ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୮
ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଦେବାଳୟରେ ନାଗକନ୍ୟା ସୁଲୋଚନା ବିଷ୍ଣୁ ଆରାଧନାରେ ନିମଗ୍ନା। ପିତାଙ୍କ ଦ୍ୱାରା ଶାପିତା ହୋଇ ନାଗଲୋକରୁ ବିତାଡିତା ହେବା ପରେ ବିଷ୍ଣୁଙ୍କ ଶରଣରେ ରହିଛନ୍ତି।
ମେଘନାଦର ଭୟରେ ଦେବରାଜ ଇନ୍ଦ୍ର ସ୍ୱର୍ଗରୁ ମର୍ତ୍ତ୍ୟକୁ ପଳାୟନ କଲେ। ସୁଲୋଚନା ରହୁଥିବା ବିଷ୍ଣୁ ମନ୍ଦିର ମଧ୍ୟରେ ଲୁଚି ରହିବାର ଅଭିପ୍ରାୟରେ ପ୍ରବେଶ କରି ସେଠାରେ ସୁଲୋଚନାଙ୍କୁ ଦେଖି ବିସ୍ମିତ ଇନ୍ଦ୍ର କହିଲେ, ” ସୁଲୋଚନା ! ତୁମେ ଏଠାରେ ଅରଣ୍ୟ ମଧ୍ୟରେ କ’ଣ କରୁଛ ? ମୋ ପ୍ରତି ଦୟା କର। ମୋତେ ଏଠାରେ ଲୁଚିବାରେ ସାହାଯ୍ୟ କର। ଏକ ଭୟଙ୍କର ଦୈତ୍ୟ ମୋର ଅନୁସରଣ କରୁଛି। ”
ସୁଲୋଚନା କୌଣସି ପ୍ରତିକ୍ରିୟା ରଖିବା ପୂର୍ବରୁ ଇନ୍ଦ୍ରଙ୍କ ପଛେ ପଛେ ମେଘନାଦ ମଧ୍ୟ ସେହି ଦେବାଳୟ ମଧ୍ୟରେ ପ୍ରବେଶ କଲେ। ଇନ୍ଦ୍ର ଓ ମେଘନାଦ ମଧ୍ୟରେ ପୁନଃ ଯୁଦ୍ଧ ଆରମ୍ଭ ହୋଇଗଲା। ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ମେଘନାଦ ଇନ୍ଦ୍ରଙ୍କୁ ବନ୍ଦୀ କରିନେଲେ। ଇନ୍ଦ୍ରଙ୍କୁ ଜୟ କରି ମେଘନାଦ ଇନ୍ଦ୍ରଜିତ ହେଲେ।
ଇନ୍ଦ୍ରଜିତଙ୍କର ବୀରତ୍ୱ ଓ ବ୍ୟକ୍ତିତ୍ୱରେ ସୁଲୋଚନା ପୂର୍ଣ୍ଣ ପ୍ରଭାବିତା ହୋଇ ସାରିଥିଲେ। ଦେବୀ ସଦୃଶ ପ୍ରତୀୟମାନା ହେଉଥିବା ସୁଲୋଚନାଙ୍କର , ସୁନ୍ଦର ଦୁଇ ଆୟତ ନୟନର ଆକର୍ଷଣରେ ଇନ୍ଦ୍ରଜିତ ମଧ୍ୟ ନିଜକୁ ହଜାଇ ଦେଉଥିଲେ। ସୁଲୋଚନାଙ୍କ ହୃଦୟ କହୁଥିଲା, ଇଏ ହିଁ ସେହି ବୀରପୁରୁଷ ଯାହାଙ୍କ ପ୍ରତୀକ୍ଷାରେ ସେ ମୁହୂର୍ତ୍ତ, ଦିନ, ମାସ ଓ ବର୍ଷ ଧରି ଅପେକ୍ଷା କରି ତପସ୍ୟା କରୁଛନ୍ତି। ଇନ୍ଦ୍ରଜିତ ମନେ ମନେ ପ୍ରତିଜ୍ଞା କରୁଥିଲେ, ଇଏ ହିଁ ସେହି କନ୍ୟା ଯାହାଙ୍କୁ ସେ ପତ୍ନୀ ରୂପେ ବରଣ କରି ପାରିବେ।
ଅସହାୟ ବନ୍ଦୀ ମହେନ୍ଦ୍ର ମେଘନାଦଙ୍କ ନିକଟରେ କରୁଣାର ଭିକ୍ଷା ଯାଚନା କରୁଥିଲେ। ଅଟ୍ଟହାସ୍ୟ କରି ଇନ୍ଦ୍ରଜିତ କହିଲେ, ” ଦେବେନ୍ଦ୍ର ! କରୁଣା ତ ମୋ ପିତା ଲଙ୍କାଧିପତି ରାବଣ କରିବେ। ” ସୁଲୋଚନାଙ୍କୁ କୋମଳ ନୟନରେ ଚାହିଁ ମଧୁର କଣ୍ଠରେ କହିଲେ, ” ଚାରୁଶୀଳେ ! ଦେବୀ ସଦୃଶା ପ୍ରତୀୟମାନା ହେଉଥିବା ତେଜସ୍ୱିନୀ, ଅନିନ୍ଦ୍ୟ ସୌନ୍ଦର୍ଯ୍ୟର ଅଧିକାରିଣୀ କିଏ ତୁମେ ? ଘୋର ଅରଣ୍ୟ ମଧ୍ୟରେ ଏହିପରି ଏକାକିନୀ ଭାବରେ କେଉଁ ଅଭିପ୍ରାୟରେ ଅବସ୍ଥାନ କରୁଅଛ ? “
Comments are closed.