କରେନାହିଁ
ସେ ଅଟେ ସ୍ବଭାବେ କୃପଣ
ସୁଝିପାରେନି ମାତୃଋଣ
ନିର୍ଜୀବ ବସ୍ତୁ ସହ ବାସ
ହେଲାଣି ଯାହାର ଅଭ୍ୟାସ
ସ୍ବେଚ୍ଛାରେ ହୋଇ କିଣାଦାସ
ଘଟାଏ ଭାଷାର ବିନାଶ
ନିଜର ଦାୟିତ୍ବ ପାସୋରି
ହୋଇଲେ ସ୍ବଭାଷା ସଂହାରୀ
ବଢ଼େନି ଯଶ ଓ ସମ୍ମାନ
ଏହା ତ ସତ୍ୟ ଚିରଂତନ
ନିକମା ହୋଇ କଲେ ଆଶା
ଜୀବନ ହୁଏନି ସରସା
ଉଦ୍ଦେଶ୍ୟ ସାଧନ ନିମଂତେ
କେଉଁ ପ୍ରେରଣା ଲୋଡ଼ା କେତେ?
ପ୍ରେରଣା ନୁହେ ବିକ୍ରିଯୋଗ୍ୟ
ତେଣୁ ବୋଲାଇ ହତଭାଗ୍ୟ
କାହିଁକି କରିବା କ୍ରଂଦନ
ପଡ଼ିରହିଛି କାମମାନ
ଯେ ଯାହା ବୁଝିଛୁଁ ଯେପରି
ତଦନୁସାରେ କାମ ସାରି
ଆନଂଦେ ବିତାଉଁ ଜୀବନ
ଭାଷାକୁ ଦେଇ ବେଶି ଧ୍ୟାନ
ବ୍ୟକ୍ତିର ଅବଦାନ କୃତି
ଘଟାଏ ଜାତିର ଉନ୍ନତି
ନିଦରୁ ଉଠାଇବା କାମ
ଏବେ ହୋଇଛି ସର୍ବୋତ୍ତମ