Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୩ 

କାକା ବିଭୀଷଣଙ୍କ ଗୃହରେ ସୁଲୋଚନାଙ୍କୁ ଭଲ ଲାଗେ, ମନକୁ ଶାନ୍ତି ମିଳେ। ଏକ ଦିବ୍ୟ ପବିତ୍ର ଭାବନା ସଂଚରିଯାଏ ମନରେ। ନାଗମାନେ ଚିରକାଳ ଶ୍ରୀବିଷ୍ଣୁଙ୍କର ଉପାସକ। ତାଙ୍କର ଆରାଧ୍ୟ , ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପରମ ଭକ୍ତ ବିଭୀଷଣ। ତାଙ୍କ ତୁଣ୍ଡରେ ସର୍ବଦା ରାମ ନାମ । ତାଙ୍କର ଶ୍ୱାସରେ ରାମ, ତାଙ୍କର ପ୍ରତିଟି ସ୍ପନ୍ଦନରେ ରାମ।

ଅନେକ ସମୟରେ କାକୀ ସରମାଙ୍କ ସହ ସମୟ ବିତାନ୍ତି ସୁଲୋଚନା। ସୁଲୋଚନାଙ୍କର ଜିଜ୍ଞାସୁ ମନ ! ତାଙ୍କ ନିକଟରୁ ଅନେକ କିଛି ପଚାରି ବୁଝନ୍ତି। ଥରେ ସରମାଙ୍କୁ ପଚାରିଲେ, ” କାକୀ ! ଏହି ବିଶାଳ ଲଙ୍କା ନଗରୀର ସ୍ଥାପନା କିଏ ଓ କାହିଁକି କରିଥିଲେ , କୃପା ପୂର୍ବକ ମୋତେ ଜଣାଇବେ କି? କିଏ ନିର୍ମାଣ କରିଥିଲେ ଏହି ଭବ୍ୟ ନଗରୀ ? ”

” ନିଶ୍ଚୟ କହିବି , ପୁତ୍ରୀ ! ଏକଦା ମାତା ପାର୍ବତୀ ନିଜ ପାଇଁ ଏକ ସୁନ୍ଦର ଗୃହଟିଏ ନିର୍ମାଣ କରିବା ପାଇଁ ଶିବଙ୍କୁ ନିବେଦନ କଲେ। ଶିବ ତାଙ୍କୁ ବୁଝେଇଲେ, କୈଳାସ ପର୍ବତ ହିଁ ତାଙ୍କ ପାଇଁ ଉଚିତ ସ୍ଥାନ। ଜଣେ ଯୋଗୀଙ୍କର ପ୍ରାସାଦରେ ରହିବା କ’ଣ ଉଚିତ ହେବ ! ମାତ୍ର ମାତାଙ୍କ ଜିଦ୍ ଯୋଗୁଁ ଈଶ୍ୱର, ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆଦେଶ ଦେଲେ ତାଙ୍କ ପାଇଁ ସୁନ୍ଦର ପ୍ରାସାଦଟିଏ ନିର୍ମାଣ କରିବା ପାଇଁ।

ଚତୁର୍ଦ୍ଦିଗରେ ସମୁଦ୍ର ଘେରା ତ୍ରିକୁଟ ପର୍ବତକୁ ଚୟନ କରାଗଲା ନଗରୀ ନିର୍ମାଣ ପାଇଁ। ବିଶ୍ୱକର୍ମା ସେଠାରେ ସ୍ୱର୍ଣ୍ଣ ଲଙ୍କାନଗରୀର ନିର୍ମାଣ କଲେ। କୁହାଯାଏ ସ୍ୱର୍ଗର ଅଳକାପୁରୀଠାରୁ ମଧ୍ୟ ଅଧିକ ସୌନ୍ଦର୍ଯ୍ୟଶାଳୀ ଓ ବିଭବଶଳୀ ଥିଲା ଲଙ୍କା। ନିର୍ମାଣ ଶେଷ ହେବା ପରେ ନଗରୀର ପ୍ରତିଷ୍ଠା ନିମିତ୍ତ ସେ ସମୟର ସବୁଠାରୁ ଶ୍ରେଷ୍ଠ ବ୍ରାହ୍ମଣ ବ୍ରହ୍ମାଙ୍କର ମାନସ ପୁତ୍ର ମହର୍ଷି ପୁଲସ୍ତ୍ୟଙ୍କର ପୁତ୍ର ଋଷି ଵିଶ୍ରବାଙ୍କୁ ,ଦାୟିତ୍ବ ଦିଆ ଯାଇଥିଲା। ଋଷି ଵିଶ୍ରବା ଲଙ୍କେଶ୍ୱରଙ୍କର ପିତା ଅଟନ୍ତି। ”

 

କ୍ରମଶଃ….

Comments are closed.