Latest Odisha News

BREAKING NEWS

ଜେସାକୁ ତେସା: ଘରେ ପଶିଗଲା ସାପ, ଧରିବାକୁ ନ ଆସିବାରୁ ଅଫିସରେ ଛାଡ଼ିଲେ ସାପ

ହାଇଦ୍ରାବାଦ: ସରକାରୀ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଲୋକେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିଜର କିଛି କାମ ପାଇଁ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଗୁହାରି କଲେ ବି ସେମାନେ କିଛି ଶୁଣନ୍ତି ନାହିଁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୌରପାଳିକାର ଅଧିକାରୀଙ୍କ ଅବହେଳାରେ ଅତିଷ୍ଠ ହୋଇ ଜଣେ ବ୍ୟକ୍ତି ସାପକୁ ମ୍ୟୁନିସିପାଲିଟି ଅଫିସରେ ଛାଡି ଦେଇଥିଲେ । ଏହାର ଏକ ଭିଡିଓ ହାଇଦ୍ରାବାଦ ଭାଜପା ଯୁବ ନେତା ବିକ୍ରମ ଗୌଡ ନିଜେ ଟୁଇଟରେ ସେୟାର କରିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ହାଇଦ୍ରାବାଦର ଅଲୱାଲରେ କିଛି ଦିନ ହେଲା ଲଗାଣ ବର୍ଷା ହେଉଛି । ଏହି ସମୟରେ ଏଠାରେ ଜଣଙ୍କ ଘରେ ସାପ ପଶିଯାଇଥିଲା । ସେ ସ୍ନେହ ହେଲପ୍‌ଲାଇନକୁ ଫୋନ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନ ଥିଲା । ପରେ ବାଧ୍ୟ ହୋଇ ସେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ତୁରନ୍ତ କର୍ମଚାରୀଙ୍କୁ ପଠାଇ ଘରୁ ସାପ ଧରିବାକୁ ଅନୁରୋଧ କରିଥିଲେ । ବ୍ୟକ୍ତି ଜଣକ ବାରମ୍ବାର କଲ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ । ସେ ବାଧ୍ୟହୋଇ ସାପଟିକୁ ଧରି ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ କାର୍ଯ୍ୟାଳୟରେ ଆଣି ଛାଡି ଦେଇଥିଲେ । ସାପକୁ ଦେଖି କର୍ମଚାରୀମାନେ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ ।

ଭାଜପା ନେତା ବିକ୍ରମ କହିଛନ୍ତି, ଭାବନ୍ତୁ ଘରେ ସାପ ପଶିଲେ ବ୍ୟକ୍ତି ଜଣକଙ୍କ ପରିସ୍ଥିତି କ’ଣ ନ ହୋଇ ଥିବ, ଯାହା ଫଳରେ ସେ ଏହି ପଦକ୍ଷେପ ନେବାକୁ ପଡ଼ିଛି । ଭାଇରାଲ ଭିଡିଓରେ ସାପଟି ଅଫିସ ଟେବୁଲ ଉପରେ ଚାଲୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave A Reply

Your email address will not be published.