Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ସମୀରା ବି ସମାନ ଭାବରେ ରାଗି ଚିତ୍କାର କଲା । ଏଥର ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରି ବୀରା ତଳକୁ ମୁହଁ ପୋତି ବସି ରହିଲା । ଆଉ ତାପରେ ସିଧା ସମୀରା ମୁହଁକୁ ଚାହିଁ ହସିଲା ଯଦିଓ ସେ ଜାଣିଥିଲା ଯେ ୟା ଦ୍ୱାରା ସମୀରା ଆହୁରି ରାଗିବ । ସମୀରା ରାଗି ପାଟିକରୁଥିଲେ ବି ତା’ କଥାକୁ କାନ ନଦେଇ ଖଟ ଉପରୁ ଉଠି ବୀରା ସିଧା ବାଥ୍‌ରୁମ୍‌କୁ ଚାଲିଗଲା । ବାଥ୍‌ରୁମ୍‌ର କବାଟ ବନ୍ଦ କରି ଟବ୍‌ରେ ବସି ଗଭୀର ନିଃଶ୍ୱାସ ନେଇ ବୀରା ଯେତେଯେତେ ଚିନ୍ତାକଲା ତାକୁ ସେତେ ଦୋଷୀ ଦୋଷୀ ଲାଗିଲା ଯେ ସେ ତା’ର ପ୍ରିୟ ସମୀରା ଦି’ ଉପରେ ରାଗିକି ଚିତ୍କାର କରିଚି ।

ଗତକାଲି ସିଦ୍ଧାର୍ଥ ସହ ଗୋଟେ ଛୋଟ ପିଲା ପରି ଝଗଡ଼ା କରିଛି ବୋଲି ମଧ୍ୟ ତାକୁ ଦୋଷୀ ଲାଗୁଥାଏ । ସିଡ଼୍ ପାଖକୁ ଯାଇ କ୍ଷମା ମାଗିବାକୁ ତା’ର ଅହଙ୍କାର ବାଧା ଦେଉଥିବାରୁ ମଧ୍ୟ ଖରାପ ଲାଗୁଥାଏ । ଖୁବ୍‌ ରାଗ ଆସୁଥାଏ ବି । ଅହଂକାରୀ ହୋଇ ଗୁଡ଼ାଏ ନାଟକ ବାଜି କରିଥିବାରୁ ବହୁତ ଖରାପ ବି ଲାଗୁଥାଏ । ମୁହୂର୍ଚାକ ପାଇଁ ଲାଗିଲା, ଯେ ସେ ଏଇନେ କାନ୍ଦି ପକାଇବ । କିନ୍ତୁ ସେ କାନ୍ଦିଲାନି । କାରଣ ବୀରା ମାହେଶ୍ୱରୀ ଏମିତି ମୂଲ୍ୟହୀନ ଘଟଣା କି ଲୋକଙ୍କ ସକାଶେ କେବେ କାନ୍ଦେନି । ନିଜ ସୁଖଦୁଃଖ ପାଇଁ ସେ ଅନ୍ୟକାହା ଉପରେ ନିର୍ଭର ବି କରେନି । ସେ ଗୋଟେ ଦୁର୍ବଳ ପିଲା ନୁହଁ ବରଂ ଅତ୍ୟନ୍ତ ଦୃଢ଼, ସାହସୀ ଓ ସ୍ୱାଧୀନଚେତା । ଏୟା ଭାବି ସେ ସିଦ୍ଧାର୍ଥ କଥାକୁ ଗୁରୁତ୍ୱହୀନ ଓ ଅର୍ଥହୀନ ସାବ୍ୟସ୍ତ କରିବାପାଇଁ ଆଖିରେ ଜକେଇ ଆସିଥିବା ଦି ବୁନ୍ଦା ଲୁହକୁ ପୋଛିଦେଲା । ହେଲେ ସେ ଏକଥା ଜାଣିନଥିଲା ଯେ ସିଡ଼୍ ଗତକାଲିର ଝଗଡ଼ା ପାଇଁ ଭୁଲ୍ ସ୍ୱୀକାର କରିବା ପୂର୍ବରୁ ସମୀରା ଦି’ ଓ ରୋହାନ୍ ଠାରୁ ତାକୁ ଅନେକ କିଛି ଭଲମନ୍ଦ ଶୁଣିବାକୁ ପଡ଼ିବ ବୋଲି।

ଜାହାଜର ଉପର ଡେକ୍‌କୁ ପଶିବାମାତ୍ରେ ଦଲକାଏ ଥଣ୍ଡାପବନ ଆସି ବୀରା ଦେହରେ ନେସି ହେଇଗଲା । ଧୀର ସ୍ୱରରେ କଥା ହଉଥିବା ଦୁଇ ତିନିଜଣ ସ୍ତ୍ରୀ ଲୋକଙ୍କୁ ଛାଡ଼ିଦେଲେ ସେଠି ପ୍ରାୟ ଆଉ କେହି ନଥିଲେ । ସେ ଯାଇ ରେଲିଂଗ୍ ଉପରେ ଆଉଜି ପଡ଼ି ସମୁଦ୍ରକୁ ନିରୀକ୍ଷଣ କଲା । ବିଶାଳ ନୀଳ ସମୁଦ୍ରଟି ଗୋଟିଏ ବିଶାଳ ନୀଳ କମ୍ବଳ ଉପରେ ବିଛେଇ ହୋଇ ପଡ଼ିଥାଏ । ଛୋଟଛୋଟ ସାମୁଦ୍ରିକ ଜୀବମାନେ ତା\’ ଦେହରେ ସଜେଇ ହୋଇଥିଲା ପରି ଲାଗୁଥା’ନ୍ତି । ନିଜ ରାସ୍ତାକାଟି ଜାହାଜଟି ଆଗେଇ ଯାଉଥିଲା ବେଳେ, ଡଲଫିନ୍ କେତୋଟି ପାଣି ଉପରକୁ ଉଠିଆସୁଥା’ନ୍ତି ନିଃଶ୍ୱାସ ନେବାପାଇଁ ।

 

କ୍ରମଶଃ

Leave A Reply

Your email address will not be published.