Latest Odisha News

ଲକ୍ ଡାଉନ ଡାଏରୀ: ପରିବାର ସହ ସମୟ ବିତାଇବାର ସୁଯୋଗ ପାଇଛନ୍ତି ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଉନ ପରିସ୍ଥିତି ଏମିତି ଏକ ମୋଡରେ ଆଣି ଠିଆ କରିଛି ଯେ ସମସ୍ତେ ଉପାୟ ଶୂନ୍ୟ । ଯିଏ ନିଜ ପରିବାର ଲୋକଙ୍କ ପାଖରେ ରହିପାରିଛନ୍ତି ସେମାନେ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଆଉ କାହାର ପିଲାଛୁଆ ଦୂରରେ ଥିବା ନେଇ ସେମାନେ ଚିନ୍ତାରେ ରହୁଛନ୍ତି । ତେବେ ଲକ୍‌ଡାଉନ୍‌ରେ କିଏ କେମିତି ସମୟ କଟାଉଛନ୍ତି ସେ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀ ।

ଆଜି ଜାଣିବା ଓଡିଶାର ପ୍ରମୁଖ କର୍ପୋରେଟ୍ ହାଉସ୍ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ଲକ୍ ଡାଉନ ସମୟ କେମିତି କଟୁଛି ।

ଶୁଭ୍ରକାନ୍ତଙ୍କ କହିବାନୁସାରେ ଲକ୍‌ଡାଉନ ତାଙ୍କ ପାଇଁ ଉଭୟ ଭଲ ସମୟ ଓ ଖରାପ ସମୟ ଆଣିଛି । ଅନ୍ୟ କମ୍ପାନି ମୁଖ୍ୟମାନଙ୍କ ପରି ସେ ମଧ୍ୟ ଘରେ ରହି ଜୁମ୍ ଆପ୍ ମାଧ୍ୟମରେ ଅଫିସ କାମ କରୁଛନ୍ତି । କମ୍ପାନୀର ଅନ୍ୟ କର୍ମଚାରୀମାନଙ୍କ ସହ ଯୋଡି ହୋଇ ଅଫିସ କାମ ସମ୍ପର୍କରେ ଆଲୋଚନା କରୁଛନ୍ତି ।

ତାଙ୍କ ପିଲାମାନେ ମଧ୍ୟ ଘରେ ରହି ସ୍କୁଲର ଅନଲାଇନ କ୍ଲାସ କରୁଛନ୍ତି । ଏଥି ସହ ଫାଙ୍କା ସମୟରେ ନିଜ ସାଙ୍ଗମାନଙ୍କ ସହ ଚାଟିଂ କରି ସମୟ ବିତାଉଥିବା ସେ କହିଛନ୍ତି ।

ସବୁ ଦିନ କନଫରେନ୍ସ କଲ ଓ ଭର୍ଚୁଆଲ୍ ମିଟିଂ ପରେ ଶୁଭ୍ରକାନ୍ତ ଏବେ ପରିବାର ସହ ସମୟ ବିତାଇବାକୁ ସୁଯୋଗ ପାଉଥିବାରୁ ବେଶ୍ ଖୁସି । ସବୁ ବେଳେ କାମ ବ୍ୟସ୍ତତାରେ ବାହାରେ ରହୁଥିବାରୁ ଘର ଲୋକଙ୍କ ସହ ମିଶି ଖାଇବାକୁ ମଧ୍ୟ ସମୟ ମିଳି ନ ଥାଏ । ଏବେ ସମସ୍ତେ ସାଙ୍ଗ ହୋଇ ଖାଉଥିବାରୁ ଖୁସି ଲାଗୁଥିବା ସେ କହିଛନ୍ତି ।

ଏଥି ସହ ପ୍ରତିଦିନ ପିଲାମାନଙ୍କ ସହ ସନ୍ଧ୍ୟାରେ କ୍ରିକେଟ ଓ ଟେବୁଲ ଟେନିସ୍ ଖେଳୁଛନ୍ତି ଶୁଭ୍ରକାନ୍ତ ।
କେବଳ ଏତିକି ନୁହେଁ ପ୍ରତିଦିନ ଚାଲିବା ସହ ଅଳ୍ପ ସମୟ ବ୍ୟାୟାମ ମଧ୍ୟ କରୁଛନ୍ତି ଶୁଭ୍ରକାନ୍ତ । ନିଜର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସବୁ ସମୟରେ ଏସବୁ ସମ୍ଭବ ହୋଇ ନ ଥାଏ ବୋଲି ସେ କୁହନ୍ତି ।

ଏଥି ସହିତ ଲକ୍ ଡାଉନରେ ସେଲୁନଗୁଡିକ ବନ୍ଦ ଥିବାରୁ ଘରେ ପତ୍ନୀଙ୍କ ଦ୍ୱାରା ନୂଆ ଷ୍ଟାଇଲର ହେୟାର କଟ୍ କରାଇଛନ୍ତି ଶୁଭ୍ରକାନ୍ତ ।

ଲକ୍‌ଡାଉନ୍‌ର ଭଲ ଦିଗ ସମ୍ପର୍କରେ ଶୁଭ୍ରକାନ୍ତ କୁହନ୍ତିି, ଦିଲ୍ଲୀର ବାୟୁମଣ୍ଡଳ ଏବେ ପରିଷ୍କାର । ଏହା ବହୁ ଦିନରୁ ଦେଖିବାକୁ ମିଳୁ ନ ଥିଲା । ରାତିରେ ବି ଆକାଶ ପରିଷ୍କାର ଥିବାରୁ ତାରା ମାନେ ବେଶ୍ ସୁନ୍ଦର ଲାଗୁଛନ୍ତି । ବିମାନ ଚଳାଚଳ ବନ୍ଦ ସହ ରାସ୍ତାଘାଟରେ ଗାଡିମଟର ଚଳାଚଳ କରୁ ନଥିବାରୁ ପରିବେଶ ପୁରା ଶାନ୍ତ ହୋଇଯାଇଛି ।

ତେବେ ଲକ୍‌ଡାଉନରୁ ଆମେ କେମିତି ବାହାରିବା ତାହା ଆମ ଆଗରେ ଏବେ ବଡ ପ୍ରଶ୍ନ ନୁହେଁ ବରଂ ଏହି ଲକ୍‌ଡାଉନ୍ ନେଇଆସିଥିବା ସବୁ ଭଲ ଜିନିଷକୁ ନେଇ ଚାଲିବା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହନ୍ତି ଶୁଭ୍ରକାନ୍ତ ।

Leave A Reply

Your email address will not be published.