Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ରାବଣର ଜିଦ୍ ସମ୍ମୁଖରେ ଅବଳା ନାରୀର ପ୍ରାର୍ଥନା ବ୍ୟର୍ଥ ଗଲା। ମୟ ଦାନବ ମନ୍ଦୋଦରୀଙ୍କର ପିତା। ନିପୁଣ ରାଜଶିଳ୍ପୀ ସେ। ରାବଣର ଅନୁରୋଧରେ ପୁନଶ୍ଚ ସେ ସ୍ୱର୍ଣ୍ଣ ଲଙ୍କାର ନିର୍ମାଣ କରିଦେଲେ।

ଏକପ୍ରକାର ଉତ୍ତେଜନା ଲାଗି ରହିଥିଲା ରାଜପରିବାର ମଧ୍ୟରେ। ସାମାନ୍ୟ ବାନର ଇନ୍ଦ୍ରଜିତଙ୍କର ବ୍ରହ୍ମାସ୍ତ୍ରକୁ ମଧ୍ୟ ବିଫଳ କରିଦେଇ ପାରିଲା। ପ୍ରଜାମାନଙ୍କର ମଧ୍ୟରେ ଚାପା ଗୁଞ୍ଜରଣ । ରାଜାଙ୍କୁ କହିବାର ସାହସ ବା କାହାର ! କାହା ପ୍ରାଣକୁ ବା ଭୟ ନାହିଁ ! ନ୍ୟାୟ , ଅନ୍ୟାୟ, ଧର୍ମ , ଅଧର୍ମ ଏସବୁର ଆଲୋଚନା କରିବାକୁ ପ୍ରଜାଙ୍କର ବା ଅଧିକାର କାହିଁ !!

ନାଗକନ୍ୟା ସୁଲୋଚନା ( ଭାଗ .. ୧୪)

“ସୁଲୋଚନା ! ସୁଲୋଚନା ! ” ଉଚ୍ଚସ୍ୱରରେ ଡାକି ଡାକି କକ୍ଷ ମଧ୍ୟକୁ ପ୍ରଵେଶ କଲେ ଇନ୍ଦ୍ରଜିତ। ଏଇମାତ୍ର ସଂଧ୍ୟାପୂଜା ସମାପନ କରିଥିଲେ ସୁଲୋଚନା। ସ୍ୱାମୀଙ୍କ ଡାକରେ ପୂଜା କକ୍ଷରୁ ବାହାରି ଆସିଲେ। ଇନ୍ଦ୍ରଜିତଙ୍କର କଣ୍ଠରେ ବ୍ୟଗ୍ରତା ରହିଥିଲା। ସୁଲୋଚନାଙ୍କୁ ଦେଖୁ ଦେଖୁ ଇନ୍ଦ୍ରଜିତ କହିଲେ, ଜାଣିଛ ! ଆଜି ଲଙ୍କାଦ୍ରୋହୀଙ୍କୁ ପିତା ପଦାଘାତ କରି ଲଙ୍କାରୁ ବିତାଡ଼ିତ କରିଦେଲେ। ”

ବିସ୍ମିତା ସୁଲୋଚନା ପଚାରିଲେ, ” କିଏ ଲଙ୍କାଦ୍ରୋହୀ ! ” ତାଙ୍କୁ ପଦାଘାତ କରାଗଲା କାହିଁକି ? ”

” ଆମ କନିଷ୍ଠ କାକା ବିଭୀଷଣ , ଆଉ କିଏ ? ନୀତିର କଥା କହି ପିତାଙ୍କର ସମସ୍ତ କଥାକୁ ବିରୋଧ କରନ୍ତି ସେ। ଆଜି ତ ସୀମା ଅତିକ୍ରମ କରିଗଲେ। ପିତାଙ୍କର ଧୈର୍ଯ୍ୟ ବା କେତେଦିନ ରହିବ ! ”

” କିନ୍ତୁ… ସେ ତ ଜଣେ ଧର୍ମାତ୍ମା ପୁରୁଷ। ଏମିତି କି କାର୍ଯ୍ୟ କଲେ ଯେଉଁଥିରେ ପିତାଙ୍କର କ୍ରୋଧ ଉତ୍ପନ୍ନ ହେଲା ? ”

” ତମେ ତ ଜାଣିଛ ! ପିଉସୀମା ସୂର୍ପଣଖାଙ୍କର ଅପମାନର ପ୍ରତିଶୋଧ ନେବାକୁ ଯାଇ ପିତା, ସୀତାଙ୍କୁ ହରଣ କରି ଆଣିଛନ୍ତି । ମାୟାବୀ ବିଷ୍ଣୁ ଆମ ରାକ୍ଷସ କୁଳର ପ୍ରଧାନ ଶତ୍ରୁ। ସୁଯୋଗ ପାଇବା ମାତ୍ରେ ବାରମ୍ବାର ମାୟାର ଆଶ୍ରୟ ନେଇ ଆମ କୁଳର ପ୍ରଭୁତ କ୍ଷତି ସାଧନ କରେ। କାକା ପିତାଙ୍କୁ ପରାମର୍ଶ ଦେଲେ, ସୀତାଙ୍କୁ ତାଙ୍କ ସ୍ୱାମୀ ରାମ ହାତରେ ସମର୍ପି ଦେଇ ତା’ର ଦାସତ୍ୱ ସ୍ୱୀକାର କରିଵା ପାଇଁ। ପିତା ମନା କରିବା ପରେ ତାଙ୍କୁ ସମସ୍ତ ସଭାସଦଙ୍କ ସମ୍ମୁଖରେ କଟୁ ସମାଲୋଚନା କଲେ । ପରେ ପିତାଙ୍କର ପାଦ ଧରି ନେହୁରା ହୋଇ କହିଲେ, ଏପରି ନ କଲେ ଆମ କୁଳର ବିନାଶ ହୋଇଯିବ। ତେଣୁ ପିତା ତାଙ୍କୁ ପଦାଘାତ କରି ଲଙ୍କାରୁ ବିତାଡ଼ିତ କଲେ। ”

” ବିତାଡ଼ିତ କଲେ !! ତେବେ ସେ ଗଲେ କୁଆଡେ ? ”

 

କ୍ରମଶଃ…

Leave A Reply

Your email address will not be published.