ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବାହାରକୁ ମୁଣ୍ଡ କାଢି, ଏପଟସେପଟ ଚାହିଁ ଭଲଭାବରେ ଦେଖିଲା, କେହି ବି ଦେଖାଗଲେନି । ଏଥର କବାଟ ବନ୍ଦକରି ଫେରି ଆସିଲା ବେଳକୁ ଚଟାଣ ଉପରେ ପଡ଼ିଥିବା ଗୋଟେ ଲଫାପା ଉପରେ ତା’ର ନଜର ପଡ଼ିଗଲା । କୌତୁହଳବଶତଃ, ସେଇଟିକୁ ଉଠେଇ ଆଣି ଦେଖେ ତ ଉପରେ ସ୍ପଷ୍ଟ ଅକ୍ଷରରେ ଲେଖା ହୋଇଛି : ମିଃ. ଏବଂ ମିସେସ୍ ମାହେଶ୍ୱରୀଙ୍କ ସନ୍ଧାନ ସୂଚନା । ଲାଗିଲା ସତେ ଯେମିତି ଗୋଟେ ଶୀତୁଆ ସକାଳରେ ରୋହାନ୍ ମୁଣ୍ଡ ଉପରେ ହଠାତ୍ କିଏ ଜଣେ ବାଲ୍ଟିଏ ଥଣ୍ଡା ପାଣି ଢାଳିଦେଲା! ଲଫାପାଟିକୁ ଧରିଲା ବେଳକୁ ତା’ର ଆଙ୍ଗୁଠି ଥରି ଉଠୁଥାଏ । ସେ ଜାଣିଥିଲା ଯେ ବୀରାର ଜୀବନରେ ଏଇଟା ଗୋଟେ ନିର୍ଣ୍ଣାୟକ ଦସ୍ତାବିଜ୍ ।
ସେ ରୁମ୍ ଭିତରକୁ ଧାଇଁ ଆସିଲା, ତା\’ର ଛାତି ଏତେ ଜୋର୍ରେ ଧଡ଼ଧଡ଼ ହେଉଥାଏ ଯେମିତି ଫାଟି ପଡ଼ିବ । ସିଡ଼୍ ଦେହରୁ ଚାଦର କାଢ଼ି ପକେଇ ଦେଇ ଜୋର୍ରେ ପାଟିକରି ତାକୁ ନିଦରୁ ଉଠେଇଦେଲା ରୋହାନ୍ । ନିଦମଳମଳ ଆଖିରେ ସିଡ଼୍, “କ’ଣ ହେଇଛି” ବୋଲି ପଚାରିବାରୁ, ରୋହାନ୍ ତାକୁ ଲଫାପାଟି ଦେଖେଇ, ତା’ ହାତରେ ଗୁଞ୍ଜି ଦେଲା । ମୁହୂର୍ଚାକ ପାଇଁ ଆଶ୍ଚର୍ଯ୍ୟ ହେଇଯାଇଥିବା ସିଡ଼୍ର ଆଖି ଏଥର ଖୁବ୍ ବଡ଼ ହୋଇ ଉଠିଲା । ଚଟ୍କିନା ବସିପଡ଼ି ଭୟଭୀତ ହୋଇ ସିଡ଼୍ କହିପକାଇଲା, “ହେ ଭଗବାନ୍! ଏ କଥା ବିଶ୍ୱାସ କରିହେବନି ।” “ମୁଁ ଜାଣେ ।
ଯେଉଁ ଦିନଟି ନଆସୁ ବୋଲି ଆମେ ପ୍ରାର୍ଥନା କରିଆସୁଥିଲେ, ଶେଷରେ ସେଇ ଦିନଟି ଆସି ପହଞ୍ଚି ଯାଇଛି ।” ଦୁଃଖଭରା କଣ୍ଠରେ ରୋହାନ୍ କହିଲା ।
“ତମେ କ’ଣ ଚାହଁ…?” ଛେପ ଢୋକି ସିଡ଼୍ ପଚାରିଲା । ଗୋଟେ ଦୀର୍ଘଶ୍ୱାସ ନେଇ ରୋହାନ୍ ଲଫାପାଟି ଖୋଲି ପଢ଼ିବାକୁ ଆରମ୍ଭ କଲା ।
କ୍ରମଶଃ
Comments are closed.