Latest Odisha News

BREAKING NEWS

ବେଗୁନିଆ ଥାନାରେ ସ୍ଥାନୀୟ ବାସିନ୍ଦାଙ୍କ ଭଙ୍ଗାରୁଜା, ବିଧାୟକଙ୍କ ଗିରଫ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ପୋଲିସ ଷ୍ଟେସନରେ ଉତ୍ତେଜନା ଦେଖାଦେବା ସହିତ ସ୍ଥାନୀୟ ବାସିନ୍ଦା ଭଙ୍ଗାରୁଜା କରି ଲଙ୍କାକାଣ୍ଡ କରିଛନ୍ତି । ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବେଗୁନିଆ ବ୍ଲକ ଅଫିସ ମଧ୍ୟରେ ଡ଼ିସେମ୍ବର ୩୧ ତାରିଖ ଦିନ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂର୍ବତନ ବେଗୁନିଆ ସରପଞ୍ଚ ନବକିଶୋର ସ୍ୱାଇଁଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ବେଗୁନିଆ ପଞ୍ଚାୟତର କୌଣସି ଗାଁ’କୁ ଗଲେ ଜୀବନରୁ ମାରିଦେବା ଧମକ ଦେଇଥିବା ଅଭିଯୋଗ କରିଥିଲେ ନବକିଶୋର ସ୍ୱାଇଁ ।

ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଏହି ଘଟଣା କିଛିଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ପ୍ରାୟ ୧ ହଜାରରୁ ଅଧିକ ଲୋକ ବୁଧବାର ଅପରାହ୍ନରେ ବେଗୁନିଆ ଥାନା ଘେରାଓ କରିଥିଲେ ।

ଉତ୍ୟକ୍ତ ଜନସାଧାରଣ ଥାନା ଭିତରକୁ ପଶିବାକୁ ଚେଷ୍ଟା କରିବା ମାତ୍ରେ ପୋଲିସ ପକ୍ଷରୁ ବାଧା ଦିଆଯାଇଥିଲା, ଫଳରେ ଉତ୍ୟକ୍ତ ଲୋକମାନେ ଉତ୍ତେଜିତ ହୋଇ ଥାନାର ମୁଖ୍ୟ ଗେଟର ତାଲା ଭାଙ୍ଗି ଥାନା ମଧ୍ୟକୁ ପ୍ରବେଶ କରିଥିଲେ । ଥାନା ଭିତରେ ପଶି ଉତ୍ୟକ୍ତ ଲୋକେ କାଗଜପତ୍ର, ଆସବାବପତ୍ର ସହିତ କାର୍ଯ୍ୟାଳୟ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ । କିଛି ଉତ୍ୟକ୍ତ ଲୋକଙ୍କ ଆକ୍ରମଣ ଯୋଗୁଁ ଥାନା ଏଏସଆଇ ମହେନ୍ଦ୍ର ସେଠୀ ଆହତ ହୋଇଛନ୍ତି ।

ପରେ ଉତ୍ୟକ୍ତ ଲୋକମାନେ ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଗଣମାଧ୍ୟମକୁ କହିଛନ୍ତି, ବିଧାୟକ ଗିରଫ ନହେବା ପର୍ଯ୍ୟନ୍ତ ପଥ ଅବରୋଧ ଜାରି ରହିବ ।

ବେଗୁନିଆରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି ।

ଇତିମଧ୍ୟରେ, ବରିଷ୍ଠ ପୋଲିସ ଅଧିକାରୀମାନେ ବେଗୁନିଆରେ ପହଞ୍ଚିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ଆଣିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.