Latest Odisha News

BREAKING NEWS

ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବେ ତାଲିମପ୍ରାପ୍ତ ଦେଶୀ ପାରା, ଗୋଡ଼ରେ ଲଗାଯିବ କ୍ୟାମେରା ଓ ଅତ୍ୟାଧୁନିକ ଯନ୍ତ୍ର

ଭୁବନେଶ୍ବର : ପ୍ରଥମେ ପାରାଦୀପ ଓ ପରେ ଅସ୍ତରଙ୍ଗରୁ ସମାନ ସନ୍ଦିଗ୍ଧ ପାରା ମିଳିବାପରେ ତତ୍ପରତା ଦେଖାଇଛି ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ବିଭାଗ । ସୂଚନା ଅନୁସାରେ ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରଜାତିର ଦେଶୀ ପାରାଙ୍କୁ ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ବିଭାଗ ପକ୍ଷରୁ ତାଲିମ ଦିଆଯିବ ଓ ଜଗିବା କାମରେ ଲଗାଯିବ। ଉଲ୍ଲେଖଯୋଗ୍ୟ, ଅନ୍ୟ ପକ୍ଷୀଙ୍କ ମଧ୍ୟରେ ପାରାର ଦିଗ ଚିହ୍ନଟ ଶକ୍ତି ପ୍ରଖର ଓ ସେହି କାରଣରୁ ଅତି ସହଜରେ ଏମାନେ ଦିଗ ଜାଣିପାରନ୍ତି । ସେଥିପାଇଁ ଯେତେ ଦୂରକୁ ପାରା ଉଡିଗଲେ ବି ନିଜ ଫେରିବା ବାଟ ଭୁଲେ ନାହିଁ । ପ୍ରତିକୂଳ ପାଗରେ ମଧ୍ୟ ଖୁବ ସହଜରେ ଠିକଣା ସ୍ଥାନରେ ପହଁଞ୍ଚିଯାଏ ପାରା । ଏଥିପାଇଁ ଶତ୍ରୁ ଦେଶମାନେ ପାରାଙ୍କ ଗୋଡରେ କ୍ୟାମେରା ଏବଂ ଚିପ୍‌‌ ଲଗାଇ ଗୁଇନ୍ଦା ତଥ୍ୟ ପାଇଁ ବ୍ୟବହାର କରିଥାନ୍ତି । ପ୍ରଥମ ବିଶ୍ୱଯୁଦ୍ଧରେ ମଧ୍ୟ ଗୁଇନ୍ଦାଗିରି କାମରେ ସ୍ୱତନ୍ତ୍ର ପ୍ରଜାତିର ପାରାମାନଙ୍କୁ ନିୟୋଜିତ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବି ପାରାକୁ ସମାନ କାର୍ଯ୍ୟରେ ବ୍ୟବହାର କରି ଶତୃପକ୍ଷର ଗତିବିଧି ଉପରେ ନଜର ରଖାଯାଉଥିଲା।

ଓଡ଼ିଶାର ଉପକୂଳବର୍ତ୍ତୀର୍ ଜିଲ୍ଲାରୁ ଏକାଧିକ ପାରା ଧରାପଡ଼ିବା ପରେ ଦେଶୀ ପାରାଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟ ପୋଲିସ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଘରୋଇ ପରିବେଶରେ ବଛାବଛା ପାରାଙ୍କୁ ଟ୍ରେନିଂ ସହ ଏକକ ପଥରେ ଯିବା ଆସିବା ତାଲିମ ଦିଆଯିବ। ସମ୍ବେଦନଶୀଳ ଧାମରା, ପାରାଦୀପ ବନ୍ଦର ସମେତ ଶ୍ରୀକ୍ଷେତ୍ର/ପୁରୀ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଜୋନ୍‌‌ରେ ଯିବା ଆସିବା ନେଇ ଏମାନଙ୍କୁ ତାଲିମ ପ୍ରଦାନ କରାଯିବ। ତାଲିମପ୍ରାପ୍ତ ପାରାଙ୍କ ଗୋଡ଼ରେ କ୍ୟାମେରା ଏବଂ ଅନ୍ୟ ଅତ୍ୟାଧୁନିକ ଯନ୍ତ୍ର ଲଗାଯିବ ଫଳରେ ଏହି ଆଧାରରେ ଗୁଇନ୍ଦା ପାରାକୁ ପୋଲିସ ଠାବ କରିବାରେ ସକ୍ଷମ ହେବ। ସୂଚନା ଅନୁସାରେ ଏହି ପାରାମାନଙ୍କୁ ୪ମାସ ଟ୍ରେନିଂ ଦିଆଯିବା ପରେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଅତ୍ୟାଧୁନିକ ଡିଭାଇସ୍‌‌ ଲଗାଯିବ। ଗୁଇନ୍ଦା ପାରାକୁ ଜଗିବାରେ ଦେଶୀ ପାରାଙ୍କୁ ବ୍ୟବହାର କରିବା, ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

 

 

Leave A Reply

Your email address will not be published.