ରବି ପଣ୍ଡା
ଦାରୁ ଭିତରେ ବ୍ରହ୍ମ ନା ବ୍ରହ୍ମ ଭିତରେ ଦାରୁ
ବୁଝିପାରେନା ମୂଢଜନ।
ବ୍ରହ୍ମ-ଦାରୁ ହେଉ କି ନହେଉ
ସେ ଜ୍ଞାନରୁ ଜ୍ଞାନାତୀତ, ଇନ୍ଦ୍ରିୟରୁ ଅତିନ୍ଦ୍ରୀୟ
ଦ୍ରୁଶ୍ୟରୁ ଅଦ୍ରୁଶ୍ୟ ଓ ଅଦ୍ରୁଶ୍ୟରୁ ସାକାର ସ୍ୱରୂପ।
ଏସବୁ ରହସ୍ଯ ଭିତରେ ଗୋପ୍ୟ ରହି ଯାଏ
ଅନ୍ୱେଷଣ।
କାଳରୁ କାଳାନ୍ତର ଯାଏ
ଲାଗି ରହିଥିବ ତର୍ଜମା
ଯେତେ ମତ ସେତେ ପଥର
ପଥିକ ଭ୍ରମୁଥିବେ ଭ୍ରମରେ
ଲାଗି ରହିଥିବ ତର୍କଣା।
ଏମିତି ହୁଏ, ଯେବେ ଭକ୍ତିକୁ ମପାଯାଏ ଜ୍ଞାନରେ
ପ୍ରେମକୁ ଦର୍ଶନରେ ଆଉ ଧର୍ମକୁ ଯୁକ୍ତି ଓ ତର୍କରେ।
ଏତେ ସବୁରୁ ମିଳେ କ’ଣ?
ଆସ ଆମେ ସେଇଠି ଠିଆ ହେବା
ପାଦତଳେ ଥିବ ଖୁବ୍ ଲମ୍ବା
ଶରଧା ବାଲିର ଇଲାକା
ହାତରେ ହାତ ଥିବ
ଓଠରେ ହସ
ଛାତିତଳେ ଥିବ ଗୋଟେ ନିର୍ମେଘ
ଆକାଶର ନୀଳିମା।
ଆଗରେ ଥିବ ଗୋଟେ ଗଛ
ଆମର ସମସ୍ତ ଅସ୍ମିତା
ଓ ଅହଂକାରକୁ ଘୋଡେଇ ପକାଉଥିବ ତା ଛାଇ
ଚାରିଆଡ଼େ ଚନ୍ଦନ ଚନ୍ଦନ କି ତୁଳସୀ କସ୍ତୁରୀ ବାସୁଥିବ
ସେ ଗଛକୁ ଦାରୁ କୁହ କି ବ୍ରହ୍ମ କିଛି ଫରକ ନଥିବ
ଗଛ ଈଶ୍ବର ହେଇ ଠିଆ ହେଇଥିବ।
ଆଉ ସେତିକି ବେଳେ ଲାଗିବ
ସଂସାରର ସବୁ ସ୍ରୋତ
ସେଇ ଆଡେ ଲମ୍ବିଛି
ଯୁଆଡୁ ଚାହିଁଲେ ବି ନୀଳଚକ୍ର
ସମ୍ମୋହନ ଭଳି ଭିଡୁଛି
ଦାରୁ ବ୍ରହ୍ମ ହେଇ ମୁରୁକି ମୁରୁକି ହସୁଛି
ପତିତପାବନ ପାଇଁ ହାତ ମେଲି ବସିଛି ।