Latest Odisha News

BREAKING NEWS

ଅନୁବାଦ ଗଳ୍ପ : ମୋ ମାଆ

ସିନ୍ଧୀ ସାହିତ୍ୟର ବରିଷ୍ଠ ସାହିତ୍ୟକାର କିରାଟ ବବାନୀ ଅବିଭକ୍ତ ସିନ୍ଧୁ ପ୍ରଦେଶର ମେରୋ ଲାଖୋ ଗ୍ରାମରେ ୧୯୨୨ ମସିହାରେ ଜନ୍ମଲାଭ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଜେଲ ବରଣ କରିଥିଲେ । ଦେଶ ସ୍ୱାଧୀନତା ଲାଭ ଏବଂ ବିଭାଜନ ପରେ ସେ ପାକିସ୍ତାନ ଛାଡ଼ି ଭାରତ ପଳେଇ ଆସିବାକୁ ବାଧ୍ୟ ହୋଇଥିଲେ । ସିନ୍ଧୀ ସାହିତ୍ୟକୁ ତାଙ୍କର ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ କାଳ ଧରି ଅମୂଲ୍ୟ ଅବଦାନ ରହିଥିଲା । ଦେଶ ବିଭାଜନ ଏବଂ ଅନ୍ୟାନ୍ୟ କଥାବସ୍ତୁ ଉପରେ ସେ ପନ୍ଦରଖଣ୍ଡରୁ ଅଧିକ ଗଳ୍ପ ସଙ୍କଳନ ଓ ଉପନ୍ୟାସର ରଚୟିତା । ତାଙ୍କର ଲୋକପ୍ରିୟ ରଚନା ମଧ୍ୟରେ ‘ସୁରଜ ସାଦୁ କାୟୋ’ ସୁପରିଚିତ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮ 

ମୂଳ ସିନ୍ଧୀ : କିରାଟ ବବାନୀ

ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ
ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ ସଦାବେଳେ ଚଳଚଞ୍ଚଳ । ସମସ୍ତେ ସବୁବେଳେ ଧାଉଁଥିବେ । ଦଶମିନିଟ୍ ଏଠି ଦଶ ଘଣ୍ଟା ପରି ଲାଗେ । କିନ୍ତୁ ସିନ୍ଧ୍‌ର ନୱାବଶାହ ଭଳିଆ ଛୋଟ ଟାଉନରେ ଜଣେ ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ବି ସମୟ ଜଣାପଡ଼େନି । ଘଣ୍ଟାଟିଏ ଆଖି ପିଛୁଡ଼ାକ ପରି କୁଆଡ଼େ ବିତିଯିବ । ସିନ୍ଧୀ
ସରଳପଣିଆ ଆଉ ବମ୍ବେର ଏଇ ଅଗଜରୀ ଜୀବନ ଭିତରେ ଆକାଶ ପାତାଳ ଫରକ । ତେଣୁ ଦେଶ ବିଭାଜନ ପରେ ଯେଉଁ
ସିନ୍ଧୀ ଶରଣାର୍ଥୀମାନେ ଜୀବନ ବିକଳରେ ବମ୍ବେ ପଳେଇ ଆସିଥିଲେ ଏ ମହାନଗରୀର ଧାଁଦଉଡ଼ ଜୀବନଶୈଳୀ ସାଙ୍ଗରେ ତାଳଦେଇ ଚାଲିବାରେ ସେମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିରେ ଆଶ୍ଚର୍ଯ୍ୟ ହେବାର ବି କିଛି ନଥିଲା । ଆଉ ଏମିତିକା ପରିବର୍ତ୍ତନ ସାଙ୍ଗକୁ ସେମାନଙ୍କ ନିଜ ପ୍ରିୟ ଭୂଇଁକୁ ଛାଡ଼ିବାର ଦୁଃଖ ବି ସେମାନଙ୍କ ମୁଣ୍ଡରେ ସଦାବେଳେ ବୋଝଭଳି ଲଦି ହୋଇ ରହିଥିଲା । ସିନ୍ଧ୍ ସେମାନଙ୍କ ନିଜ ଜନ୍ମଭୂମି, ସେମାନଙ୍କ କର୍ମଭୂମି ।

ମୁଁ ଇଣ୍ଡିକେଟର ଆଡ଼େ ପୁଣି ଥରେ ଚାହିଁ ଆଉ ପରସ୍ତେ ଘଣ୍ଟା କଣ୍ଟା ଆଡ଼େ ନିରୀକ୍ଷଣ କଲି । ନା, ଟ୍ରେନ୍ ଆସିବା ସମୟ ହେଇନି । ପ୍ଲାଟଫର୍ମସାରା ଲୋକ ହାଉଜାଉ ହେଉଥିଲେ । ସତେ ଯେମିତି ଜନ ସମୁଦ୍ରର ଲହଡ଼ି! ରାସ୍ତାରେ ହେଉ ଅବା ଲୋକାଲ ଟ୍ରେନଷ୍ଟେସନମାନଙ୍କରେ ହେଉ ପିମ୍ପୁଡ଼ି ଧାର ଭଳି ମଣିଷଙ୍କ ଏ ଅସରନ୍ତି ସୁଅକୁ ଦେଖିଲେ ସମୁଦ୍ରରୁ ଢେଉ ଉଠିବାପରି ଲାଗେ । ପ୍ରତି ପାଞ୍ଚ ମିନିଟରେ ଗୋଟିଏ ଲେଖାଏଁ ଲୋକାଲ ଟ୍ରେନ୍‌ ଅତିକ୍ରମ କରୁଥିଲା ଓ ତା’ ଭିତରୁ ଦଲକାଏ ଲେଖାଏଁ ଯାତ୍ରୀ ବାହାରି ଆସୁଥିଲେ ଓ ଆଉ ଦଲକାଏ ଯାତ୍ରୀ ପଶିଯାଉଥିଲେ । ଜୀବନର ସ୍ରୋତରେ ଏଠି କ’ଣ ପୂର୍ଣ୍ଣଚ୍ଛେଦ ପଡ଼େନ! ଏମିତିକି ନିଃଶ୍ୱାସଟିକେ ନେବାଲାଗି ସୁଦ୍ଧା! ମୁଁ ମନେ ମନେ ବିସ୍ମିତ ହେଉଥିଲି ।

ମୁଁ ସେମିତି ଗୋଟିଏ ଜାଗାରେ ଠିଆ ହୋଇଥାଏ । ଲକ୍ଷ୍ୟ କଲି, ଷ୍ଟେସନ ମାଷ୍ଟରଙ୍କ ଅଫିସ୍ ସାମ୍ନାରେ ପଞ୍ଝାଏ ଲୋକ ରୁଣ୍ଡ ହୋଇଛନ୍ତି । ମନେ ମନେ ଭାବିଲି – ଏହାର କାରଣ କ’ଣ ହୋଇଥାଇପାରେ? କାହାର ଭଲା ଅନ୍ୟ କଥା ବୁଝିବାକୁ ସମୟ ଅଛି? କେବଳ ଯାହା କେଇ ମିନିଟ ଅପଚୟ ହେବା ସାର । ଏମିତିରେ ତ ଦିନକ ଚବିଶ ଘଣ୍ଟା ଏଠି ନିଅଣ୍ଟ । ପୁଣି ଥରେ ମୁଁ ମୋ ସାମ୍ନାରେ ଯା’ଆସ କରୁଥିବା ଲୋକଙ୍କ ଉପରୁ ଦୃଷ୍ଟି ହଟାଇ ଚାହିଁଲି ସେଇ ଲୋକ ରୁଣ୍ଡ ହୋଇଥିବା ସ୍ଥାନ ଆଡ଼େ ।

କ’ଣ ପାଇଁ ଏମିତି ହୋହଲ୍ଲା? ଷ୍ଟେସନ ମାଷ୍ଟର ତ ଆଉ ମାଙ୍କଡ଼ନାଚ କରୁନଥିବେ । ଡ୍ୟୁଟିରେ ଥିଲାବେଳେ ସରକାରୀ ଅଧିକାରୀମାନଙ୍କର ସେ ସୁଯୋଗ ଅବା ଅବସର କାହିଁ? ସେ ଯାହାହେଉ, ବମ୍ବେ ଭଳି ମହାନଗରୀରେ କାହାର ଭଲା ମାଙ୍କଡ଼ନାଚ ଦେଖିବାକୁ ତର ଅଛି? ମୁହୂର୍ତ୍ତକ ଲାଗି ମୋ ମନକୁ ଆସିଲା, ଯାଇ ସେ ଆଡ଼େ ବୁଲି ଆସିବି, କି ତାମସା ଚାଲିଛି ଦେଖିବି। କିନ୍ତୁ ନିଜକୁ ପୁଣି ସଂଯତ କରିନେଲି । ତା’ବଦଳରେ ଆଉ ଥରେ ଏକ ଅଭିଯୋଗପୂର୍ଣ୍ଣ ଦୃଷ୍ଟିରେ ଘଣ୍ଟାକୁ ଚାହିଁଲି । ତଥାପି, କାହିଁକି କେଜାଣି ମନ ଭିତରଟା ଗୁଡ଼ୁପୁଡ଼ୁ ହେଲା । ଆଉ ସମ୍ଭାଳି ପାରିଲିନି । ଷ୍ଟେସନ ମାଷ୍ଟରଙ୍କ ଅଫିସ ସାମ୍ନାରେ ଲୋକଗହଳି ବଢ଼ି ସାରିଥିଲା । ଘଟଣା କ’ଣ ଜାଣିବା ଲାଗି ଲୋକମାନେ ଭିଡ଼ ଆଡ଼େଇ ତା’ ଭିତରକୁ ଉଣ୍ଡୁଥିଲେ ।ମୁଁ ବି ସେମାନଙ୍କ ସାଥିରେ ସେଇଆଡ଼େ ଉଣ୍ଡିଲି ।

ଷ୍ଟେସନ ମାଷ୍ଟର ଜଣେ ସ୍ଥାନୀୟ ମହିଳାଙ୍କ ସାଙ୍ଗରେ କିଛି କଥାବାର୍ତ୍ତା ହେଉଥିଲେ । ମହିଳା ଜଣକ ଶାଢ଼ୀ ପିନ୍ଧିଥିଲେ । ତାଙ୍କ କାନ୍ଧରେ ପର୍ସଟିଏ ଝୁଲୁଥିଲା । ବାଁ ହାତରେ ଜଳନ୍ତା ସିଗାରେଟ ଖଣ୍ଡି ଧରି ଡାହାଣ ହାତ ହଲେଇ ସେ ଷ୍ଟେସନମାଷ୍ଟରଙ୍କୁ କିଛି ବୁଝେଇଲା ଭଳି ଗପି ଚାଲିଥିଲେ । ତାଙ୍କ ଭାଷା ମୋ ପାଇଁ ଅବୋଧ୍ୟ ଥିଲା । କାରଣ ମୋ କାନରେ ତାଙ୍କ କଥା ସ୍ପଷ୍ଟ ପଡ଼ୁନଥିଲା । ତେଣୁ ଘଟଣାଟି କ’ଣ ମୁଁ ବୁଝିବା ସହଜ ନଥିଲା । କିନ୍ତୁ ଯେଉଁ ଲୋକମାନେ ସେଠାରେ ରୁଣ୍ଡ ହୋଇଥିଲେ, ସେମାନେ ସେ ଭଦ୍ରମହିଳାଙ୍କୁ ହିଁ ଚାହୁଁଥିଲେ । ସମ୍ଭମତଃ ମନେ ମନେ ବିସ୍ମିତ ହେଉଥିଲେ ଯେ ଏ ଦେଶରେ ଜଣେ ମହିଳା ବି ସର୍ବସମକ୍ଷରେ ଏମିତି ସିଗାରେଟ୍ ଟାଣିପାରନ୍ତି । ଅଚିହ୍ନା ଲୋକଙ୍କ ସହ ଭେଟ ସାକ୍ଷାତ କଥା ଆମ ମନରେ ଖୋଦେଇ ହୋଇ ରହିଯାଇଥାଏ । ଏଇ ଘଟଣାଟି ମୋ ମନରେ ଆଉ ଗୋଟିଏ ସ୍ମୃତିକୁ ଉଖୁରେଇ ଦେଇଥିଲା ।

ଦୀର୍ଘ ଦି’ବର୍ଷ ଧରି ଆଜମେରରେ ରହିବାପରେ ମୁଁ ସଦ୍ୟ ସେଠାରୁ ଫେରିଥିଲି । ଦେଶ ଭାଗ ଭାଗ ହୋଇ ବଣ୍ଟା ଯିବାବେଳେ ମୁଁ ଭାରତ ପଳେଇ ଆସିଥିଲି ଏବଂ ତାହା ଥିଲା ଭାରତରେ ମୋର ଆଦ୍ୟ ଦି’ବର୍ଷର ରହଣି । ସେଠାରୁ ମୁଁ ଫେରୁଥିଲି ମୋର ଶରଣାର୍ଥୀ ମା’କୁ ଭେଟିବାକୁ । ସିନ୍ଧ୍‌ରେ ଥିବାବେଳେ ଦେଖୁଥିବା ମା’ଠାରୁ ସେ କେଡ଼େ ଭିନ୍ନ ଲାଗୁଥିଲା! ସେତେବେଳେ ତା’ର ଦୃଷ୍ଟିଶକ୍ତି ବେଶ୍‌ ପ୍ରଖର ଥିଲା । ଆଉ ଆଜି ସେ ଆଖି ଯୋଡ଼ିକ କେଡ଼େ ନିଷ୍ପ୍ରଭ ଲାଗୁଥିଲା । ନିଜ ଲାଗି ଦି’ଖଣ୍‌ନ ରୁଟି ବନେଇବା ସୁଦ୍ଧା ତା’ଲାଗି କଷ୍ଟକର ଥିଲା । ସିନ୍ଧ୍‌ରେ ରହୁଥିବାବେଳ ମୋ ମା’ ଚିଲମ ଟାଣୁଥିଲା । ଏଠି ତାକୁ ହୁକା ଟାଣିବାକୁ ପଡ଼ୁଛି । ସିନ୍ଧ୍‌ରେ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ମା’ମୋର ସବୁ ରୀତିନୀତି ପରମ୍ପରା କେଡ଼େ ସରାଗରେ କରୁଥିଲା । କିନ୍ତୁ ଆଜି କେବଳ ଆଖିରୁ ଦି’ଟୋପା ଲୁହ ଗଡ଼େଇ ସେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ସିନ୍ଧ୍‌ରେ ମୋର ପୂର୍ବର ସେଇ ମା’ ପାଖରେ ଆଠ ଆଠଜଣ ନାତିନାତୁଣୀ ଥିଲେ । ଆଜି ସେମାନଙ୍କ ସଂଖ୍ୟା ପାଞ୍ଚକୁ କମିଆସିଛି । ଅନ୍ୟମାନେ ମରି
ସାରିଥିଲେ ।

ମୁଁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲି । ସେଇ ଅନ୍ଧାର ଭିତରେ ଧୂଆଁ କୁଣ୍ଡଳୀକୁ ଦେଖବ ମୋ ଛାତି ଥରିଉଠୁଥିଲା । ମା’ ମୋର ସେଇ ଦଦରା କୁଡ଼ିଆର ଗୋଟିଏ କୋଣକୁ ବସି ଅନ୍ଧାରରେ ବିଡ଼ିଖଣ୍ଡେ ଫୁଙ୍କୁଥିଲା । ମା’କୁ ମୁଁ ଚିଲମ ଟାଣିବା ପିଲାଟି ଦିନରୁ ଆଦିଯାଏ ଦେଖି ଆସିଥିଲି ସେ ତା’ର ସେ ଧୂଆଁ ଟଣାକୁ ମୁଁ ସ୍ୱାଭାବିକ ବୋଲି ମନେ ମନେ ଧରି ନେଇଥିଲି । ଆଉ ହାଜି ତାକୁ ଖଣ୍ଡେ ବିଡ଼ି ଟାଣୁଥିବାର ଦୃଶ୍ୟ ମୋତେ କେମିତି ବିସ୍ମିତ କରୁଥିଲା । ମନରେ କ୍ଷୋଭ ଆସୁଥିଲା । ମୁଁ ପଚାରିଲି,
‘ମା’, ତୁ କ’ଣ ଏ
ଦେଶୀ ବିଡ଼ି ଟାଣୁଚୁ?’
‘ହଁ’ରେ ପୁଅ ।’
‘କାଇଁକି? ତୁ କ’ଣ ସାଙ୍ଗରେ ତୋ ଚିଲମଟା ଆଣିନଥିଲୁ?’
‘ଆଣିଥିଲିରେ ପୁଅ । ଏଇ ସେଇ କୋଣରେ ପଡ଼ିଚି ।’
‘ତା’ହେଲେ…?’
‘ଚିଲମ ବନେଇବାକୁ କାହାର ବଳ ବୟସ ଅଛି କହିଲୁ? ସିନ୍ଧ୍‌ରେ ମୁଁ ଯେତେବେଳେ ଚିଲମ ଧରି ବସି ପଡ଼ୁଥିଲି, ସାଇପଡ଼ିଶାର ସ୍ତ୍ରୀଲୋକମାନେ ଆସି ମୋ ଚାରିକଡ଼େ ରୁଣ୍ଡ ହୋଇଯାଉଥିଲେ । ଆମେ ଘଣ୍ଟା ଘଣ୍ଟା ଧରି ଗପସପ ହେଉଥିଲୁ । କେଉଁ କଥା ଯେ ଗପସପ ନହେଉ କେହି କହିବେନି । ଚିଲମରୁ ନିଆଁ ଲିଭିବା ପର୍ଯ୍ୟନ୍ତ ଆମ ଗପ ସେମିତି ଲମ୍ବିଥିବ । ପୁଣି ଥରେ ତାକୁ ଫୁଙ୍କି ଆମେ ସେ ନିଆଁକୁ ପଉଜେଇବୁ । ତମ୍ବାଖୁ ଟାଣିବୁ । ଧୂଆଁ ଛାଡ଼ିବୁ । ଏମିତି ଚାଲୁଥିଲା । ଆଜିକାଲି ତ ଆଉ ଦେହରେ ବଳନାହିଁ କି ବୟସ ବି ନାହିଁ । ତା’ଛଡ଼ା ମନରେ ସରାଗ ବି ନାହିଁ । ଆଜିକାଲି କେହି ଆଉ କାହା ଘରକୁ ଯିବା ଆସିବା ବି କରୁନାହାନ୍ତି ।’

‘ତୁ କ’ଣ ଏ ଛୋଟ ହୁକାଟା କିଣିଚୁ?’

‘ବେଳେବେଳେ ଏଇ ହୁକାଟାରେ ମୁଁ ଚିମୁଟାଏ ତମ୍ବାଖୁ ପକେଇଦିଏ ଓ ତାକୁ ଚିଲମ ଭାବି ଟାଣେ । ଯେତେବେଳେ ତମ୍ବାଖୁ କିଣିବାକୁ ପାଖରେ ପଇସା ନାହିଁ, ବିଡ଼ି ଖଣ୍ଡେ ଟାଣି ମନକୁ ବୁଝେଇଦେଲେ କ୍ଷତି କ’ଣ?’

ସେଇ ନୀରବ ଅନ୍ଧାର ରାତିରେ ବିଡ଼ିରୁ ବାହାରୁଥିବା ଧୂଆଁକୁ ଲକ୍ଷ୍ୟକରି ମୁଁ ଭାବି ଚାଲିଥିଲି । ବିଡ଼ି ଧୂଆଁ କୁଣ୍ଡଳୀମାନ ହୋଇ ଉପରକୁ ଉଠୁଥିଲା ଓ ଛାତରେ ଯାଇ ଧକ୍କା ଖାଉଥିଲା । ଆଉ ଦଲକାଏ ଧୂଆ ର୍ଝର୍କା ଦେଇ ବାହାରକୁ ବାହାରି ଯାଇ ଆକାଶମୁହାଁ ହେଉଥିଲା । ମୋ ମନ ଭିତରେ କିନ୍ତୁ ସେଇ ଚନ୍ତତା ଢ଼େଉ ପିଟି ଚାଲିଥିଲା । ସତେ ଯେମିତି ଦେଶର ଭୌଗୋଳିକ ସୀମାରେଖା ଡେଇଁ ତାହା କାହିଁ କେତେ ଦୂରକୁ ଲମ୍ବି ଯାଉଥିଲା ।

ମୋ ୱତନ୍‌, ମୋ ଦେଶ, ମୋ ମାତୃଭୂମି, ମୋ ଚିହ୍ନା ସହର, ମୋର ପରିଚିତ ସେଇ ଛୋଟ ଖଣ୍ଡିଏ ଘର । ସେଇ ଘର ଯେଉଁଠି ମୋ ବାପା ଓ ମା’ ସେମାନଙ୍କ ଜୀବନ ବିତାଇଥିଲେ । ଯେଉଁ ଘରେ ମୁଁ ଜନ୍ମ ହୋଇଥିଲି, ଏ ସଂସଂରର ପାଣି ପବନକୁ ପ୍ରଥମଥର ପାଇଁ ଭେଟିଥିଲି । ଯେଉଁ ଘରେ ଟଙ୍କା ହୋଇଥିବା ଦୋଳି ମୋ ଶୈଶବ, କୈଶୋର ଓ ଯୌବନକୁ ଦେଖିଥିଲା । ସେଇ କାନ୍ଥ, ସେଇ ଛବି, ସେଇ ଗଳି ଯେଉଁଠ ମୁଁ ଛୋଟ ଛୋଟ ବାଲିଗରଡ଼ା ଧରି ଖେଳିଥିଲି । ସେଇ ଖେଳ ପଡ଼ିଆ, ଯେଉଁଠି ମୁଁ ଗିଲିଦଣ୍ଡା ଖେଳୁଥିଲି । ସେଇ ସଡ଼କ, ସେବଜାର, ସେଇ ଚୌକ, ଛକ, ସେଇ ଦୋକାନ ଆଉ ସାଙ୍ଗମାନଙ୍କ ଘର…

‘ପୁଅ!’
ହଠାତ୍ ମୁଁ ସମ୍ବିତ୍ ଫେରିପାଇଲି । ଭାବନା ରାଜ୍ୟରୁ ଫେରି ଆସିଲି ।
‘ପୁଅ, ତୁ କ’ଣ ବାହା ହବୁନି?’
‘ବାହା ହେବି? କାଇଁକି ମା’?’

‘ତତେ ବାହା କରିଦେଲେ ମୋ ଶେଷ ଇଚ୍ଛା ପୂରଣ ହୋଇଯିବ । ମୁଁ ଚାହୁଁଚି ମୋ ପୁଅର ସବୁ ମଙ୍ଗଳ ହେଉ । ସିଏ ଆହୁରି ଆଗକୁ ବଢ଼ୁ । ଯେଉଁ ସୁଖଶାନ୍ତି ମୁଁ ହରେଇ ବସିଛି ତୋତେ ସେ ସୁଖଶାନ୍ତି ପୁଣି ଫେରନ୍ତ ମିଳୁ । ମୁଁ ସଦାବେଳେ ଭଗବାନଙ୍କୁ ଏଇଆ ପ୍ରାର୍ଥନା କରୁଚି ।’

‘ମା, ମଣିଷ ନିଜେ ପରା ଏଠି ବଞ୍ôଚବା କଷ୍ଟକର ହେଲାଣି । ତା’ ଉପରେ ତୁ ବାହାଘର କଥା କହୁଚୁ!’

‘କାଇଁକି?’ କଂଗ୍ରେସ ଦଳ ପରା ଦେଶକୁ ଶାସନ କରୁଛି । ଆଉ ତୁ ପରା କଂଗ୍ରେସ ଦଳର ଜଣେ ସଚ୍ଚା କର୍ମୀ? ତୁ ପରା ଦିନେ କହୁଥିଲୁ, ଥରେ ଦେଶ ସ୍ୱାଧୀନ ହେଇଯାଉ, ସବୁ ଠିକ୍ ହୋଇଯିବ ।’ ‘ମୁଁ ଆଉ କଂଗ୍ରେସ ଲୋକ ହୋଇ ନାହିଁ । ଆମେ ହଜାର ହଜାର କର୍ମୀ କଂଗ୍ରେସ ଦଳ ଛାଡ଼ିଦେଇଛୁ ।’

‘ତୁ ଏତେ ଦୁଃଖକଷ୍ଟ ସହିଲୁ, ଜେଲ ଗଲୁ, ଆଉ ଆଜି କହୁଚୁ
କ’ଣ ନା କଂଗ୍ରେସ…!’

ଆଜିକାଲି ଆମଭଳିଆ ଲୋକଙ୍କ ଉପରେ କଡ଼ା ନଜର ରଖାଯାଉଚି । ଆମମାନଙ୍କୁ ନେଇ ଜେଲରେ ଠୁଙ୍କି ଦିଆଯାଉଛି ।’ ମୁଁ ମା’ କଥାକୁ ଶେଷ ହେବାକୁ ନଦେଇ କହିଲି । ‘ସେମିତି କହନାରେ ପୁଅ । ସେ ରାକ୍ଷସଗୁନାଙ୍କୁ ଯାହା ମରଣ ନହେଉଚି ।’

‘ମା, ରାକ୍ଷସମାନେ କେବେ ଏତେ ସହଜରେ ମରନ୍ତିନି । ସେମାନଙ୍କ ବିରୁଦ୍ଧରେ ରେ ଆମକୁ ସଂଗ୍ରାମ ଚଳେଇବାକୁ ପଡ଼ିବ ।’ ‘ପୁଅ, ସେକଥା କହନା । ଜୀବନର ପନ୍ଦର ବର୍ଷ ତୁ ସେମିତି ସଂଗ୍ରାମ କରି ବରବାଦ କରିସାରିଛୁ । ଜୀବନର ସବୁ ସୁଖ ଶାନ୍ତି ଭୁଲିସାରିଛୁ । ଆଜି ଏ ମା’ ବୁଢ଼ୀ ସକାଶେ, ଶାନ୍ତିରେ ଜୀବନ ବଞ୍ଚ୍ ।’

‘ଶାନ୍ତି! ମା’, ଯେଉଁ ଲୋକମାନେ ତୋର ସୁଖଶାନ୍ତି, ଘରଦ୍ୱାର, ଆଶା, ତୋର ସବୁ ଧନସମ୍ପତ୍ତି, ସ୍ମୃତି ଛଡ଼େଇନେଲେ, ସେମାନେ ଏମିତି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତାରିତ କରିଛନ୍ତି । ଆମେ ସେମାନଙ୍କୁ କେମିତି ଭଲା ସହଜରେ ଛାଡ଼ିଦେବା?’

‘ସେକଥା ଛାଡ଼, ଆମେ ଏବେ କ’ଣ କରିବା?’ ‘ମୁଁ ତୋ ସୁଖଶାନ୍ତିକୁ ଫେରେଇ ଆଣିବାକୁ ଚାହେଁ । ମୁଁ ମୋ ନିଜ ଦେଶକୁ ଲେଉଟି ଯିବାକୁ ଚାହେଁ । ମୁଁ ନିଜକୁ ଓ ମୋ ପରବର୍ତ୍ତୀ ପିଢ଼ିଙ୍କୁ ଦେଶାନ୍ତରୀ ବୋଲି ପରିଚିତ କରିବାକୁ ଚାହେଁନି ।’

‘ଆମେ ଆମ ଜନ୍ମଭୂମିକୁ ଫେରିଯିବା? ଆମ ନିଜ ଘରକୁ ପୁଣି ଥରେ ଦେଖିପାରିବା? ତୁ କହୁଚୁ, ତୋ ବାପାଙ୍କ ଜୀବନର ଅବଶିଷ୍ଟାଂଶକୁ ଆଉ ଥରେ ଦେଖିପାରିବା?’ ‘ହଁ, ମା’, ଆମେ ନିଶ୍ଚୟ ଫେରିଯିବା ।’ ‘ଆମକୁ ପାଛୋଟି ନେବାକୁ କିଏ ଆସିବ?’

‘ମୋ ସାଙ୍ଗ କାଶିମ୍‌… ରଫିକ୍ ଗୁଲାମ… ଆମକୁ ସ୍ୱାଗତ କରିବାକୁ ଆସିବେ । ଆମ ପଡ଼ୋଶୀ ଖୁଦାଧର, ଆମ ଅପାଠୁଆ ମଉସା, ମୋ ସହପାଠୀ କାଦିର, ତୋ ବାନ୍ଧବୀ ଖାତୁନ… ସମସ୍ତେ ଆମକୁ ପାଛୋଟି ନେବାକୁ ଆସିବେ । ମା’, ଆମେ ଫେରିଯିବା…’ ‘କେବେ ଫେରିବା ପୁଅ?’ ‘ଯେତେବେଳେ ଆମ ଲୋକମାନେ ସେଠାରେ ଚଳେଇଥିବା କୁଶାସନ, ଦମନଲୀଳା ବନ୍ଦ୍ କରିବେ ।’

‘ଭଗବାନଙ୍କୁ ଜଣା, ସେତେ ଦିନ ଯାଏ ମୁଁ ବଞ୍ଚିଥିବି କି ନାଇଁ…ମୁଁ ତ ଆସି ମରଣ ଦୁଆର ମୁହଁରେ ପହଞ୍ଚି ସାରିଲିଣି ।’

‘ମୋ ନିରୀହ ମା’, ଯଦି ସେମିତିକିଛି ଘଟେ, ତତେ ମୁଁ କଥା ଦେଉଛି, ତୋ ଚିତାଭସ୍ମକୁ ନେଇ ମୁଁ ମୋ ଦେଶକୁ ଲେଉଟିଯିବି । ଆମ ମାତୃଭୂମିରେ ବହୁଥିବା ପବିତ୍ର ନଦୀରେ ତାକୁ ବିସର୍ଜନ କରିବି । ଖୁସିରେ ସେତେବେଳେ ମୁଁ ମନଖୋଲା ଗୀତ ଗାଇପାରିବି ।’

ଘରର କୋଣମୁଣ୍ଡରୁ ମା’ ଧୀରେ ଉଠି ଠିଆହେଲା ଓ ଧୀରେ ଧୀରେ ଆସି ମୋ ଦଉଡ଼ିଆ ଖଟ କଡ଼ରେ ଠିଆହେଲା । ମୋ କପାଳରେ ସ୍ନେହରେ ଚୁମାଟିଏ ଦେଇ କହିଲା, ‘ପୁଅ, ମୋ ଆଶୀର୍ବାଦ ସଦାବେଳେ ତୋ ମୁଣ୍ଡ ଉପରେ ଅଛି ।’ ତା’ ଆଖିରୁ ଟୋପାଟୋପା ତତଲା ଲୁହ ଗାଲ ଉପର ଦେଇ ଗଡ଼ି ଆସୁଥିଲା ।

ମୁଁ ତାକୁ କୁଣ୍ଢେଇଧରି କହିଲି, ‘ମୋ ସୁନା ମା’ଟା ।’ ସେତିକିବେଳେ ପଛରୁ ଆସି ମୋ ସାଙ୍ଗ ଜୋର୍‌କରି ମୋତେ ଏମିତି ଗୋଟିଏ ବିଧା ଦେଲାଯେ ମୁଁ ହଠାତ୍ ଚମକି ପଡ଼ିଲି । ସେ କହି ଚାଲିଥିଲା, ‘ସଦାବେଳେ ପାଗଳଙ୍କ ପରି ନିଜ ଭାବନା ରାଜ୍ୟରେ ଏମିତି ଡୁବି ରହୁଛୁ । ସତରେ ଆଜିକାଲି ତୋ ହାବଭାବ ଭାରି ବିଚିତ୍ର ଲାଗୁଚି । ଆଖିକୁ ଅନା, କେମିତି ଲୁହ ଛଳଛଳ ।’

ଆମେ ଦୁହେଁ ପ୍ଲାଟଫର୍ମରୁ ଏକମୁହାଁ ଚାଲିବାକୁ ଆରମ୍ଭ କଲୁ ।

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Leave A Reply

Your email address will not be published.