Latest Odisha News

BREAKING NEWS

ଭୋଗରେ ମହାଦେବଙ୍କୁ ଅର୍ପଣ କରାଯାଏ କଙ୍କଡା: କ’ଣ ରହିଛି ବିଶ୍ୱାସ

ସେ ହେଉଛନ୍ତି ଦେବ ଦେବ ମହାଦେବ । ତାଙ୍କୁ ପୂଜିଲେ ତପେ ବର ନହେଲେ କୋପେ ବର ମିଳିଥାଏ । ଶିବଙ୍କ ଆଶୀର୍ବାଦ ପାଇଁ କିଏ କେତେ ପ୍ରକାର ଓଷା ବ୍ରତ କରିଥାନ୍ତି । ମହାଦେବଙ୍କ ପାଖରେ ନିରାମିଷ ହୋଇଥାଏ । ଏପରିକି ପିଆଜ ଭୋଗ ବି ହୁଏନି । ହେଲେ ମହାଦେବଙ୍କ ପାଖରେ ଜୀବନ୍ତ କଙ୍କଡା ଲାଗି ହେବା କଥା କ’ଣ କେବେ ଶୁଣିଛନ୍ତି ? ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ ।

ଗୁଜୁରାଟର ସୁରଟରେ ଉମ୍ରାର ତାପି ନଦୀ କୂଳରେ ରହିଛି ରାମନାଥ ଘେଲା ମନ୍ଦିର । ଏ ହେଉଛି ଏମିତି ଏକ ମନ୍ଦିରର ଯେଉଁଠାରେ ଭକ୍ତମାନେ ପ୍ରଭୁଙ୍କୁ ଜୀବନ୍ତ କଙ୍କଡା ଅର୍ପଣ କରନ୍ତି। ବିଶ୍ୱାସ ରହିଛି,  ଏହାଦ୍ୱାରା  ସମସ୍ତ ଇଚ୍ଛା ପୂରଣ ହୁଏ । ବିଶେଷକରି କାନ ରୋଗରେ ପୀଡିତ ବ୍ୟକ୍ତିମାନଙ୍କ ଯନ୍ତ୍ରଣା ଦୂର ହୋଇଥାଏ ।

ଗତ ବୁଧବାର ଦିନ କଙ୍କଡାକୁ ପ୍ରସାଦ ଭାବେ ଅର୍ପଣ କରାଯାଇଥିବା ଜଣେ ମନ୍ଦିର ଅଧିକାରୀ କହିଛନ୍ତି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ମକର ସଂକ୍ରାନ୍ତିର ଠିକ ପରେ ‘ପୈାଷ’ ମାସରେ ଏହା ଏକ ଶୁଭ ତାରିଖ ଅଟେ । ଏହାକୁ ଉତ୍ତରାୟଣ ମଧ୍ୟ କୁହାଯାଏ । ସେ କହିଛନ୍ତି ଯେ ଏହି ମନ୍ଦିରରେ କଙ୍କଡାଗୁଡ଼ିକୁ ଶିବଲିଙ୍ଗ ଉପରେ ଚଢାଯାଇଥାଏ ।

ମନ୍ଦିର ପୁରୋହିତ ମନୋଜ ଗୋସ୍ୱାମୀ କହିଛନ୍ତି ଲୋକମାନେ ବିଶ୍ୱାସ କରନ୍ତି ଯେ ଶିବଲିଙ୍ଗକୁ ଜୀବନ୍ତ କଙ୍କଡା ଅର୍ପଣ କରିବା ଦ୍ୱାରା ମନସ୍କାମନା ପୂରଣ ହେବା ସହ କାନ ଯନ୍ତ୍ରଣା ଦୂର ହୋଇଥାଏ । ଅଧିକାଂଶ ଭକ୍ତ ଫୁଲ, ପତ୍ର ଏବଂ କ୍ଷୀର ପ୍ରଦାନ କରନ୍ତି । ଏଥି ସହିତ ଅନେକ ଲୋକ କଙ୍କଡା ପ୍ରଦାନ କରିବାକୁ ଏହି ଦିନକୁ ଅପେକ୍ଷା କରିଥାନ୍ତି । ସେଠାକାର ସଂପୃକ୍ତ ଅଧିକାରୀଙ୍କ ଅନୁମତି ପାଇବା ପରେ ମନ୍ଦିର ପରିଚାଳନା ଦ୍ୱାରା ମତ୍ସ୍ୟଜୀବୀଙ୍କଠାରୁ କଙ୍କଡା ସଂଗ୍ରହ କରାଯାଇଥାଏ।  ଏହା ପରେ ସେମାନଙ୍କୁ ନଦୀରେ ଛାଡି ଦିଆଯାଏ  ।

ଏଠାର ଲୋକକଥା ଅନୁଯାୟୀ, ଯେତେବେଳେ ପ୍ରଭୁ ରାମ ‘ତାପୀ’ ନଦୀ ନିକଟରେ ଥିଲେ, ସେତେବେଳେ ଏକ କଙ୍କଡା ତାଙ୍କ ପାଦ ଛୁଇଁଲା । ସେତେବେଳେ ଭଗବାନ ରାମ କଙ୍କଡାକୁ ଆଶୀର୍ବାଦ ଦେଇଥିଲେ। ସେବେଠାରୁ ବିଶ୍ୱାସ କରାଯାଏ ଯେ ଯେଉଁମାନେ ଏହି ମନ୍ଦିରରେ ଜୀବନ୍ତ କଙ୍କଡା ପ୍ରଦାନ କରନ୍ତି, ସେମାନଙ୍କର ଇଚ୍ଛା ପୂରଣ ହୁଏ ଏବଂ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

Comments are closed.