Latest Odisha News

BREAKING NEWS

ଲକ୍ ଡାଉନ ଡାଏରୀ: ନିଜ ପାଇଁ ଏବେ ସମୟ ପାଇଛନ୍ତି କଣ୍ଠଶିଳ୍ପୀ ସୁସ୍ମିତା ଦାସ

ଭୁବନେଶ୍ୱର: ଲକ୍ ଡାଉନ ରେ ଏବେ ସାରା ଦେଶ । ନିହାତି ଦରକାର ନ ପଡିଲେ କେହି ଘରୁ ବାହାରୁ ନାହାନ୍ତି । ଏହି ସମୟରେ କେମିତି କଟୁଛି ଦିନ ଏହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଆଜି ଜାଣିବା ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସମ୍ପର୍କରେ ।

ସୁସ୍ମିତା ଦାସ, ସଙ୍ଗୀତ ଜଗତରେ ଏକ ଜଣାଶୁଣା ନାଁ । ନିଜର ଭିନ୍ନ ଶୈଳୀରେ ଗାୟନ ଯୋଗୁଁ ସେ ଓଡିଶାରେ ବେଶ୍ ପରିଚିତ । ରସଗୋଲା ଗୀତ ହେଉ କି ହାତୀ ସଜ କର ମାଏ ଘୋଡା ସଜ କର .., ତାଙ୍କ ସବୁ ଗୀତକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଷ୍ଟାଇଲିଷ୍ଟ ସିଙ୍ଗ୍‌ରଙ୍କ କେମିତି କଟୁଛି ଲକ୍ ଡାଉନ ସମୟ ।

ଲକ୍‌ଡାଉନ୍ ସମୟରେ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ ମନୋରଂଜନ ପାଇଁ ସେ ଏକ ନିଆରା ଗୀତ ପ୍ରସ୍ତୁତ କରିଛନ୍ତି । ତାଙ୍କ ପୁରୁଣା ଗୀତ ‘ଆଉ ନ କର ନ କର..’ ଗୀତର ତାଳେ ତାଳେ ସେ ଏହାକୁ ଗାଇଛନ୍ତି ।

ବର୍ତ୍ତମାନ ସ୍ୱାମୀଙ୍କ ସହ ଦିଲ୍ଲୀରେ ରହୁଛନ୍ତି ସୁସ୍ମିତା । ତେବେ ଏହି ଲକ୍‌ଡାଉନ ଯୋଗୁଁ ଏବେ ତାଙ୍କୁ ନିଜ ପାଇଁ ସମୟ ମିଳିଛି ବୋଲି ସେ କହିଛନ୍ତି । ପ୍ରତିଦିନ ସେ ୟୁଟ୍ୟୁବରୁ ବିଭିନ୍ନ ଗାୟନ ଶୈଳୀକୁ ଶୁଣିବା ସହ ସେଥିରୁ କିଛି ଶିକ୍ଷା ଲାଭ କରୁଛନ୍ତି ।

ସକାଳ ଓ ସନ୍ଧ୍ୟାରେ କିଛି ସମୟ ବହିପଢାରେ ବିତାଉଛନ୍ତି । ଏବେ ତ ଘରୋଇ ସହାୟକ କେହି ନାହାନ୍ତି ତେଣୁ ଘରର ବିଭିନ୍ନ କାମ ସହ ରୋଷେଇ ମଧ୍ୟ କରୁଛନ୍ତି ସୁସ୍ମିତା ।

ଅପରାହ୍ନରେ ଯୋଗ, ପ୍ରାଣାୟମ ସହ ବ୍ୟାୟାମ କରୁଛନ୍ତି ।

ସନ୍ଧ୍ୟାରେ ହଲିଉଡ୍ ସିନେମା ସହ କଳାତ୍ମକ ସିନେମା ଦେଖୁଛନ୍ତି । ବହୁ ଦିନରୁ ଇଚ୍ଛା ରଖିଥିଲେ ବି ଦେଖିପାରୁ ନ ଥିବା ଚଳଚ୍ଚିତ୍ରଗୁଡିକୁ ସେ ଏବେ ଦେଖିବାକୁ ସମୟ ପାଇଛନ୍ତି ।

ବିଶେଷ କରି ଏହି ସମୟରେ ସେ ନେଟ୍ ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍ ଭଳି ଓଟିଟି ଆପ୍‌ରେ ବିଭିନ୍ନ ସମୟର ଓସ୍କାର ବିଜୟୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମଧ୍ୟ ଦେଖୁଥିବା କହିଛନ୍ତି ।

ସୁସ୍ମିତାଙ୍କ ଦୁଇ ଝିଅ ବିଦେଶରେ ରହୁଛନ୍ତି । ପ୍ରତିଦିନ ଏବେ ସେମାନଙ୍କ ସହ ଭିଡିଓ କଲରେ କଥା ହେଉଛନ୍ତି ସେ ।

ଲକ୍ ଡାଉନ ସମୟରେ ସେ ଲୁଡୁ ଖେଳର ଭରପୁର ମଜା ନେଉଥିବା କହିଛନ୍ତି । ବିଶେଷକରି ସେ ଅନଲାଇନରେ ଲୁଡୁ ଖେଳୁଛନ୍ତି ।

ଏହି ସମୟରେ ବିଦେଶରେ ରହୁଥିବା ତାଙ୍କ ସାଙ୍ଗମାନେ ତାଙ୍କ ସହ ଯୋଡି ହୋଇପାରୁଥିବା ସେ କହିଛନ୍ତି ।

ସୁସ୍ମିତାଙ୍କ କହିବା ଅନୁସାରେ ଭାରତୀୟ ପରମ୍ପରା ଅନୁସାରେ ଆମେ ପରିବାର ସହ ଯୋଡିହୋଇ ରହୁଥିବାରୁ କରୋନା ନେଇ ଆମକୁ ସେତେଟା କିଛି ପ୍ରଭାବ ପଡିନାହିଁ । କିନ୍ତୁ ବିଦେଶରେ ସମ୍ପର୍କୀୟଙ୍କ ସହ ଲୋକଙ୍କର ସେତେଟା ସମ୍ପର୍କ ରହୁ ନଥିବାରୁ ସେମାନେ କରୋନା ସମୟରେ ବେଶୀ କ୍ଷତିଗ୍ରସ୍ତ ଓ ଚାପଗ୍ରସ୍ତ ହେଉଥିବା ସେ କହିଛନ୍ତି ।

ତେବେ ସମସ୍ତେ ଏହି ସଙ୍କଟ ସମୟରେ ବ୍ୟସ୍ତ ନ ହୋଇ ଏବଂ ଅଯଥା ଚିନ୍ତା ନକରି ମନକୁ ଶାନ୍ତ ରଖିି କରୋନା ସହ ଲଢିଲେ ଆମେ ନିଶ୍ଚିତ ଭାବରେ ବିଜୟ ଲାଭ କରିପାରିବା ବୋଲି କହିଛନ୍ତି ସୁସ୍ମିତା ।

Leave A Reply

Your email address will not be published.