ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
କି ଯେ ବିଡମ୍ବନା ଭାଗ୍ୟର ସତରେ ! ପରମ ପ୍ରତାପୀ ସୂର୍ଯ୍ୟବଂଶୀ ରଘୁକୁଳତିଳକ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣପ୍ରିୟା ସୀତା… ରାଜନନ୍ଦିନୀ ଓ ରାଜବଧୂ ସୀତା.. ଆଜି ଅଶୋକବନରେ ଅସହାୟା ଅବସ୍ଥାରେ ବନ୍ଦିନୀ !
ସୁଲୋଚନାଙ୍କର ସୁନ୍ଦର ନୟନରୁ ଝରି ଯାଉଥିଲା ଅଶ୍ରୁଧାର। ଆହା… ଅଲିଅଳି ଜନକଦୁଲାଳୀଙ୍କର ଏ କି ଅବସ୍ଥା !! ରାଜରାଣୀ ହେଉ ହେଉ ବନବାସିନୀ ହୋଇଗଲେ। ବର୍ତ୍ତମାନ ଦୈତ୍ୟ ଦ୍ୱାରା ଅପହୃତା !! କ’ଣ କରୁଥିବେ ! କିପରି ଅବସ୍ଥାରେ ଥିବେ ! ମନ ହେଉଥିଲା ଏଇ ମୁହୂର୍ତ୍ତରେ ତାଙ୍କ ନିକଟକୁ ଯାଇ ତାଙ୍କୁ ମୁକ୍ତ କରିଦେବେ । ମାତ୍ର… ନା .. ସ୍ୱାମୀଙ୍କୁ ଅପେକ୍ଷା କରିବେ। ସେ ନିଶ୍ଚୟ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଫେରିଯିବାରେ ସାହାଯ୍ୟ କରିବେ।
ସୁଲୋଚନାଙ୍କର ବେଦନାସିକ୍ତ ମୁଖକୁ ଦେଖି ମେଘନାଦ ବ୍ୟସ୍ତ ହୋଇ ପଡିଲେ। ତାଙ୍କର ବିରସ ବଦନ ତାଙ୍କୁ ଅତ୍ୟନ୍ତ କଷ୍ଟ ଦିଏ। ଅଶ୍ରୁ ପୋଛିଦେଇ ପଚାରିଲେ, ” ପ୍ରିୟେ ! ଆଜି ଦୁଃଖରେ ଏପରି କାତର କାହିଁକି ? କ’ଣ ହୋଇଛି ? ” ସ୍ୱାମୀଙ୍କର ସ୍ନେହପୂର୍ଣ୍ଣ ବଚନ ସୁଲୋଚନାଙ୍କ ମନରେ ବିଶ୍ୱାସ ଆଣିଲା , ବର୍ତ୍ତମାନ ଜାନକୀଙ୍କର ସମସ୍ତ କ୍ଳେଶର ପରିସମାପ୍ତି ନିଶ୍ଚୟ ଘଟିବ ।
ସୁଲୋଚନା କହିଲେ, ” ଶୁଣିଲି ଅଶୋକବନରେ ସୀତାଙ୍କୁ ବନ୍ଦିନୀ କରି ରଖା ଯାଇଛି ? ”
” ଠିକ୍ ଶୁଣିଛ । ”
” ଆପଣ ତାଙ୍କୁ ମୁକ୍ତ କରି ସସମ୍ମାନେ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠେଇ ଦିଅନ୍ତୁ। ”
” ଅସମ୍ଭବ । ମୁଁ ଏହା କିପରି କରି ପାରିବି ? ପିତା ତାଙ୍କୁ ଆଣିଛନ୍ତି । ତାଙ୍କର କୌଣସି କାର୍ଯ୍ୟରେ ପୁତ୍ର ହୋଇ ମୁଁ ହସ୍ତକ୍ଷେପ କରିବା ଉଚିତ ନୁହେଁ । ”
” କିନ୍ତୁ.. ଏହା ଯେ ଅନ୍ୟାୟ। ପର ସ୍ତ୍ରୀ ହରଣ ମହାପାପ । ଏହାକୁ ସମର୍ଥନ କରୁଥିବା ବ୍ୟକ୍ତି ମଧ୍ୟ ସେହି ପାପରେ ସମଭାଗୀ ! ”
” ଅନ୍ୟାୟ ?? କିପରି ?? ବନବାସୀ ରାମର ଆଦେଶରେ ତା’ର ଅନୁଜ ଲକ୍ଷ୍ମଣ ଆମ ପିଉସୀମାଆଙ୍କ ନାସିକା ଛେଦନ କଲା। ଏହା କ’ଣ ଅନ୍ୟାୟ ନ ଥିଲା କି? ଭଗିନୀର ଅପମାନର ପ୍ରତିଶୋଧ , ନେବା କ’ଣ ପାପ କି ? ”
କ୍ରମଶଃ….
Comments are closed.