ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସାରା ରାତ୍ରି ମନ୍ଦୋଦରୀଙ୍କ ନିକଟରେ ରହି ଯାଇଥିଲେ ସୁଲୋଚନା। କ୍ଳାନ୍ତ ଆଖିପତା ବୁଜି ହୋଇ ଆସୁଛି। ନିଜ କକ୍ଷକୁ ଫେରି ଆସିଲେ। ସାମାନ୍ୟ ବିଶ୍ରାମ ନେଇ ପୁନଶ୍ଚ ଯିବେ ତାଙ୍କ ନିକଟକୁ। ବର୍ତ୍ତମାନ ସମୟରେ ରାଜମାତାଙ୍କ ନିକଟରେ ତାଙ୍କର ଉପସ୍ଥିତି ନିତାନ୍ତ ଆବଶ୍ୟକ।
ସ୍ନାନ ସାରି ପୂଜାରେ ବସିଲେ ସୁଲୋଚନା। ଆରାଧ୍ୟ ବିଷ୍ଣୁଙ୍କ ନିକଟରେ କରୁଣ ବିନତି କଲେ ଲଙ୍କାର ସୁରକ୍ଷା ପାଇଁ। ସ୍ୱାମୀଙ୍କର ସୁରକ୍ଷା ପାଇଁ।
ମନ୍ଦୋଦରୀଙ୍କ କକ୍ଷରେ ବସିଛନ୍ତି ସୁଲୋଚନା। ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି। ଠିକ୍ ଏହି ସମୟରେ ସମୂହ ଆର୍ତ୍ତଚିତ୍କାର ଶୁଣାଗଲା। ଦୌଡ଼ିକି ବାହାରି ଆସିଲେ କକ୍ଷରୁ। ଏ କ’ଣ ? ଅଗ୍ନିର ଲେଲିହାନ ଶିଖା ଆକାଶ ଛୁଉଁଛି। ଲଙ୍କାର ସମସ୍ତ ଗୃହରେ ଅଗ୍ନି ଲାଗିଛି। ରାସ୍ତାକୁ ବାହାରି ଆସିଲେ ।
ରାବଣ ଓ ମନ୍ଦୋଦରୀଙ୍କର କକ୍ଷ ମଧ୍ୟ ସେଥିରୁ ନିବୃତ୍ତ ରହି ପାରିଲା ନାହିଁ। ଅଳ୍ପ ସମୟ ମଧ୍ୟରେ ସ୍ୱର୍ଣ୍ଣ ଲଙ୍କାନଗରୀ ଅଗ୍ନିରେ ଜଳି ଛାରଖାର ହୋଇଗଲା। ଲଙ୍କାବାସୀ ରାସ୍ତାରେ। କେବଳ ଧର୍ମାତ୍ମା ବିଭୀଷଣଙ୍କର ଗୃହରେ ଅଗ୍ନି ନ ଥିଲା। ଅଶୋକ ବାଟିକା ଅଗ୍ନିଶୂନ୍ୟ ଥିଲା।
ରାମଦୂତ ହନୁମାନ ଅକ୍ଳେଶରେ ଲଙ୍କା ବିଧ୍ୱଂସ କରି ଚାଲିଗଲେ। ତାଙ୍କୁ ବଧ କରିବା ନିମିତ୍ତ ଶାସ୍ତି ସ୍ୱରୂପ ତାଙ୍କ ଲାଞ୍ଜରେ ଅଗ୍ନି ସଂଯୋଗ କରା ଯାଇଥିଲା। ମାତ୍ର.. ସେ ଲାଞ୍ଜର ଆକାର ଏତେ ବିରାଟ ହୋଇଗଲା ଯେ ,ଲଙ୍କାର ସମସ୍ତ ବସ୍ତ୍ର ମଧ୍ୟ କମ୍ ପଡିଗଲା ଗୁଡ଼େଇବା ପାଇଁ।
ମନ୍ଦୋଦରୀଙ୍କର କରୁଣ ବିନତି ରାବଣଙ୍କୁ..” ସ୍ୱାମୀ ! ଏତେ ସବୁ ଦୁର୍ଘଟଣା ସୀତାଙ୍କ ଯୋଗୁଁ। ତାଙ୍କୁ ରାମଚନ୍ଦ୍ରଙ୍କୁ ଫେରାଇ ଦିଅନ୍ତୁ। ତାଙ୍କର ସାମାନ୍ୟ ଦୂତଟିଏ ନିରସ୍ତ୍ର ରହି ଯଦି ଲଙ୍କାର ଏପରି ଦୁର୍ଦ୍ଦଶା କରି ପାରୁଛି ତେବେ ତା’ ପ୍ରଭୁ କେତେ ଶକ୍ତିଶାଳୀ ହୋଇ ନ ଥିବେ ! ତାଡକା,ମାରିଚ,ଖର , ଦୁଷଣ ପରି ଶକ୍ତିଶାଳୀ ଦୈତ୍ୟଙ୍କର ବଧର କାରଣ ସିଏ। ”
କ୍ରମଶଃ…
Comments are closed.