Latest Odisha News

BREAKING NEWS

ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ ଚାଲୁ: ରେଳମନ୍ତ୍ରୀଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର: ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ ଚଳାଚଳ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି ।

ଏହି ପତ୍ରରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଏଥିଲାଗି ଶକ୍ତି ସେବା ୧୯୯୮ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ କେବଳ ଗୋଟିଏ ଭୁବନେଶ୍ୱର ଓ ହାୱାଡ଼ା ରୁଟ୍ ଦେଇ ଏହା ଚଳାଚଳ କରୁଛି ।

“ଓଡିଶାର ପ୍ରମୁଖ ସହରଗୁଡ଼ିକ ତଥା ରାଜଧାନୀ ଭୂବନେଶ୍ୱର ଦେଇ ଗୁଣାତ୍ମକମାନର ରେଳ ଯୋଗାଯୋଗ ହୋଇପାରିଲେ ରାଜ୍ୟର ହିତସାଧନ ତଥା ସର୍ବାଙ୍ଗୀନ ଅଭିବୃଦ୍ଧି ହୋଇପାରିବ । ରାଉରକେଲା ଓ ଝାରସୁଗୁଡ଼ା ମୋ ରାଜ୍ୟର ଅନ୍ୟତମ ପ୍ରମୁଖ ସହର ଭାବେ ପରିଗଣିତ । ପଶ୍ଚିମ ଓଡ଼ିଶାର ଶିଳ୍ପ ଭିତ୍ତିକ ସହର ଝାରସୁଗୁଡ଼ା ଏବଂ ଓଡ଼ିଶାର ଇସ୍ପାତ ନଗରୀ ତଥା ୨ୟ ସ୍ମାର୍ଟ ସିଟି ଭାବେ ରାଉରକେଲା ସହିତ ଭୁବନେଶ୍ୱର ଷ୍ଟେସନ ମଧ୍ୟ ଦେଇ ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ କରିପାରିଲେ ଅନେକ ହିତସାଧନ ହୋଇପାରନ୍ତା,” ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ରେଳମନ୍ତ୍ରୀଙ୍କୁ ଉଲ୍ଲେଖ କରିଛନ୍ତି ।

ଏବେ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ କେବଳ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ କରୁଛି । ସେହିପରି ଭୁବନେଶ୍ୱରରୁ କେବଳ ସକାଳ ବେଳା ଝାରସୁଗୁଡ଼ା ଏବଂ ରାଉରକେଲାକୁ ରେଳ ଚଳାଚଳ କରୁଛି । ଯଦି ଏହି ରୁଟ୍ ଦେଇ ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ କରିପାରନ୍ତା ତେବେ ସମଗ୍ର ପଶ୍ଚିମ ଓଡ଼ିଶାର ବାସିନ୍ଦା ଉପକୃତ ହେବା ସହିତ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରନ୍ତା ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ରେଳମନ୍ତ୍ରୀଙ୍କୁ ଉଲ୍ଲେଖ କରି କହିଛନ୍ତି ।

Leave A Reply

Your email address will not be published.