Latest Odisha News

ଦୁନିଆରେ ଅଛନ୍ତି ଏମିତି ଜୀବ, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି

ନୂଆଦିଲ୍ଲୀ: ବିଶ୍ୱାସ ଲାଗୁ ନ ଥିଲେ ବି ସତ । ଏ ପୃଥିବୀରେ ଏପରି ଜୀବ ଅଛିନ୍ତି, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି । ନିକଟରେ ବୈଜ୍ଞାନିକମାନେ ଏନେଇ ଏକ ତଥ୍ୟ ପ୍ରକାଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଜୀବ ହେଉଛି ଚିନ୍‌ସଟ୍ରାପ ପେଙ୍ଗୁଇନ୍ । ଆଣ୍ଟାର୍କଟିକା ଅଞ୍ଚଳରେ ଦେଖାଯାଉଥିବା ପେଙ୍ଗୁଇନ ଏହି ପ୍ରଜାତିର । ବୈଜ୍ଞାନିକମାନେ ଆଣ୍ଟାର୍କଟିକାର କିଙ୍ଗ୍‌ଜଜର୍ଜ ଦ୍ୱୀପରେ ଦେଖାଯାଉଥିବା ପକ୍ଷୀଙ୍କ ଉପରେ ଏକ ଗବେଷଣା କରୁଥିଲେ । ସେତେବେଳେ ଏପରି ଏକ ତଥ୍ୟ ସାମ୍ନାକୁ ଆସିଲା ।

ରିପୋର୍ଟରେ ପ୍ରକାଶିତ ସୂଚନା ଅନୁଯାୟୀ, ଚିନ୍‌ସଟ୍ରାପ ପେଙ୍ଗୁଇନ୍ ଦୁନିଆର ଏପରି ଏକ ପକ୍ଷୀ, ଯିଏ ଦିନକୁ ୧୦ ହଜାର ଥର ଶୋଇଥାନ୍ତି । ତେବେ ସେମାନଙ୍କ ସମସ୍ତ ନିଦ୍ରାର ଅବଧି କେବଳ ୪ ସେକେଣ୍ଡ ଭିତରେ ସୀମିତ । ଯେତେବେଳେ ଏମାନଙ୍କ ବେକ ହଲୁଥାଏ, ସେମାନେ ସେତେବେଳେ ନିଦ୍ରାରେ ଥାନ୍ତି । ତେବେ ନିଜ ଅଣ୍ଡା ପ୍ରତି ସବୁ ସମୟରେ ବିପଦ ଅନୁଭବ କରିଥାନ୍ତି । ଏମାନେ ବାରମ୍ବାର ନିଦ୍ରାରୁ ଉଠି ଛୁଆଙ୍କ ପ୍ରତି ନଜର ରଖିଥାନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ, ଏମାନେ ଦିନରେ ୧୧ ଘଣ୍ଟା ନିଦ୍ରାରେ ଆଶକ୍ତ ହୋଇଥାନ୍ତି । ୧୯୮୦ ମସିହାରେ ମଧ୍ୟ ଏମାନଙ୍କ ଉପରେ ରିସର୍ଚ୍ଚ ହୋଇଥିଲା । ସେତେବେଳେ କେବଳ ଏମାନେ ବାରମ୍ବାର ଶୋଉଥିବା ଜଣାପଡ଼ିଥିଲା । କଳା ଏବଂ ଧଳା ରଙ୍ଗର ଚିନ୍‌ସଟ୍ରାପ ପେଙ୍ଗୁଇନ୍ ଦକ୍ଷିଣ ଗୋଲାର୍ଦ୍ଧରେ ରୁହନ୍ତି । ଏମାନଙ୍କ ପାଖରେ ପୁଚ୍ଛ ଥିଲେ ମଧ୍ୟ ଉଡ଼ିପାରନ୍ତି ନାହିଁ । କେବଳ ପହଁରିବାରେ କାମ ଦେଇଥାଏ । ପେଙ୍ଗୁଇନ୍‌ଙ୍କ ମୁଣ୍ଡ ତଳେ ଏକ କଳା ରଙ୍ଗ ପଟି ରହିଥାଏ, ସେଥିପାଇଁ ଏମାନଙ୍କୁ ଚିନ୍‌ସଟ୍ରାପ ପେଙ୍ଗୁଇନ୍ କୁହାଯାଏ । ଖାଦ୍ୟ ଅନ୍ୱେଷଣରେ ଏମାନେ ୭୦ ମିଟର ସମୁଦ୍ର ଭିତରକୁ ଯାଇଥାନ୍ତି । ଏମାନେ ଅଧା ମିନିଟ୍‌ରେ ୧୦ ମିଟର ତଳକୁ ଯାଇ ତାଙ୍କ ଖାଦ୍ୟ ସଂଗ୍ରହ କରିପାରନ୍ତି । ମୋଟ ଉପରେ ଅଦ୍ୟାବଧି ଗବେଷଣା ଜାରି ରହିଛି ଓ ଆଗକୁ ଅଧିକ ତଥ୍ୟ ମିଳିବା ସମ୍ଭାବନା ରହିଛି ବୋଲି ଟିମର ମତ ।

Comments are closed.